ଆସିକା ସ୍କୁଲରେ ବିସ୍ଫୋରଣ, ୨ ଛାତ୍ର ଗୁରୁତର
1 min read
ଆଓରି-ଭୁବନେଶ୍ଵର(୨୦/୦୭) : ଗଞ୍ଜାମ ଜିଲା ଆସିକା ଥାନା କୋଟିନଡ଼ା ଫାଣ୍ଡି ଅନ୍ତର୍ଗତ ମାଗୁରା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ସକାଳ ପ୍ରାୟ ସାଢ଼େ ୯ଟାରେ ବୋମା ବିସ୍ଫୋରଣଘଟି ୨ ଛାତ୍ର ଗୁରୁତର ହୋଇଛନ୍ତି। ସେମାନେ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ର ଚନ୍ଦନ ସ୍ଵାଇଁ ଏବଂ ସପ୍ତମ ଶ୍ରେଣୀ ଛାତ୍ର ରାଜା ନାୟକ।
ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବବିତା ଆଚାର୍ଯ୍ୟଙ୍କ କହିବା ଅନୁସାରେ, ଶନିବାର ସକାଳୁଆ ସ୍କୁଲ ଥିଲା। ବିଦ୍ୟାଳୟର ସମୁଦାୟ ୮ଟି ଶ୍ରେଣୀର ୬୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଶନିବାର ୫୩ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ୯ଟାରୁ ସାଢ଼େ ୯ଟା ମଧ୍ୟରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ବିରତି ସମୟ ଚାଲିଥିଲା। ଏହି ସମୟରେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ପରିସରରେ ଥିବା ଶୌଚାଳୟ ଆଡ଼କୁ ଯାଇଥିଲେ। ଉକ୍ତ ସମୟରେ ଶୌଚାଳୟ ସଂଲଗ୍ନ ପଡ଼ିଆରେ ପୋତାଯାଇଥିବା ବୋମାକୁ ଛାତ୍ର ଦ୍ୱୟ ଦେଖିବା ପରେ ତାକୁ ଖୋଳିବାରୁ ଏହି ବିସ୍ଫୋରଣ ଘଟିଥିଲା। ଆହତ ଛାତ୍ର ଦ୍ୱୟଙ୍କୁ ପ୍ରଥମେ ଚିକିତ୍ସା ଲାଗି ଆସିକା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ଖବର ପାଇଁ ଆସିକା ପୋଲିସ ଏସ୍ଡିପିଓ ସୂର୍ଯ୍ୟମଣୀ ପ୍ରଧାନ, ତହସିଲଦାର ସୁବାଶ ଚନ୍ଦ୍ର ସେଠୀଆ, ଥାନା ଅଧିକାରୀ ପିତବାସ ଧାରୁଆ, ବିଡିଓ ଗାୟତ୍ରୀ ଦତ୍ତ ନାୟକ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରଣସ୍ଥଳରୁ ପୋଲିସ ମାଟି ସଂଗ୍ରହକରି ପରୀକ୍ଷା ପାଇଁ ପଠାଇବ ବୋଲି କହିଛି। ଏହି ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏହା ବୋମା ନୁହେଁ ବରଂ ଡିଟୋନେଟର ବୋଲି ଏସ୍ଡିପିଓ ପ୍ରଧାନ କହିଛନ୍ତି।
ପ୍ରକାଶ ଯୋଗ୍ୟ, ପୂର୍ବରୁ କଟକ ସଦର ବ୍ଲକ ଅନ୍ତର୍ଗତ ଆୟତପୁର ହାଇସ୍କୁଲର ନବମ ଶ୍ରେଣୀ ଗୃହରେ ବୋମା ବିସ୍ଫୋରଣ ଘଟି ୨୮ ଛାତ୍ରୀଛାତ୍ର ଆହତ ହୋଇଥିଲେ। ଜଣେ ଛାତ୍ର ବ୍ୟାଗରେ ବୋମା ରଖିଥିବା ବେଳେ ହଠାତ୍ ତାହା ବିସ୍ଫୋରଣ ଘଟିଥିଲା। ଏହି ଘଟଣା ପାଇଁ ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ କ୍ଷତିଗ୍ରସ୍ତ ପିଲାଙ୍କୁ ଆର୍ଥିକ ସହାୟତା ଦିଆଯାଇଥିଲା। ପରେ ଅଭିଯୁକ୍ତ ଛାତ୍ର ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଯାଇଥିଲେ।