May 19, 2024

କଂଗ୍ରେସ ତ୍ରୁଟି ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ କର୍ତ୍ତାରପୁର ଆଜି ପାକିସ୍ତାନରେ : ନରେନ୍ଦ୍ର ମୋଦି

1 min read
Narendra-Modi-Aajira-Odisha

ଆଓରି-ନୂଆଦିଲ୍ଲୀ(୦୪/୧୨) : ଗୁରୁ ନାନକ ଦେବଙ୍କ ପବିତ୍ର ପୀଠ କର୍ତ୍ତାରପୁରକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ଦଳର ତ୍ରୁଟି ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ ଆଜି କର୍ତ୍ତାରପୁର ପାକିସ୍ତାନରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗୁରୁ ନାନକ ଦେବଙ୍କ ପବିତ୍ର ପୀଠ କର୍ତ୍ତାରପୁରକୁ ନେଇ ଗତ କିଛି ଦିନ ହେବ ଭାରତ -ପାକିସ୍ତାନ ରାଜନୀତି ଯୋର ଧରିଥିବା ବେଳେ କରିଡର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବା ଓ ନ ଦେବା ନେଇ କଂଗ୍ରେସ ରାଜନୀତି ମଧ୍ୟ ବେଶ୍‌ ସରଗରମ ରହିଥିଲା। ବିଶେଷ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ସେହି କାର୍ଯ୍ୟକ୍ରମରେ ଯୋଗ ନଦେବା ପାଇଁ ସିଧାସଳଖ ମନା କରି ଦେଇଥିବା ବେଳେ ତାଙ୍କ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କର୍ତ୍ତାରପୁର କରିଡରର ଶିଳାନ୍ୟାସ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ।

ଏହାକୁ ନେଇ ପଞ୍ଜାବ କଂଗ୍ରେସ ରାଜନୀତି ଚର୍ଚ୍ଚାରେ ରହିଥିବା ବେଳେ ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ ହନୁମାନଗଡ଼ରେ ଏକ ସାଧାରଣ ସଭାରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦି ଗୁରୁ ନାନକଙ୍କ ପୀଠ କର୍ତ୍ତାରପୁର ପାକିସ୍ତାନରେ ରହିବା ନେଇ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଯେ କଂଗ୍ରେସ ଦଳର ନେତାମାନଙ୍କର ତ୍ରୁଟି ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ କର୍ତ୍ତାରପୁର ଭାରତ ପାକିସ୍ତାନ ବିଭାଜନ ସମୟରେ ପାକିସ୍ତାନରେ ରହିଗଲା। କଂଗ୍ରେସ ଦଳର ତ୍ରୁଟି ଅାମ ଭାଗ୍ୟ ନିର୍ଦ୍ଧାରଣ କଲା। କର୍ତ୍ତାରପୁର କରିଡ଼ର ନିର୍ମାଣ କାର୍ଯ୍ୟ ଗତ ୭୦ ବର୍ଷ ମଧ୍ୟରେ କଂଗ୍ରେସ ଦଳ କରି ନ ଥିଲା। ତାହା ଭାରତୀୟ ଜନତା ପାର୍ଟି କ୍ଷମତାସୀନ ହେବା ପରେ ଆରମ୍ଭ ହେଲା ବୋଲି ଶ୍ରୀ ମୋଦି କହିଛନ୍ତି। ଅତି ସହଜରେ କହିବାକୁ ଗଲେ କଂଗ୍ରେସ ଦଳର ନେତାମାନଙ୍କର ଗୁରୁ ନାନକ ଦେବଙ୍କ ଗୁରୁତ୍ୱ ଉପରେ କୌଣସି ଧାରଣା ନ ଥିବାରୁ ଆଜି କର୍ତ୍ତାରପୁର ପାକିସ୍ତାନରେ ରହିଛି ବୋଲି ଶ୍ରୀ ମୋଦି ଅଭିଯୋଗ କରିଛନ୍ତି

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.