ସେନାକୁ ଆତଙ୍କବାଦୀଙ୍କ ବିରୋଧରେ ଲଢିବାକୁ ପୁର୍ଣ୍ଣ କ୍ଷମତା ଦେଇଛନ୍ତି ମୋଦୀ ସରକାର ; ଯୋଗୀ ଆଦିତ୍ୟନାଥ
1 min read
ଆଓରି-ଭୁବନେଶ୍ଵର(୨୦/୦୨) : ଭବାନୀପାଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପିର ବୁଥ ସ୍ତରୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଷ୍ଟାର ପ୍ରଚାରକ ରାଜ୍ୟର ୫ଟି ସଂସଦୀୟ କ୍ଷେତ୍ରର କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । କଳାହାଣ୍ଡିରେ ବୁଥ୍ସ୍ତରୀୟ ସମାବେଶରେ ଯୋଗଦେଇ କଂଗ୍ରେସ ଓ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି । ପୁଲ୍ଓ୍ୱାମା ହମ୍ଲାରେ ସହିଦ୍ଙ୍କ କଥା ମନେ ପକାଇଛନ୍ତି ଯୋଗୀ । ଅନ୍ୟ ପଟେ ସହିଦଙ୍କ ବଳିଦାନର ବଦ୍ଲା ନେଇଥିବାରୁ ଭାରତୀୟ ସେନାଙ୍କୁ ସ୍ୱାଗତ ଜଣାଇଛନ୍ତି ଯୋଗୀ ।
କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ୱରୀଙ୍କ ଆଶୀର୍ବାଦ ନେଇ ଭାଷଣ ଆରମ୍ଭ କରିଲେ ଯୋଗୀ ଆଦିତ୍ୟନାଥ । ଯୋଗୀ କହିଛନ୍ତି ଆଜି ପର୍ଯ୍ୟନ୍ତ କୌଣସି ବି ସରକାର ଭାରତୀୟ ସେନାଙ୍କୁ ପୁର୍ଣ୍ଣ କ୍ଷମତା ଦେଇନଥିଲେ । ମୋଦି ସରକାର ହିଁ କେବଳ ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି । ମୋଦି ସରକାର ସେନାକୁ ଆତଙ୍କବାଦୀଙ୍କ ବିରୋଧରେ ଲଢିବାକୁ ପୁର୍ଣ୍ଣ କ୍ଷମତା ଦେଇଛନ୍ତି । ଏହାର ପରିଣାମ ସ୍ୱରୁପ ସହିଦଙ୍କ ବଳିଦାନର ବଦ୍ଲା ନେବାରେ ସଫଳ ହୋଇପାରିଲା ସେନା । ବିଜେପି ସରକାର ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେବେ ବି ପଛଘୁଞ୍ଚା ଦେଇନାହିଁ ।
ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ମୋଦି ଜୀଙ୍କ ବିକାଶମୁଖି କାର୍ଯ୍ୟ କଥା କହି ପୁଣି ଥରେ ମୋଦି ଜୀଙ୍କୁ ପ୍ରଧାନମନ୍ତ୍ରୀ କରାଇବା ପାଇଁ ଆହ୍ୱାନ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ମୁକ୍ତ ଡାକରାରେ ବିଜେପି ସଫଳ ହୋଇଛି । ବାସ୍ତବରେ ସରକାର କିପରି ଚାଲିବା ଦରକାର ଯାହା ୪ ବର୍ଷରେ ମୋଦୀ କରି ଦେଖାଇଛନ୍ତି । ବିନା ଭେଦଭାବରେ ସେ ଏହା କରି ଦେଖାଇଛନ୍ତି । ସେ ଦଳ, ବ୍ୟକ୍ତି ଆଧାରରେ ନ ହୋଇ ଭାରତୀୟ କୃଷକ, ମହିଳା ଏବଂ ଶ୍ରମିକଙ୍କ ପାଇଁ କାମ କରିଛନ୍ତି । ଭ୍ରଷ୍ଟାଚାରୀ କଂଗ୍ରେସ ଦଳକୁ ଆଜି ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି ।
