May 19, 2024

ଅର୍ଗସ ଗଣମାଧ୍ୟମ ପ୍ରତିନିଧୀଙ୍କୁ ବିଜେଡି କାର୍ଯ୍ୟକର୍ତ୍ତାଙ୍କର ଆକ୍ରମଣ ଘଟଣାକୁ ନିନ୍ଦା କଲା ବିଜେପି

1 min read

ଆଓରି-ଭୁବନେଶ୍ଵର(୨୦/୦୭) : ଅର୍ଗସ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛି ବିଜେପି । ରାଜ୍ୟରେ ଗଣମାଧ୍ୟର କଣ୍ଠରୋଧ କରାଯାଉଥିବା ଅଭିଯୋଗ କରିବା ସହ ବିଜେପି ଏଥିପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ।

ବିଜେପି ଅଭିଯୋଗ କରିଛି ଯେ, ଓଡ଼ିଶାରେ ଚତୁର୍ଥସ୍ୱମ୍ଭ ଉପରେ ବାରମ୍ବାର ଆକ୍ରମଣ ହୋଇଚାଲିଛି । ପ୍ରତିଦିନ ସାମ୍ବାଦିକମାନଙ୍କୁ ଆକ୍ରମଣ ଘଟଣା ଖବରକାଗଜରେ ପ୍ରକାଶ ପାଉଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରାଯାଉଛି । ଏହା ପରେ ବି ଗୃହ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେବା ତ ଦୂରର କଥା ମୁଖ୍ୟମନ୍ତ୍ରୀ ଘଟଣାକୁ ନିନ୍ଦା ଟିକିଏ ବି କରୁନାହାଁନ୍ତି ବୋଲି କହିଛି ବିଜେପି । ମା’ କୁ ସମ୍ମାନ ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟର ମହିଳାମାନଙ୍କୁ ସବୁ ସମୟରେ ଅସମ୍ମାନ କରିଚାଲିଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛି ବିଜେପି ।

ପାଟକୁରା ବିଧାନସଭା ମଣ୍ଡଳୀରେ ନିର୍ବାଚନ କଭରେଜ କରୁଥିବା ଅର୍ଗସ ଗଣମାଧ୍ୟମର ମହିଳା ସାମ୍ବାଦିକା ସ୍ୱାତୀ ଜେନା, କ୍ୟାମେରାମ୍ୟାନ  ଜିତେନ୍ଦ୍ର ମଲ୍ଲିକ୍‌ ଏବଂ ଡ୍ରାଇଭର ତପନ ମହାଲିକ୍‌ଙ୍କୁ ବିଜେଡି କାର୍ଯ୍ୟକର୍ତ୍ତାମାନେ ଆକ୍ରମଣ କରିଛନ୍ତି । ଆସନ୍ତାକାଲି ପାଟକୁରା ନିର୍ବାଚନ ହେବାକୁ ଥିବାବେଳେ ଆଜି ବିଜେଡି କର୍ମୀମାନେ ଖୁଲମ ଖୁଲା ଟଙ୍କା ବାଂଟିବାର ଖବର ପାଇ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ମହିଳା ସାମ୍ବାଦିକାଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଛନ୍ତି । ଏହା ସହ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଇଛନ୍ତି । ଜଣେ କର୍ତ୍ତବ୍ୟରତ ସାମ୍ବାଦିକାଙ୍କ ଉପରେ ଶାସକ ଦଳ ଦ୍ୱାରା ଏଭଳି ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ପାଟକୁରା ପ୍ରଚାର କାର୍ଯ୍ୟକ୍ରମକୁ ଯାଇଥିବା ସମୟରେ ଏକ ଘରୋଇ ଟିଭି ନ୍ୟୁଜ୍‌ ଚ୍ୟାନେଲର ସାମ୍ବାଦିକଙ୍କୁ କେନ୍ଦ୍ରପଡା ଏସପି ଧକ୍କା ମାରିବା ସହ ର୍ଦୁବ୍ୟବହାର କରିଥିଲେ । ବିଜେଡି ଦଳର ବିଧାୟକଙ୍କ ସାମ୍ନାରେ ସମସ୍ତ ଘଟଣା ଘଟିଥିଲେ ବି ସଂପୃକ୍ତ ବିଧାୟକ ନିରବଦ୍ରଷ୍ଟା ସାଜିଥିଲେ । ଏହା ପରେ ବିଧାନସଭା ଗୃହରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମୌନବ୍ରତ ଧାରଣ କରିଛନ୍ତି ।

ଗତ କିଛିଦିନ ତଳେ ସାଂସଦ ଅନୁଭବ ମହାନ୍ତି ଜଣେ ମହିଳା ସାମ୍ବାଦିକାଙ୍କୁ ର୍ଦୁବ୍ୟବହାର ଦେଖାଇଛନ୍ତି । ପୂର୍ବରୁ ଭୁବନେଶ୍ୱର ପଟିଆ ଠାରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଜମି ହଡପ ଘଟଣାରେ ସାମ୍ବାଦିକଙ୍କୁ ଆକ୍ରମଣ, ବାଲେଶ୍ୱରର ନୀଳଗିରି ଠାରେ ବେଆଇନ କାଠ କାରବାର ଦେଖାଇବା ଘଟଣାରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିଲା । ସେହିପରି ପଟ୍ଟାମୁଣ୍ଡାଇ, ଅସ୍ତରଙ୍ଗ, ପୁରୀ, ଖୋର୍ଦ୍ଧା ଆଦି ଅନେକ ସ୍ଥାନରେ ସାମ୍ବାଦିକମାନଙ୍କୁ ଆକ୍ରମଣ ହେବା ସତ୍ତ୍ୱେ ବି ଶାସକ ଦଳର ଇଙ୍ଗିତରେ ପୋଲିସ ପ୍ରଶାସନ ଚୁପ୍ ବସିଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି, ମୁଖ୍ୟମନ୍ତ୍ରୀ ହେଉଛନ୍ତି ଅଭ୍ୟାସଗତ ଗଣମାଧ୍ୟମ ବିରୋଧୀ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।

ମହିଳା ସାମ୍ବାଦିକାମାନେ ରାଜ୍ୟରେ ସୁରକ୍ଷିତ ନାହାଁନ୍ତି । ରାଜ୍ୟରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ କଥା କହୁଥିବା ମୁଖ୍ୟମନ୍ତ୍ରୀ ଆଜି ଉତ୍ତର ରଖନ୍ତୁ କି କେତେ ଦିନ ଧରି ରାଜ୍ୟର ସାମ୍ବାଦିକମାନଙ୍କୁ ଏଭଳି ଆକ୍ରମଣ ହୋଇ ଚାଲିବ ? ଆଜି ପାଟକୁରାରେ ଘଟିଥିବା ଘଟଣାର ତଦନ୍ତ କରି ଘଟଣାର ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ସହ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.