May 20, 2024

ନରସିଂହ ମିଶ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କୃଷ୍ଣ ସଗରିଆ

1 min read
Aajira Odisha

ଆଓରି-ଭୁବନେଶ୍ଵର(୧୮/୧୧) : ବଢିବାରେ ଲାଗିଛି କଂଗ୍ରେସର ଦଳୀୟ କନ୍ଦଳ । କୃଷ୍ଣ  ସଗରିଆ ଏବଂ ତାରାବାହିନୀ ପତିଙ୍କ ବିବାଦ ଥମିଥିବା ବେଳେ ନରସିଂହ ମିଶ୍ରଙ୍କ ନାଁରେ କୃଷ୍ଣ ଆଣିଛନ୍ତି ସାଂଘାତିକ ଅଭିଯୋଗ । ନରସିଂହଙ୍କ ସହ ନବୀନଙ୍କ ଘନିଷ୍ଠ ସମ୍ପର୍କ ଥିବା କହି ତେର୍‌ଛା ବାଣ ମାରିଛନ୍ତି କୋରାପୁଟର ପୂର୍ବତନ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ।

ଗତ କିଛି ଦିନ ହେଲା ଦଳ ସହ ତାଙ୍କର ମନାନ୍ତର ଏବଂ ମତାନ୍ତରର ଖବର ସାମ୍ନାକୁ ଆସୁଥିବା ବେଳେ   ନରସିଂହଙ୍କୁ ସଗରିଆଙ୍କ ଚିଠି ଏହି ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି ।  ବିଧାୟକ ଶ୍ରୀକାନ୍ତ ଜେନାଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଧାୟକ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚାକୁ ଗୃହରେ ସମର୍ଥନ ଜଣାଇଥିଲେ ବିରୋଧୀଦଳ ନେତା ନରସିଂହ ମିଶ୍ର । ନରସିଂହଙ୍କ ଏଭଳି ବୟାନରେ ସିଧା ସଳଖ ଟାର୍ଗେଟ କରିଛନ୍ତି ସଗରିଆ ।

ଚିଠିରେ ଲେଖିଛନ୍ତି, ‘ କେତେଜଣ ଦଳୀୟ ନେତା ପ୍ରଭାବିତ କରି ମୋର ଇସ୍ତଫା ଦେବା ସମ୍ପର୍କରେ ଆପଣଙ୍କ(ନରସିଂହ) ବକ୍ତବ୍ୟ କେବଳ ନିରାଧାର ନୁହେଁ, ଏହା ମୋତେ ନିନ୍ଦିତ କରିଛି ।’ କୁନ୍ଦୁଲୀ ପୀଡ଼ିତାଙ୍କୁ ନ୍ୟାୟ ନମିଳିବାରୁ ସେ ଆତ୍ମହତ୍ୟା କରିଥିଲେ । ତେବେ ବିଧାୟକ ପଦରୁ ଇସ୍ତଫା, ସେହି ନାବାଳିକାଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ବୋଲି ଲେଖିଛନ୍ତି ସଗରିଆ ।

ବିଧାନସଭାରେ ଦଳିତ ଛାତ୍ରୀଛାତ୍ରୀଙ୍କ ଉଚ୍ଚଶିକ୍ଷାରେ ସଂରକ୍ଷଣ  ଦାବିକୁ ନରସିଂହ ଗୁରୁତ୍ୱ ଦେଇ ନଥିବା ଅଭିଯୋଗ କରିଛନ୍ତି ସଗରିଆ । ଅନ୍ୟପଟେ ଏଥିପାଇଁ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ଧରିବା ପାଇଁ ପରାମର୍ଶ ଦେଇଥିଲେ ନରସିଂହ । କିଛି ବିଧାୟକ ନରସିଂହଙ୍କ କଥାମାନି ମୁଖ୍ୟମନ୍ତ୍ରୀଙ୍କ ପାଦ ଧରିଥିଲେ । କିନ୍ତୁ ନରସିଂହ ମିଶ୍ର ଏସବୁ ଚୁପଚାପ ବସି ଦେଖୁଥିଲେ ବୋଲି ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ସଗରିଆ ।

ଦଳିତ ଓ ଆଦିବାସୀମାନଙ୍କ ସାମ୍ବିଧାନିକ ଅଧିକାର ପାଇଁ ନରସିଂହଙ୍କ ଭୂମିକା କଣ ଏବଂ କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ତାଙ୍କ ପାଖରେ କଣ ଗୋଟିଏ ମିନିଟ୍‌ ନଥିଲା ବୋଲି ପ୍ରଶ୍ନ କରିଛନ୍ତି କୃଷ୍ଣ ସଗରିଆ । ଏହା ସହ ନରସିଂହ ମିଶ୍ର ଏବଂ ନବୀନ ପଟ୍ଟନାୟକଙ୍କ ଭିତିରି ସମ୍ପର୍କ ଫାଇଦା ନେଇ ଦଳିତ ସମାଜର କିଛି ଉନ୍ନତ୍ତି କରିବାର ପ୍ରୟାସ ଫେଲ୍‌ ମାରିଥିବା ମଧ୍ୟ ଉଲ୍ଲେଖ କରିଛନ୍ତି ସଗରିଆ । ଶେଷରେ ସମାଜ ସହ ନରସିଂହ ମିଶ୍ର ବଦଳିବା ନେଇ ଆଶା ପ୍ରକଟ କରିଛନ୍ତି କୃଷ୍ଣଚନ୍ଦ୍ର ସଗରିଆ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.