ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ସଠିକ୍ ସମୟ ଆସିଗଲା: ମୋହନ ଭାଗବତ
1 min read
କୌଣସି ଦେଶ ସୁଦୃଢ଼ ହେବା ଲାଗି ସେଠାରେ ଧର୍ମ ସମ୍ମତ ସରକାର ହେବା ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ପ୍ରମୁଖ ମୋହନ ଭାଗବତ। ସ୍ଥାନୀୟ ଦୀନଦୟାଲ ଇଣ୍ଟର କଲେଜରେ ଆୟୋଜିତ ପୂର୍ବ ଉତ୍ତର ପ୍ରଦେଶର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେ ଯୋଗଦେଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଚାଲିଥିବା ପ୍ରକ୍ରିୟାକୁ ଦ୍ରୁତତର କରାଯିବା ଉପରେ ଗୁରୁତ୍ଵ ଦେଇଥିଲେ।
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାର ସମୟ ଆସିଯାଇଛି। ଏଥିପାଇଁ ହିନ୍ଦୁ ସଂଗଠନଗୁଡ଼ିକ ତରଫରୁ କାର୍ଯ୍ୟ କରାଯାଉଛି। ଜନସଚେତନତା ଜରିଆରେ ଲୋକଙ୍କୁ ରାମ ମନ୍ଦିର ନିର୍ମାଣ ପାଇଁ ଆଗକୁ ଆସିବାକୁ କୁହାଯାଉଛି। ସମସ୍ତେ ନିଜ ନିଜ ଅଞ୍ଚଳରେ ଧାର୍ମିକ କାର୍ଯ୍ୟକ୍ରମ କରିବା ଜରୁରୀ। ତେବେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ରାଜନୀତିର ବିଷୟ ନୁହେଁ ବୋଲି ମୋହନ ଭାଗବତ କହିଥିଲେ।
ସବୁ ଧର୍ମର ଲୋକମାନଙ୍କ ବିଚାର ଏବଂ ସମନ୍ଵୟ ଆଧାରରେ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ କରାଯାଉଛି। ଏହି ପ୍ରୟାସକୁ ଏବେ ଆହୁତି ଦ୍ରୁତତ୍ତର କରିବା ଜରୁରୀ। ଗୀତାରେ ସବୁକିଛି ବର୍ଣ୍ଣନା କରାଯାଇଛି। ଏଥିପାଇଁ ଯେଉଁ କାର୍ଯ୍ୟ ସଫଳ ହେଉନାହିଁ ଅଥବା ପୂରଣ ହୋଇପାରୁ ନାହିଁ, ତାହାର ସମାଧାନ ପାଇଁ ଗୀତା ପାଠ କରିବାକୁ ସ୍ଵୟଂ ସେବକ ସମେତ ସମସ୍ତ ଦେଶଭକ୍ତଙ୍କୁ ମୋହନ ଭାଗବତ କହିଥିଲେ। କେଉଁ ପରିସ୍ଥିତିରେ ଆମକୁ କିପରି ରହିବା ଏବଂ କାର୍ଯ୍ୟ କରିବା ଦରକାର ତାହା ଗୀତାରେ ବର୍ଣ୍ଣିତ ବିଷୟବସ୍ତୁ ଆମକୁ ଶିଖାଇଥାଏ।