ଭାରତକୁ ୮ ୱିକେଟରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଚମ୍ପିଆନ୍
1 min read
ଆଓରି-ସାଉଥାମ୍ପଟନ (୨୪/୦୬) :ପ୍ରଥମ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ମୁକୁଟ ହାସଲ କରିଛି ନ୍ୟୁଜିଲାଣ୍ଡ। ଏଠାରେ ବୁଧବାର ଅତିରିକ୍ତ ଦିବସରେ ଶେଷ ହୋଇଥିବା ଫାଇନାଲ ମ୍ୟାଚ୍ରେ ଭାରତକୁ ୮ ୱିକେଟରେ ନ୍ୟୁଜିଲାଣ୍ଡ ପରାସ୍ତ କରିଛି। ଫାଇନାଲ ଜିତିବା ଲାଗି ୧୩୯ ରନ୍ ଲକ୍ଷ୍ୟ ନେଇ ୨ୟ ଇନିଂସରେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୨ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଫଳରେ ୧୪୪ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସରେ ସବୁଠାରୁ ଗୁୁରୁତ୍ବପୂର୍ଣ୍ଣ ମ୍ୟାଚ୍କୁ ଜିତି ନ୍ୟୁଜିଲାଣ୍ଡ ସର୍ବପ୍ରଥମ ଚମ୍ପିଆନ୍ ହୋଇପାରିଛି। ୩୨ ରନ୍ ପଛରେ ଥିବା ଭାରତ ୨ୟ ଇନିଂସରେ ୧୭୦ ରନ୍ରେ ଅଲ୍ଆଉଟ ହେବା ଯୋଗୁଁ ନ୍ୟୁଜିଲାଣ୍ଡକୁ ୧୩୯ ରନ୍ର ବିଜୟଲକ୍ଷ୍ୟ ମିଳିଥିଲା। ପରେ ନ୍ୟୁଜିଲାଣ୍ଡର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଅଧିନାୟକ ୱିଲିୟମ୍ସନ ଓ ରସ୍ ଟେଲରଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ଭାରତ ଦିନିକିଆ ଓ ଟି୨୦ ବିଶ୍ବକପ୍ ଜିତିଥିବା ବେଳେ ଟେଷ୍ଟମ୍ୟାଚ୍ର ବିଶ୍ବ ଚମ୍ପିଆନ୍ସିପ ଜିତିବାରୁ ବଞ୍ଚିତ ହୋଇଛି। ୧୩୯ ରନ୍ ବିଜୟଲକ୍ଷ୍ୟ ନେଇ ୨ୟ ଇନିଂସ ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ। ଓପ୍ନିଂ ଯୋଡ଼ି ୩୩ ରନ୍ କରିବା ପରେ ଦୁହେଁ ରବିଚନ୍ଦ୍ରନ ଅଶ୍ବିନଙ୍କ ଶିକାର ହୋଇଥିଲେ।