May 18, 2024

ପ୍ରବାସରେ ରଜ ପର୍ବ

1 min read

ଆ.ଓ.ରି(ତା୧୯|୫)-

ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରକୁ ଆନନ୍ଦର ମଧୁର ତରଙ୍ଗରେ ଅଭିସିକ୍ତ କରିଆସିଥାଏ ରଜ ପର୍ବ। ପିଲାଦିନେ କେତେ ଆଗ୍ରହରେ ଅପେକ୍ଷା କରୁଥିଲୁ ଏହି ତିନିଦିନିଆ ଧୁମ ମଜା ପାଇଁ।

ହଁ, ଆମ ପିଲାଦିନେ ରଜର ଅର୍ଥ ଆମେ ବୁଝୁଥିଲୁ ହସଖୁସି ଆନନ୍ଦର ଏକ ବିସ୍ତୃତ ଆସର। ‘ରଜ’ ମାନେ ଝିଅମାନଙ୍କର ଘରକାମରୁ ଛୁଟି। ତିନି ଦିନ କାଳ ସାଙ୍ଗମାନଙ୍କ ମେଳରେ ମଜା ହିଁ ମଜା ।

ରଜ ଏକ ପାର୍ବଣ କେବଳ ନୁହଁ, ଏହା ଓଡିଆ ଜନଜୀବନର ସବୁଠୁ ଗୁରୁତ୍ବପୂର୍ଣ ସାମାଜିକ ଅନୁଷ୍ଠାନ। ସବୁ ଭାରତୀୟ ପାର୍ବଣ ପରି ଏହା ମଧ୍ୟ କୃଷିଭିତ୍ତିକ, ହେଲେ ରଜ ର ସାଂସ୍କୃତିକ ଦର୍ଶନ ଆଉ ଟିକେ ବ୍ୟାପକ।

ଏହା ବୋଧେ ସେଇ ଅଳ୍ପ କେତୋଟି ପାର୍ବଣ ଭିତରୁ ଗୋଟିଏ ଯହିଁରେ ନାରୀକୁ ଓ ନାରୀତ୍ଵର ଶକ୍ତିକୁ ସର୍ବାଧିକ ଗୁରୁତ୍ଵ ଦିଆଯାଇଥାଏ।

ରଜରେ ଓଡିଆଣୀ ର ଭୂମିକା ସର୍ବୋପରି। ସେ ଉତ୍ସବର କେନ୍ଦ୍ରବିନ୍ଦୁ। ସେ ଝିଅ ହେଉ ବା ବୋହୁ, ମା ହେଉ ବା ଜେଜେ ମା – ରଜରେ ତାର ହିଁ ମଉଜ ।

ବିଭିନ୍ନ ଅନୁଷ୍ଠାନ ତରଫରୁ ସହରମାନଙ୍କରେ ରଜ ଉତ୍ସବ ପାଳନ କରାଯାଉଛି। ରଜ ପିଠା ପ୍ରତିଯୋଗିତା ହେଉଛି। ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ହେଉଛି। ଆମ ସଂସ୍କୃତିକୁ ବଞ୍ଚାଇପାରିବା ଯେଉଁମାନେ ପ୍ରୟାସ କରୁଛନ୍ତି ସେମାନଙ୍କୁ ଅଜସ୍ର ଧନ୍ୟବାଦ ।

ସେଇଭଳି ଏକ ସୁନ୍ଦର ପ୍ରୟାସକୁ ଦିଲ୍ଲୀ NCRରେ ୧୦ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆଙ୍କର ସ୍ୱାଭିମାନ, ଗର୍ଵ , ଗୌରବ, ଭଲପାଇବା ଏବଂ ସହଯୋଗକୁ ପାଥେୟ କରି କଳିଙ୍ଗ ଭାରତୀ ଫାଉଣ୍ଡେସନ, ଗୁରୁଗ୍ରାମ, ହରିୟାଣା ରେ ପାରମ୍ପରିକ ରଜ ଉତ୍ସବର ଆୟୋଜନ କରିଛି । ଏଥିରେ ଅନେକ ଓଡ଼ିଆ ସଂଗଠନ ଯୋଗ ଦେଉଥିବା ବେଳେ ପ୍ରବାସୀ ଓଡ଼ିଆ ପରିବାର ସେଥି ମଧ୍ୟରୁ ଅନ୍ୟତମ ଭୂମିକା ଗ୍ରହଣ କରିଛି ।

