ଭାରତ ଅପରାଜୟ, ବିଶ୍ଵକପ୍ରେ ୭-୦ : ପାକିସ୍ତାନ ଧରାଶାୟୀ
1 min read
ଆଓରି-ଭୁବନେଶ୍ଵର(୧୭/୦୬): ବିଶ୍ଵକପ୍ରେ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନ ବିପକ୍ଷରେ ଭାରତର ଆଧିପତ୍ୟ ଅତୁଟ ରହିଛି। ରବିବାର ମାଞ୍ଚେଷ୍ଟରର ବର୍ଷା ପ୍ରଭାବିତ ହାଇଭୋଲଟେଜ୍ ମହାମୁକାବିଲାକୁ ଭାରତ ଡକୱର୍ଥ/ଲୁଇସ୍ ନିୟମରେ ୮୯ ରନ୍ରେ ଜିତି ନେଇଛି। ତା’ ସହ ପାକିସ୍ତାନ ବିପକ୍ଷ ବିଶ୍ଵକପ୍ ବିଜୟ ସଂଖ୍ୟାକୁ ୭-୦କୁ ବଢ଼ାଇଛି। ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ବି ନେଇଛି। ଦୁଇ ବର୍ଷ ତଳେ ଲଣ୍ଡନରେ ସେହି ମ୍ୟାଚ୍ ହାରିବାର ଦୁଃଖକୁ ମାଞ୍ଚେଷ୍ଟରରେ ଦୂର କରିଛି।
ରବିବାର ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ବର୍ଷା ଲୁଚକାଳି ଖେଳ ଖେଳିଥିଲା। ଭାରତ କିନ୍ତୁ ପାକିସ୍ତାନକୁ ଲେଉଟାଣିର କୌଣସି ସୁଯୋଗ ଦେଇ ନଥିଲା। ରୋହିତ ଶର୍ମାଙ୍କ ଶତକ ସହାୟତାରେ ପ୍ରଥମେ ୩୩୬/୫ର ବିଶାଳ ସ୍କୋର କରି ନେଇଥିଲା। ଏହା ପରେ ବିଜୟ ଶଙ୍କର, କୁଲଦୀପ ଯାଦବ ଓ ହାର୍ଦିକ ପାଣ୍ଡ୍ୟାଙ୍କ ବୋଲିଂ କମାଲରେ ୧୬୫ ରନ୍ରେ ୬ଜଣ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲା। ପାକିସ୍ତାନ ପାଳିର ୩୫ ଓଭର ପରେ ପରେ ବର୍ଷା ଆରମ୍ଭ ହୋଇ କିଛି ସମୟ ପରେ ଛାଡ଼ି ଯାଇଥିଲା। ସେଥିପାଇଁ ଏହି ଦଳକୁ ୪୦ ଓଭରରେ ୩୦୨ ରନ୍ର ପୁନଃ ନିର୍ଧାରିତ ଲକ୍ଷ୍ୟ ମିଳିଥିଲା। ପାକିସ୍ତାନ ସେହି ୬ ୱିକେଟ୍ ହରାଇ ୨୧୨ ରନ୍ କରିବା ସହ ଭାରତଠାରୁ ବିଶ୍ଵକପ୍ରେ ଲାଗାତାର ସପ୍ତମ ପରାଜୟ ବରଣ କରିଥିଲା। ଭାରତ ବିଜୟ ପୂର୍ବରୁ ପକ୍କା ହୋଇ ସାରିଥିଲା ବେଳେ କେବଳ ଯାହା ଔପଚାରିକତା ପୂରଣ ହୋଇଥିଲା। ରୋହିତ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।