May 19, 2024

ଫ୍ୟାଶନ ୱିକ୍‌ରେ ଓଡ଼ିଶାର ହସ୍ତତନ୍ତକୁ ‘ସାଧବ ବୋହୂ’ ଥିମ୍‌ ମାଧ୍ୟମରେ ପ୍ରଦର୍ଶନ

1 min read
Aajira Odisha
ଆଓରି-ନୂଆଦିଲ୍ଲୀ(୧୪/୮) : ନିକଟରେ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌କୁ ଯାଇ ଚର୍ଚ୍ଚାରେ ରହିଥିବା ଓଡ଼ିଶାର ପରିଚିତ ଟେଲିଭିଜନ ହୋଷ୍ଟ୍‌ ତଥା ଆଗଧାଡ଼ିର ଫ୍ୟାଶନ ଡିଜାଇନର ସଗୁନ୍‌ ସବ୍ୟସାଚୀ ଶତପଥୀ ପୁଣିଥରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ନିଜର ଡିଜାଇନର୍‌ କଳା ମାଧ୍ୟମରେ ସେ ଓଡ଼ିଶାର ହସ୍ତତନ୍ତକୁ ନୂଆ ରୂପ ଦେଇ ଦେଶ ଏବଂ ଦେଶ ବାହାରେ ପହଞ୍ଚାଇଛନ୍ତି। ରବିବାର ବିହାରରେ ଅନୁଷ୍ଠିତ ହୋଇଥିବା ପାଟନା ଫ୍ୟାଶନ ୱିକ୍‌ରେ ଓଡ଼ିଶାର ହସ୍ତତନ୍ତକୁ ‘ସାଧବ ବୋହୂ’ ଥିମ୍‌ ମାଧ୍ୟମରେ ପ୍ରଦର୍ଶନ କରି ସବ୍ୟସାଚୀ ବେଶ୍‌ ପ୍ରଶଂସିତ ହୋଇଛନ୍ତି। ପ୍ରାଚୀନ କଳିଙ୍ଗର ସାଧବ ଓ ସାଧବାଣୀଙ୍କ ଜୀବନଶୈଳୀ ଆଧାରରେ ପ୍ରସ୍ତୁତ ହୋଇଥିବା ଏହି ଡିଜାଇନ୍‌କୁ ବଛା ବଛା ମଡେଲମାନେ ର଼୍ୟାମ୍ପ୍‌ରେ ପ୍ରଦର୍ଶନ କରିଥିଲେ। ପାକିସ୍ତାନୀ ଅଭିନେତ୍ରୀ, ମଡେଲ ତଥା ‘ବିଗ୍‌ବସ୍‌-୧୧’ ଫେମ୍‌ ଆର୍ଶି ଖାନ୍‌ ଏହାର ଶୋ’ ଷ୍ଟପର୍‌ ଭାବେ ର଼୍ୟାମ୍ପ୍‌ରେ ଚାଲିଥିଲେ।
ଓଡ଼ିଶାର ଜନଜାତିଙ୍କ କୋଟ୍‌ପାଡ୍‌ ଫ୍ୟାବ୍ରିକ୍‌ରେ ପ୍ରସ୍ତୁତ ଆକର୍ଷଣୀୟ ଡିଜାଇନ୍‌ର କୁର୍ତ୍ତା ତଥା ଶେର୍‌ଓ୍ବାନୀ ଏବଂ ପଗଡି ପିନ୍ଧି ପୁରୁଷ ମଡେଲମାନେ ର଼୍ୟାମ୍ପଓ୍ବାକ୍‌ କରିଥିବା ବେଳେ ମହିଳା ମଡେଲମାନଙ୍କୁ ସଉରା ଓ ଡଙ୍ଗରିଆ କନ୍ଧଙ୍କ ଶାଢ଼ିରେ ଦେଖିବାକୁ ମିଳିଥିଲା। ସବୁଠାରୁ ବଡ଼କଥା ହେଲା, ମଡେଲମାନେ ଜନଜାତିଙ୍କ ପାରମ୍ପରିକ ଶାଢ଼ିପିନ୍ଧା ଶୈଳୀରେ ସମସ୍ତ ଡିଜାଇନ୍‌କୁ ପରିଧାନ କରି ର଼୍ୟାମ୍ପ୍‌ରେ ଚାଲିଥିଲେ। ଅଭିନେତ୍ରୀ ଆର୍ଶି ଖାନ୍‌ ଏକ ହଳଦିଆ ରଙ୍ଗର ଶାଢ଼ି ପିନ୍ଧି ମୁଣ୍ଡରେ ଓଢ଼ଣା ଦେଇ ର଼୍ୟାମ୍ପ୍‌ଓ୍ବାକ୍‌ କରିବା ଶୋ’ର ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ଥିଲା। କିଛିଦିନ ତଳେ ନିଜର ଏକ ସ୍ଵତନ୍ତ୍ର ଫ୍ୟାଶନ ବ୍ରାଣ୍ଡ୍‌ ‘କିମ୍ବଦନ୍ତୀ’ ଲଞ୍ଚ୍‌ କରିଥିବା ସବ୍ୟସାଚୀ ପୂର୍ବରୁ ମଧ୍ୟ ଏକାଧିକ ଜାତୀୟ ସ୍ତରୀୟ ଫ୍ୟାଶନ ଶୋ’ରେ ଓଡ଼ିଶାର ହସ୍ତତନ୍ତକୁ ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ଥିମ୍‌ରେ ରାଜ୍ୟର କୋଟ୍‌ପାଡ୍‌, ଇକ୍କତ, ସମ୍ବଲପୁରୀ ଓ ସୋନ୍‌ପୁରୀ ଭଳି ଲୋକପ୍ରିୟ ହସ୍ତତନ୍ତକୁ ସେ ନିଜସ୍ଵ ଶୈଳୀରେ ଆଧୁନିକତାର ସ୍ପର୍ଶ ଦେଇ ଡିଜାଇନ୍‌ କରୁଛନ୍ତି। ଏହି ଡିଜାଇନର ୨୦୧୪ରେ ଭୁବନେଶ୍ୱର ଫ୍ୟାଶନ ଓ୍ବିକ୍‌ ଆୟୋଜନ କରି ଲୋକପ୍ରିୟତା ହାସଲ କରିଛନ୍ତି। ଫ୍ୟାଶନ ମାଧ୍ୟମରେ ଏକ ସାମାଜିକ ପରିବର୍ତ୍ତନ ଆଣିବା ତଥା ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଦେଶ ଏବଂ ବିଦେଶରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ସବ୍ୟସାଚୀ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ସମଲିଙ୍ଗୀ ଭୂମିକାରେ ଅଭିନୟ କରୁଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.