ମୋଦି ଜୀଙ୍କ ବିକାଶମୁଖି କାର୍ଯ୍ୟ କଥା କହି ଯୋଗୀ କହିଲେ ଆଜି ପ୍ରତ୍ୟକ ଗରିବଙ୍କ ପାଖରେ ଜନ ଧନ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ ରହିଛି । ଜନଧନ ଯୋଜନାରେ ଖାତା ଖୋଲା ହେବା ପରେ ବିରୋଧୀ ଏହାକୁ ସମାଲୋଚନା କରିଥିଲେ । ତେଣୁ ବିରୋଧୀଙ୍କୁ ତାତ୍ସଲ୍ୟ କରି ଯୋଗୀ କହିଲେ, ଯେତେବେଳେ ଉଜ୍ଜଳା ଗ୍ୟାସ୍ର ସବ୍ସିଡି ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାକୁ ଦିଆଗଲା ସେତେବେଳେ ବିରୋଧୀଙ୍କ ମୁହଁ ଚୁପ୍ ହୋଇଗଲା । ଏହା ସହ ଆହୁରି ମଧ୍ୟ କହିଲେ ଯେ, ୨୪ ଫେବ୍ରୁଆରୀରେ କେନ୍ଦ୍ର ସରକାରଙ୍କ କିଷାନ୍ ନିଧୀ ଯୋଜନାରେ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯିବ ।
ମୋଦି ସରକାରଙ୍କ ସଫଳତା ବଖାଣିବା ସହ ଯୋଗୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୨ ସୁଦ୍ଧା ପ୍ରତ୍ୟେକ ଗରିବଙ୍କୁ କେନ୍ଦ୍ର ସରକାର ପକ୍କା ଘର ଯୋଗାଇଦେବେ । ଅନ୍ୟପଟେ ରାଜ୍ୟରେ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ଯୋଗୀ । କହିଲେ ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ଲୋକଙ୍କୁ ଘର ଖଣ୍ଡିଏ ଯୋଗାଇ ପାରିନାହାନ୍ତି । ୧୯ ବର୍ଷରେ ମାତ୍ର ୧୭ ଲକ୍ଷ ପକ୍କା ଘର ଯୋଗାଇଛନ୍ତି ନବୀନ । ନବୀନ ସରକାରଙ୍କୁ ତାତ୍ସଲ୍ୟ କରି କହିଛନ୍ତି ଯେ, ୟୁପିରେ ମାତ୍ର ୨ ବର୍ଷ ହେବ ବିଜେପି ସରକାର ଆସିଥିଲେ ମଧ୍ୟ ଗରିବାଙ୍କୁ ୨୦ ଲକ୍ଷ ପକ୍କା ଘର ଯୋଗାଇ ଦେଇଛି ।
ମୋଦି ସରକାର ଆସିବ ପରେ ଉଜ୍ଜଳା ଯୋଜନା ମାଧ୍ୟମରେ ଗରିବଙ୍କୁ ମାଗଣା ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଇଛି । ଏହା ଦ୍ୱାରା ଅନେକ ଗରିବ ମହିଳାଙ୍କର ମଙ୍ଗଳ ହୋଇଛି । ଏହା ସହ ମାଗଣା ବିଜୁଳି ଓ ମାଗଣା ଘର ମଧ୍ୟ ଗରିବଙ୍କୁ ଯୋଗାଇ ଦିଆଯାଇଛି । ଦୀର୍ଘ ଦିନ ଧରି କଂଗ୍ରେସ ଶାସନରେ ରହିଥିବା ବେଳେ ଯେତିକି ପରିମାଣର ଲୋକ ରନ୍ଧନ ଗ୍ୟାସ ବ୍ୟବହାର କରୁଥିଲେ ତାଠାରୁ ଅନେକ ଗଣା ଅଧିକ ଗ୍ୟାସ୍ ବଣ୍ଟନ କରିଛନ୍ତି ମୋଦି ସରକାର ବୋଲି କହିଛନ୍ତି ଯୋଗୀ ।
ଟଙ୍କିକିଆ ଚାଉଳ ଦେଇ ରାଜ୍ୟ ସରକାର ବାହା ବାହା ନେଉଥିବା ବେଳେ ଏହାର ପର୍ଦ୍ଦାଫାସ୍ କରିଛନ୍ତି ଯୋଗୀ । ଯୋଗୀ ସିଧାସଳଖ କହିଛନ୍ତି ଯେ, ନବୀନ ସରକାର ଗରିବଙ୍କୁ ଯେଉଁ ଟଙ୍କିକିଆ ଚାଉଳ ହେଉଛନ୍ତି ସେଥିରେ କେନ୍ଦ୍ର ସରକାର ୨୯ ଟଙ୍କା ଦେଉଛନ୍ତି ।
