କଳା ଓ ସଂସ୍କୃତିରାଜ୍ୟ

ପ୍ରଣବ କିଶୋର ପଟ୍ଟନାୟକ ପାଇବେ ପ୍ରଥମ ସିକନ୍ଦର ଆଲାମ ମେମୋରିଆଲ ପୁରସ୍କାର

ଆଓରି-ଭୁବନେଶ୍ଵର(୨୬/୭) : ଓଡ଼ିଆ ସଙ୍ଗୀତ କ୍ଷେତ୍ରର ବରିଷ୍ଠ କଣ୍ଠଶିଳ୍ପୀ ତଥା ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ ପାଇବେ ପ୍ରଥମ ସିକନ୍ଦର ଆଲାମ ମେମୋରିଆଲ ପୁରସ୍କାର। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ଥର ଲାଗି ପ୍ରଦାନ କରାଯାଉଥିବା ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ପ୍ରଣବଙ୍କୁ ମନୋନୟନ କରାଯାଇଛି। ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ତଥା ସଙ୍ଗୀତକୁ ତାଙ୍କର ଅବଦାନ ଲାଗି ଏହି ପୁରସ୍କାର ପ୍ରଦାନ କରାଯିବ। ଖୁବ୍‌ଶୀଘ୍ର ସଚିବାଳୟରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପୁରସ୍କାର ପ୍ରଦାନ କରିବେ।
ଦୀର୍ଘ ୫ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଓଡ଼ିଆ ସଙ୍ଗୀତ ସହ ଜଡ଼ିତ ଥିବା ପ୍ରଣବ କିଶୋର ପଟ୍ଟନାୟକ ବିଗତ ଦଶନ୍ଧିର ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ। ଓଡ଼ିଶୀରୁ ଆରମ୍ଭ କରି ଲୋକଗୀତ, ଭଜନ, ସେମି କ୍ଲାସିକାଲ୍‌, ଆଧ୍ୟାତ୍ମିକ, ପାରମ୍ପରିକ ଗୀତ ସବୁକୁ ନିଜ କଣ୍ଠରେ ସଜାଇବାରେ ମାହିର ଏହି ବରିଷ୍ଠ କଣ୍ଠଶିଳ୍ପୀ। କେବଳ ସେତିକି ନୁହେଁ, ହିନ୍ଦୀ ଗିତ୍‌ ଓ ଗଜଲ ଗାଇବାରେ ମଧ୍ୟ ତାଙ୍କର ବେଶ୍‌ ସୁପ୍ରସିଦ୍ଧି ରହିଛି। ଅକ୍ଷୟ ମହାନ୍ତି ଓ ପ୍ରଫୁଲ୍ଲ କରଙ୍କ ସମୟର ଏହି ସଙ୍ଗୀତଜ୍ଞ ନିଜର ନିଆରା ଗାୟନଶୈଳୀ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରେ ଜଣେ ପରିଚିତ ଚେହେରା। ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିଥିବା ପ୍ରଣବ ଓଡ଼ିଆ ସିନେ ଜଗତର ସମସ୍ତ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି। ସଙ୍ଗୀତ କ୍ଷେତ୍ରରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ପୂର୍ବରୁ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଛି।
ସେହିଭଳି ୧୯୩୯ ଜୁଲାଇ ୨୭ରେ କଟକ ବୟାଳିଶି ମୌଜାରେ ଜନ୍ମଗ୍ରହଣ କରିଥିବା ମହମ୍ମଦ ସିକନ୍ଦର ଆଲାମଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ଭାବେ ବର୍ଣ୍ଣନା କରାଯାଏ। ଅଲ୍‌ ଇଣ୍ଡିଆ ରେଡିଓରୁ ନିଜର ସଙ୍ଗୀତ ଜୀବନ ଆରମ୍ଭ କରିଥିବା ସିକନ୍ଦର ୧୯୬୪ରେ ରିଲିଜ ହୋଇଥିବା ଓଡ଼ିଆ ଫିଲ୍ମ ‘ଲକ୍ଷ୍ମୀ’ରେ ପ୍ରଥମ ଥର ପାଇଁ କଣ୍ଠଦାନ କରିଥିଲେ। ଏହି କଣ୍ଠଶିଳ୍ପୀ ୫୦ରୁ ଅଧିକ ଓଡ଼ିଆ ଫିଲ୍ମ ଗୀତ ସହ ୨ ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି। ୨୦୧୦ ଅଗଷ୍ଟ ୮ରେ ୭୧ବର୍ଷ ବୟସରେ ପରଲୋକ ଗମନ କରିଥିବା ସିକନ୍ଦର ଆଲାମ ପ୍ରଥମ ଓଡ଼ିଆ କଣ୍ଠଶିଳ୍ପୀ ଭାବେ ବିବିସି ଲଣ୍ଡନ ପାଇଁ ଗୀତ ଗାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button