May 19, 2024

ପିପିଲି ପୀଡ଼ିତାଙ୍କ ପରିବାରକୁ ଭେଟି ୭ଦିନଆ ଆନ୍ଦୋଳନକୁ ଓହ୍ଲାଇବ ଭାଜପା ମହିଳା ମୋର୍ଚ୍ଚା

1 min read
Mahila-Morcha-Pipili-Aajira-Odisha

ଆଓରି-ଭୁବନେଶ୍ଵର(୨୮/୧୨) : ପିପିଲି ଗଣବଳାତ୍କାର ଓ ହତ୍ୟା ମାମଲାରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିବାଦୀୟ ବୟାନକୁ ନେଇ ଭାଜପା ମହିଳା ମୋର୍ଚ୍ଚା ଦୃଢ଼ ନିନ୍ଦା କରିଛି। ଗୁରୁବାର ସକାଳେ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ପୀଡିତାଙ୍କ ଘର ପିପିଲି ଅର୍ଜୁନଗୋଦା ଗାଁକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧି ଦଳରେ ଭାଜପା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା, ନେତ୍ରୀ ଅପରାଜିତା ଷଡ଼ଙ୍ଗୀ, ଭାଜପା ରାଜ୍ୟ ଉପସଭାପତି ସମୀର ମହାନ୍ତି, ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଥିଲେ। ସେମାନେ ପୀଡିତାଙ୍କ ପରିବାର ଲୋକଙ୍କୁ ଆଶ୍ୱାସନା ଦେବା ସହ ନ୍ୟାୟ  ପାଇଁ ଭାଜପା ମହିଳା ମୋର୍ଚ୍ଚା ଲଢେଇ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।  ସନ୍ଧ୍ୟାରେ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ପରିଡ଼ାଙ୍କ ନେତୃତ୍ୱରେ ୩ଶହରୁ ଊର୍ଦ୍ଧ୍ୱ ମହିଳା କର୍ମୀ କ୍ୟାଣ୍ଡେଲ ଶୋଭାଯାତ୍ରା କରି ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରିଥିଲେ। ମନ୍ତ୍ରୀ ମହାରଥୀଙ୍କ ବାସଭବନ ପୂର୍ବରୁ ପୋଲିସ ସେମାନଙ୍କୁ ଅଟକାଇଥିଲା। ସେମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ବିଭିନ୍ନ ନାରାବାଜି ଦେଇଥିଲେ।

ପ୍ରଭାତୀ ପରିଡା କହିଛନ୍ତି, ପିପିଲି ଗଣବଳାତ୍କାର ଓ ହତ୍ୟା ମାମଲାର ସମସ୍ତ ଦୋଷୀ ପ୍ରଦୀପ ମହାରଥୀଙ୍କ ଭଳି ବାହୁବଳି ମନ୍ତ୍ରୀମାନଙ୍କ ବାହୁଛାୟା ତଳେ ରହି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ମନ୍ତ୍ରୀଙ୍କ ବୟାନ ସମସ୍ତ ମହିଳା ସମାଜ ପ୍ରତି ଅସମ୍ମାନ। ତେଣୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ। ଏଥିପାଇଁ ଲଗାତର ୭ ଦିନ ଧରି ରାଜ୍ୟ ସାରା ଆନ୍ଦୋଳନ କରାଯିବ। ପୀଡିତାଙ୍କ ପରିବାରକୁ ନ୍ୟାୟ ଓ ମହାରଥୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରା ନ ଯିବା ପର୍ଯ୍ୟନ୍ତ  ଆନ୍ଦୋଳନ ଜୋର୍‌ଦାର ହେବ। ଏବେ ପୀଡିତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଦରକାର। ପୀଡିତାଙ୍କ ମା’ ସିବିଆଇ ତଦନ୍ତ ଓ ଝିଅକୁ ନ୍ୟାୟ ମିଳୁ ବୋଲି କହିଛନ୍ତି। ତଦନ୍ତ ଆଳରେ ଶାସକ ଦଳ କ୍ରାଇମବ୍ରାଞ୍ଚକୁ ଲଗାଇ ପ୍ରମାଣ ନଷ୍ଟ କରୁଛି ବୋଲି ପ୍ରଭାତି ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ଲୋକଙ୍କ ପାଖରୁ ବିରୋଧୀ ଦୂରେଇ ଗଲେଣି। ସେମାନଙ୍କ ପାଖରେ କିଛି କାର୍ଯ୍ୟକ୍ରମ ନାହିଁ। ଅସୂୟା ମନୋଭାବ ରଖି ବିରୋଧୀ ଏଭଳି ଇସ୍ୟୁକୁ ଡେଇଁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.