ଆୟୁଷ୍ମାନ ଭାରତ ଯୋଜନା କଥା ମଧ୍ୟ କହିଛନ୍ତି ଯୋଗୀ । କହିଲେ ଏହି ଯୋଜନା ମାଧ୍ୟମରେ ଦେଶରେ ୫୦ କୋଟି ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇବାର ବ୍ୟବସ୍ଥା କରିଛନ୍ତି ମୋଦି ସରକାର ।
କିଷାନ୍ ନିଧୀ କଥା ମଧ୍ୟ କହିଛନ୍ତି ଯୋଗୀ । କହିଲେ ଏହି ଯୋଜନା ମାଧ୍ୟ କୃଷକଙ୍କ ଦୁଃଖ ଦୂର ହୋଇପାରିବ । ପ୍ରତ୍ୟେକ ୪ ମାସରେ ୨ ହଜାର ଟଙ୍କା ଲେଖାଏଁ ବର୍ଷକୁ ୬ ହଜାର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଦିଆଯିବ । କେନ୍ଦ୍ର ସରକାର ଏହି ଯୋଜନାରେ କୃଷକଙ୍କ ପାଇଁ ଏକ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା ମଧ୍ୟ କରିଛନ୍ତି । ବଜେଟରେ ମଧ୍ୟ ଉପସ୍ଥାପନ କରିଛନ୍ତି ।
କିନ୍ତୁ ନବୀନ ସରକାର ଯେଉଁ କାଳଳିଆ ଯୋଜନା କରିଛନ୍ତି ଏହା ପାଇଁ କୌଣସି ନିର୍ଦ୍ଦିଷ୍ଟ ପାଣ୍ଠିର ବ୍ୟବସ୍ଥା କରିନାହାନ୍ତି । ଏହି ଯୋଜନା ଉପରେ କୌଣସି ଭରସା ମଧ୍ୟ ନାହିଁ ବୋଲି କହି ତାତ୍ସଲ୍ୟ କରିଛନ୍ତି ଯୋଗୀ ।
ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ଯୋଗୀ । ସେ କହିଛନ୍ତି ଧର୍ମେନ୍ଦ୍ରଙ୍କ ବିକାଶମୁଖି ଚିନ୍ତାଧାରା ଯୋଗୁଁ ଆଜି ଲୋକଙ୍କ ନିକଟରେ ପାଇପ୍ ଯୋଗେ ଗ୍ୟାସ୍ ଯୋଗାଇବାର ସୁବିଧା କରାଯାଇଛି । ଏହାଦ୍ୱାରା ଲୋକଙ୍କ ନିକଟରେ ସୁବିଧାରେ ଗ୍ୟାସ୍ ପହଞ୍ଚି ପାରିବ ।
ତେବେ ଶେଷରେ ମୋଦି ଜୀଙ୍କୁ ପୁଣି ଥରେ ପ୍ରଶଂସା କରିବା ସହ ଆଉ ଥରେ ପ୍ରଧାନମନ୍ତ୍ରୀ କରାଇବା ପାଇଁ ଆହ୍ୱାନ ଦେଇଛନ୍ତି ଯୋଗୀ । ଯୋଗୀ କହିଛନ୍ତି ଯେ, ଦେଶକୁ ବିକାଶର ଶିଖରରେ ପହଞ୍ଚାଇବାକୁ ହେଲେ ଆମକୁ ପୁଣିଥରେ ମୋଦି ସରକାର ଦରକାର, ମୋଦି ଜୀଙ୍କ ଭଳି ପ୍ରଧାନମନ୍ତ୍ରୀ ଆବଶ୍ୟକ । ମୋଦି ସରକାରଙ୍କୁ ଡବଲ୍ ଇଞ୍ଜିନ୍ ସରକାର ବୋଲି ମଧ୍ୟ କହିଛନ୍ତି ଯୋଗୀ ।
ବୁଥ୍ ସ୍ତରୀୟ କର୍ମୀଙ୍କୁ ପଞ୍ଚାୟତ ନିର୍ବାଚନରେ ସଫଳତା ପାଇଁ ଧନ୍ୟବାଦ ଦେବା ସହ ଆଗାମୀ ନିର୍ବାଚନରେ ନିଜ ବୁଥ୍କୁ ସବୁଠୁ ମଜ୍ଭୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଯୋଗୀ । ମୋଦି ଜୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ହେଲେ ବୁଥ୍ ସ୍ତରୀୟ କମିଟିକୁ ମଜ୍ଭୁତ୍ କରିବାକୁ ହେବ ବୋଲି କହିଛନ୍ତି ।