May 18, 2024

ବିଶ୍ଵ ଓଡ଼ିଆ ସମ୍ମିଳନୀର ତୃତୀୟ ପ୍ରସ୍ତୁତି ବୈଠକ କଲିକତାରେ ଅନୁଷ୍ଠିତ

1 min read

ଆ.ଓ.ରି(୨୯|୫)- ବିଶ୍ଵ ଓଡ଼ିଆ ସମ୍ମିଳନୀର ତୃତୀୟ ପ୍ରସ୍ତୁତି ବୈଠକ, ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମୁରଲୀ ମନୋହର ଶର୍ମାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି |ପ୍ରତିଷ୍ଠାତା ରାଜକିଶୋର ରାଜଙ୍କ ସ୍ଵପ୍ନକୁ ଚରିତାର୍ଥ କରିବାକୁ ଦ୍ଵିତୀୟ ବିଶ୍ଵ ଓଡ଼ିଆ ସମ୍ମିଳନୀର ଅତିଥି ତଥା ପୂର୍ବତନ ରାଷ୍ଟ୍ରପତି କୃଷ୍ଣକାନ୍ତଙ୍କ ପ୍ରସ୍ତାବ ଅନୁଯାୟୀ ଆସନ୍ତା ଜୁଲାଇ ୨୮ ଓ ୨୯ ତାରିଖରେ ଦିଲ୍ଲୀର ଆନ୍ତର୍ଜାତିକ ଡଃ ଆମ୍ବେଦକର ପ୍ରତିଷ୍ଠାନ ଠାରେ ବିଶ୍ଵ ଓଡ଼ିଆ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଶ୍ରୀ ଶର୍ମା ସୂଚନା ଦେଇଥିଲେ।

ଏହି ବୈଠକରେ ଓଡିଶା, ମୁମ୍ବାଇ,ଚେନ୍ନାଇ,ବେଙ୍ଗାଳୁରୁ,ହାଇଦ୍ରାବାଦ,ଦିଲ୍ଲୀ ଓ କୋଲକାତା ସମେତ ଅନ୍ୟ ପ୍ରବାସୀ ଓଡ଼ିଆଙ୍କ ପ୍ରତିନିଧିବୃନ୍ଦ ଅଂଶଗ୍ରହଣ କରିଥିଲେ। ଆସନ୍ତା ବିଶ୍ଵ ଓଡ଼ିଆ ସମ୍ମିଳନୀରେ ଆଲୋଚନା ହେବାକୁ ଥିବା ୧୧ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ଆଲୋଚନା ହୋଇଥିଲା।

ବିଶ୍ଵ ଓଡ଼ିଆ ସମ୍ମିଳନୀର ୧୧ ଟି ମନ୍ତ୍ର ଯଥା ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ ପଦକ୍ଷେପ,ଭାରତୀୟ ସେନାର କଳିଙ୍ଗ ରେଜିମେଣ୍ଟ ଗଠନ, ଓଡିଶୀ ସଂଗୀତକୁ ସାସ୍ତ୍ରୀୟ ମାନ୍ୟତା ଦେବାପାଇଁ ଦାବି ଉପସ୍ଥାପନା ତଥା ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାପାଇଁ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକର ଉନ୍ନତିର ଆବଶ୍ୟକତା ରହିଛି। କୃଷି ଓ କୃଷକର ଉନ୍ନତିପାଇଁ ଭିତ୍ତିଭୂମି ପ୍ରସ୍ତୁତ ନିତାନ୍ତ ଯରୁରୀ ଅଟେ। ଜଳ, ଜଙ୍ଗଲ, ଜମି, ତଟରେଖା,ଖଣିଜସମ୍ପଦର ସଦୁପଯୋଗ ଦ୍ଵାରା ରାଜ୍ୟର ଅର୍ଥନୈତିକ ଉନ୍ନତି ହୋଇପାରିବ। ଓଡିଶା ବିଶ୍ଵ ଖଣିଜ ପଦାର୍ଥର ମୂଲ୍ୟନିର୍ଦ୍ଧାରକ ବଜାର ହୋଇ ପାରିବ। ବିଛିନ୍ନା ଅଞ୍ଚଳକୁ ମାନଚିତ୍ରରେ ଯୋଡ଼ିବାର ଉଦ୍ୟମର ଆବଶ୍ୟକତା ରହିଛି। ମୃତ ନଦୀ ଗୁଡିକର ପୁନରୁଦ୍ଧାରର ଆବଶ୍ୟକତା ରହିଛି। ଓଡ଼ିଆ ଭାଷାକୁ ଏକ ଉପାର୍ଜନ କ୍ଷମ ଭାଷାରେ ପରିଣତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକତା ରହିଛି। ପ୍ରବାସରେ ବସବାସ କରୁଥିବା ଓଡ଼ିଆ ଶ୍ରମିକଙ୍କର ଉତ୍କଟ ସମସ୍ୟା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଦେଶର ବିଭିନ୍ନ ମହାନଗର ମାନଙ୍କରେ ଓଡ଼ିଶା ଭବନ ଓ ଅତିରିକ୍ତ ଓଡ଼ିଶା ଭବନ ନିର୍ମାଣ ପାଇଁ ଦାବି ଉପସ୍ଥାପନ କରାଯାଇଥିଲା। ଓଡ଼ିଶାରେ ବେକାରୀ ସମସ୍ୟା ଓ ସମାଧାନ ଦିଗରେ ବ୍ୟାପକ ଆଲୋଚନା ଆସନ୍ତା ସମ୍ମିଳନୀରେ ହେବ ବୋଲି ସ୍ଥିର କରାଯାଇଥିଲା। ସମ୍ମିଳନୀର ଦିଲ୍ଲୀ ଅଧିବେଶନ ପାଇଁ ଉପଦେଷ୍ଟା ଭାବେ ଅମରେନ୍ଦ୍ର ଖଟୁଆ, ନିହାର ରଞ୍ଜନ ସାମନ୍ତରା, ସୁବାସ ଗନ୍ତାୟତ ,ପିତାମ୍ବର ବାରିକ୍, ଆୟୋଜନ କମିଟିର ସହ ଅଧ୍ୟକ୍ଷ ଭାବେ ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାପିତା ରୂପା ଦାସ, ପ୍ରମୁଖ ମୁଖପାତ୍ର ଭାବେ ଜଗନ୍ନାଥ ଉଦଗତା,ସ୍ମରଣୀକା କମିଟି ଅଧ୍ୟକ୍ଷ ଭାବେ କୃଷ୍ଣ ନାୟକ ଆଦିଙ୍କୁ ମନୋନୀତ କରାଯାଇଥିବାର ଜଣାଯାଇଛି।

ଏହି ବୈଠକକୁ ଅନ୍ତଃରାଷ୍ଟ୍ରିୟ ସଂଯୋଜକ ଶ୍ରୀ କିଶୋର ଦ୍ଵିବେଦୀ ଏବଂ ଉପାଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ ପଣ୍ଡା ସଂଯୋଜନା କରିଥିବାବେଳେ ସାଧାରଣ ସମ୍ପାଦକ ଶ୍ରୀ ବିଭୁପ୍ରସାଦ ନାୟକ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବ ଭାରତର ସଂଜୋଯକ ପ୍ରଦୀପ ମହାପାତ୍ର ସ୍ଵାଗତ ଭାଷଣ ଦେଇଥିଲେ। ଉପଦେଷ୍ଟା ପିତାମ୍ବର ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହିପରି ଭାବରେ ବୈଠକର ପରିସମାପ୍ତି ହୋଇଥିଲା।

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.