କେନ୍ଦ୍ରାପଡା ବାବୁଲି ଗୁଳିକାଣ୍ଡରେ ରହିଛି ଟିଟୋ ଗ୍ୟାଙ୍ଗର ହାତ
1 min read
ଆଓରି-ଭୁବନେଶ୍ଵର(୨୨/୦୭) : ଧର୍ମରକ୍ଷା ସେନାର କେନ୍ଦ୍ରାପଡା ଜିଲା ଆବହକ ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କ ଉପରେ ଗତ ୧୩ ତାରିଖରେ ହୋଇଥିବା ଗୁଳିମାଡ଼ ଘଟଣାରେ ଜିଲା ପୋଲିସ ୪ ଜଣଙ୍କୁ ସୋମବାର ଗିରଫ କରିଛି। ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ଓ ବାବୁ ଓରଫ ଭବାନୀଶଙ୍କର ସାହୁଙ୍କର ଏହି ଗୁଳିମାଡ଼ରେ ହାତ ରହିଛି । ମୁଖ୍ୟ ଅଭିଯୁକ୍ତ ସେକ୍ ମହତାବ ଓ ସେକ୍ କୁଦରତ ଧରା ପଡି ନ ଥିବା ବେଳେ କୌଣସି ମାରଣାସ୍ତ୍ର ଜବତ ହୋଇପାରିନାହିଁ। ଗିରଫ ହୋଇଥିବା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର ଆଲୋକ କୁମାର ମଲ୍ଲିକ (୨୨), ଚାରିଗାଁର କାଳିଆ ଓରଫ ତ୍ରିଲୋଚନ ମଲ୍ଲିକ (୨୧), ଟାଉନ ଥାନା ଅନ୍ତର୍ଗତ ବଡହାଟ କୁରେସୀ ମହଲାର ସେକ୍ ସାକିର (୨୮) ଓ ସଦର ଥାନା ଅନ୍ତର୍ଗତ ନେମ୍ବରା ଗ୍ରାମର ଶଙ୍କର ସେଠୀ (୨୯)ଙ୍କ ନିକଟରୁ ୪ଟି ମୋବାଇଲ, ଗୋଟିଏ ଗ୍ଲାମର ମୋଟର ସାଇକେଲ ଓ ଗୋଟିଏ ଏଫ୍ଜେଡ୍ ମୋଟର ସାଇକେଲ ଜବତ ହୋଇଛି ।
ଏହି ୪ ଜଣଙ୍କୁ ସଦର ଥାନା କେସ ନଂ (୧୮୯/ ୧୯)ର ଧାରା ୩୪୧, ୩୦୭, ୧୨୦ (ଖ), ୩୪ ଓ ଆର୍ମସ ଆକ୍ଟର ୨୫ ଓ ୨୭ରେ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାରେ ଜଡିତ ଟାଉନ ଥାନା ଅଧୀନ ଜଇପୁରା ଗ୍ରାମର ସେକ୍ ମହତାବ (୨୩), ସେକ୍ କୁଦରତ, ସେକ୍ ସନି, ତାଜ, ଜାନ ଓରଫ ସେକ୍ ସର୍ଫରାଜ (୨୫), ପଟ୍ଟାମୁଣ୍ଡାଇ ଥାନା ଜରିଆ ଗ୍ରାମର ଟୁକୁନା ଓରଫ ମିର୍ଜା ଗାଲିବ ବେଗ (୨୫) ଓ ଜାଜପୁର ଜିଲା ବରି ଥାନା ସେରପୁର ଗ୍ରାମର ରାଜା ମଲ୍ଲିକ (୨୨) ଫେରାର ଅଛନ୍ତି । ବାବୁଲିଙ୍କୁ ଜୀବନରୁ ମାରି ଦେବା ପାଇଁ ଗ୍ୟାଙ୍ଗଷ୍ଟର ଟିଟୋ ଓ ବାବୁ ସାହୁ ଏହି ଯୋଜନା କରିଥିଲେ ବୋଲି ଏସପି ନୀତିଶେଖର କାର୍ଯ୍ୟାଳୟ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ବାବୁଲିଙ୍କୁ ଜୀବନରୁ ମାରିଦେବା ପାଇଁ ମୋଟ ୫ ଲକ୍ଷ ଟଙ୍କା ମୂଲଚାଲ ହୋଇଥିବା ବେଳେ ସେକ୍ ସାକିର ଓ ସେକ୍ ସର୍ଫରାଜଙ୍କୁ ୧ ଲକ୍ଷ ଟଙ୍କା ଓ ୩ଟି ପିସ୍ତଲ ଯୋଗାଇ ଦିଆଯାଇଥିଲା । ଗିରଫ ହୋଇଥିବା ଆଲୋକଙ୍କ ନାମରେ ଜିଲାର ଟାଉନ ଥାନା, ସଦର ଥାନା, ପଟ୍ଟାମୁଣ୍ଡାଇ ଥାନା, ବାଲୋଶ୍ୱର ଜିଲାର ସିମୁଳିଆ ଥାନା, ଜାଯପୁର ଜିଲାର ବରି ରାମଚନ୍ଦ୍ରପୁର ଥାନାରେ ଏହା ପୂର୍ବରୁ ମାମଲା ଅଛି। ସେହିପରି ଶଙ୍କରଙ୍କ ନାମରେ କେନ୍ଦ୍ରପଡା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଓ କାଳିଆଙ୍କ ନାମରେ ବରୀ ରାମଚନ୍ଦ୍ରପୁର ଥାନାରେ ମାମଲା ଅଛ। ପୂର୍ବ ମାମଲାରେ ଦାଦାବଟି ଆଦାୟ, ଲୁଟ ଆଦି ମାମଲା ଦରଜ ହୋଇଛି। ଏହି ମାମଲାରେ ଗ୍ୟାଙ୍ଗଷ୍ଟର ଟିଟୋ ଓ ବାବୁ ସାହୁଙ୍କୁ ଜିଲା ପୋଲିସରେ ରିମାଣ୍ଡରେ ନିଆଯିବ। ଏଥିସହିତ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଘଟଣାର ଅଧିକ ଛାନଭିନ ଚାଲିଛି ବୋଲି ଏସ୍ପି ନୀତିଶେଖର ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ପୋଲିସର ଏହି ତଦନ୍ତରେ ସତ୍ୟତା ନ ଥିବା ନେଇ ଆଲୋଚନା ହେଉଛି। ଗ୍ୟାଙ୍ଗଷ୍ଟର ଟିଟୋ ସହିତ ବାବୁ ସାହୁଙ୍କୁ ଯୋଡିବା, ଅପରାଧୀ ଭାବେ ଚିହ୍ନଟ ହୋଇଥିବା କେତେକ ଯୁବକ ଅପରାଧ ଦୁନିଆ ସହ ଜଡ଼ିତ ନ ଥିବା ସହରରେ ଚର୍ଚ୍ଚା ହେଉଛି ।