ପ୍ରତ୍ୟେକଟି ଓଡ଼ିଆର ଆପଣାର ପର୍ଵ ରଜ ଉତ୍ସବକୁ ଆହୁରି ମୁଖରିତ ଏବଂ ଚିତାକର୍ଷକ କରିବା ପାଇଁ ଓଡ଼ିଆ ଦୋଳି, ପାନ, ଓଡ଼ିଆଣି ବୋହୂ, ଆମ୍ବ, ପଣସ, ଝୋଟି, ମୁରୁଜ, ମେହେନ୍ଦୀ, ବିଭିନ୍ନ ପିଠା, ରସଗୋଲା , ଛେନାପୋଡ଼, ମାଲପୁଆ, ଚିକେନ୍ ମଟନ, ବରା, ପକୁଡି, ଘୁଗୁନି, ଦହି ବରା ଆଳୁ ଦମ, ଗୁଲୁଗୁଲା, ଆଳୁଚପ, ଓଡିଶା ପ୍ରସିଦ୍ଧ ଲସି, ପାଇଡ଼ ପାଣି, ଦହି ସର୍ବତ ତଥା ଓଡିଶାର ସମସ୍ତ ପ୍ରାନ୍ତର ଓଡ଼ିଆ ହାତ ରନ୍ଧା ସୁସ୍ଵାଦୁ ଖାଦ୍ୟ, ଜଗନ୍ନାଥ ମହାପ୍ରସାଦ ଅବଢ଼ା, ହାତ ତିଆରି ଆଚାର, ବ୍ରହ୍ମପୁର ମିକ୍ସଚର, ଏଭଳି ଅନେକ ସ୍ୱାଦିଷ୍ଟ ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଛି ।

ରଜ ମହୋତ୍ସବର ବର୍ଣ୍ଣାଢ୍ୟ ପରିବେଶକୁ ଅଧିକ ଚଳଚଞ୍ଚଳ ଏବଂ ଉତ୍ସବ ମୁଖର କରିବା ପାଇଁ ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମରେ ଓଡିଶାର ବିଖ୍ୟାତ ବିସ୍ମୟ ବାଳକ ସାଇ ଅନିଶ ଓ ବିଶ୍ୱଜିତଙ୍କ ଆକର୍ଷଣ ତଥା ଗୀତ ସଙ୍ଗୀତର ମୁର୍ଛନାରେ ଆପଣଙ୍କୁ ବାନ୍ଧି ନେବାର ସୁନ୍ଦର ପ୍ରୟାସ ପାଇଁ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଏବଂ ଦିଲ୍ଲୀ ଦରବାରର ଦୁଇ ପ୍ରସିଦ୍ଧ ସଙ୍ଗୀତ ଅର୍କେଷ୍ଟ୍ରାର ପ୍ରଶିକ୍ଷିତ କଳାକାର ମାନଙ୍କୁ ନେଇ ଏକ ଭଵ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆଯୋଜନ କରାଯାଇଅଛି ।

ଏହି କାର୍ଯ୍ୟକ୍ରମରେ କଳିଙ୍ଗ ଭାରତ ଫାଉଣ୍ଡେସନର ସଭାପତି ଶ୍ରୀଯୁକ୍ତ ଅକ୍ଷୟ ସାମଲ ଯୋଗ ଦେବା ସହ ଅନେକ ସୁନାମ ଧନ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ତଥା ଅନ୍ୟ ବିବରଣୀ ପାଇଁ ଆଜି ହି ସମ୍ପର୍କ କରନ୍ତୁ …

ଯୋଗାଯୋଗ —

ଅକ୍ଷୟ ସାମଲ 7533028835
ଅକ୍ଷୟ ଓଝା 9911898050
ସୁଧାଂଶୁ ପାଢ଼ୀ 9311806958
ଶ୍ରୀମନ୍ତ ବିଶ୍ଵାଳ 8455952656
ବିଜୟ ମିଶ୍ର 9990091143

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.