କଳା ଓ ସଂସ୍କୃତି

ନୂଆଁଖାଇ ପ୍ରସ୍ତୁତି ଜୋରସୋର, ସକାଳ ୮.୫୦ରୁ ୧୦.୩୮ ମଧ୍ୟରେ ନବାନ୍ନ ଭକ୍ଷଣ

ଆଓରି-ଭୁବନେଶ୍ଵର(୩୧/୦୮): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ଗଣପର୍ବ ନୂଆଖାଇକୁ ଏଠିକାର ଜନସାଧାରଣ ଧୁମଧାମରେ ପାଳନ କରିଆସୁଥିବାବେଳେ ଚଳିତ ବର୍ଷ ମଧ୍ୟ ନୂଆଖାଇ ପାଳନ ପାଇଁ ଚଳ ଚଞ୍ଚଳ ହୋଇ ଉଠୁଛି ପୁରପଲ୍ଲୀ ।

ଏହି ଗଣପର୍ବକୁ ନେଇ ଚଳଚଞ୍ଚଳ ପଶ୍ଚିମଓଡ଼ିଶା । ଆସନ୍ତା 3 ତାରିଖରେ ନୂଆଖାଇ ପାଳନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ବଲାଙ୍ଗିରରେ ଗାଁଠୁ ସହର ସବୁଠି ଲୋକେ କାମରେ ଲାଗିପଡିଛନ୍ତି । କିଏ ମାଟି କାନ୍ଥରେ ଲେପ ଦେଉଛି ତ କିଏ ଘରକୁ ସଜାଇବାରେ ବ୍ୟସ୍ତ । ଆଉ କିଏ ମଣ୍ଡା ପିଠା ପାଇଁ ଚାଉଳ ଗୁଣ୍ଡକୁ ଢିଙ୍କିରେ କୁଟୁଛି । ଚଳିତ ବର୍ଷ ମା’ ପାଟନେଶ୍ୱରୀ ଓ ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଅନୁଯାୟୀ ଜିଲ୍ଲାରେ ସକାଳ 8.50ରୁ 10.38 ମଧ୍ୟରେ ସମସ୍ତେ ନବାନ୍ନ ଭକ୍ଷଣ କରିବେ ।

ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବଜାରରେ ନୂଆଖାଇ ଲାଗି ବିଭିନ୍ନ ରକମର ମାଟି ହାଣ୍ଡି, ଡଲା ଭୁଗଲି ମଳୁଛି । ଏହାସହ ନୂଆ ଶାଢୀ, ଡ୍ରେସ କିଣିବାରେ ବ୍ୟସ୍ତ ସମସ୍ତେ । ଘର ଗୁଡିକୁ ସଫାସୁତୁରା କରିବାରେ ଲାଗି ପଡିଛନ୍ତି ପଶ୍ଚିମଓଡ଼ିଶାବାସୀ । ନୂଆଖାଇରେ ନୂଆ ବସ୍ତ୍ର ପରିଧାନ କରି ବର୍ଷକୁ ଥରେ ପୁରା ପରିବାର ଏକାଠି ନବାନ୍ନ ଭକ୍ଷଣ କରିବାର ପରମ୍ପରା ରହିଥିବା ବେଳେ ଛୋଟମାନେ ବଡମାନଙ୍କୁ ଜୁହାର କରି ଆର୍ଶୀବାଦ ନେଇଥାନ୍ତି ।

ସେପଟେ ଚଳିତ ବର୍ଷ କଳାହାଣ୍ଡିରେ ନୂଆ ଧାନ ବଦଳରେ ଧାନ ପତ୍ରରେ ପାଳନ କରିବେ ନୁଆଖାଇ । ଗ୍ଲୋବାଲ ୱାର୍ମିଂ ଯୋଗୁଁ ଜଳବାୟୁରେ ପରିବର୍ତ୍ତନ ହେଉଛି । ଯାହାପାଇଁ ବର୍ଷାରେ ଅନିୟମିତତା ଦେଖାଯାଉଛି । ଚଳିତ ବର୍ଷ ବିଳମ୍ବରେ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ରୁଆ କାର୍ଯ୍ୟ ଏଯାଏଁ ଶେଷ ହୋଇନାହିଁ ।

ନୂଆଖାଇ ପର୍ବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ଢୋଲ, ନିଶାନର ତାଳେ ତାଳେ ଝୁମି ଉଠିବେ ଗାଁରୁ ସହରବାସୀ । ନୂଆ ଧାନର ଚାଉଳ ଆଉ ପିଠାପଣା କ୍ଷୀରି ସାଙ୍ଗେ ଭାଦ୍ରବ ମାସ ଶୁକ୍ଲପକ୍ଷ ପଂଚମୀ ତିଥିରେ ନୂଆ ଖାଇବେ ସଭିଏଁ ।

Related Articles

Leave a Reply

Your email address will not be published. Required fields are marked *

Back to top button