ଜନୌଷଧି ଦିବସ ଅବସରରେ ହିତାଧିକାରୀ ମାନଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
1 min read
ଆଓରି-ନୂଆଦିଲ୍ଲୀ(୦୭/୦୩) : ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଏକ ବୌଧିକ ପରିବର୍ତ୍ତନ ଆଣିବା ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା ଏ କ୍ଷେତ୍ରରେ ଏକ ବଳିଷ୍ଠ ପଦକ୍ଷେପ । ୮୦୦ ଔଷଧ ଏବଂ ୧୫୪ଟି ସର୍ଜିକାଲ ସାମଗ୍ରୀ ଏହା ଅଧିନକୁ ଅଣାଯାଇଛି ।
ଗୁରୁବାର ଦେଶବ୍ୟାପୀ ଜନୌଷଧି ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି । ଦେଶର ୬୫୨ଟି ଜିଲ୍ଲାରେ ୫୦୫୦ରୁ ଅଧିକ ଜନୌଷଧି କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରି କହିଛନ୍ତି ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ଔଷଧର ମୂଲ୍ୟ ହ୍ରାସ କରିଛନ୍ତି ଏବଂ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଉପଲବ୍ଧ କରାଇବା ପାଇଁ ପଦକ୍ଷପ ନେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ରର ମାଲିକ ଏବଂ ଏହି ଯୋଜନାର ହିତାଧିକାରୀ ମାନଙ୍କ ସହିତ ଭାବ ବିନିମୟ କରିଛନ୍ତି ।
ତେବେ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭ୍ୟା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି , ବିଗତ ୩ବର୍ଷ ମଧ୍ୟରେ ଜେନେରିକ ଔଷଧର ବଜାର ଅଂଶଧନ ୨ ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ଯୋଜନା ମାଧ୍ୟମରେ ଦେଶର ନାଗରିକମାନଙ୍କର ପ୍ରାୟ ୧୦୦୦କୋଟି ଟଙ୍କା ସଞ୍ଚୟ ହୋଇଛି ବୋଲି କହିଛନ୍ତି । ବଜାର ଦରଠାରୁ ଏହି ଔଷଧ ୫୦ରୁ ୯୦ ପ୍ରତିଶତ ଶସ୍ତାରେ ମିଳୁଥିବାରୁ ୧୦ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି ।