ରାଜ୍ୟ

ଭୁବନେଶ୍ୱରରୁ ଜଗଦଲପୁର ଏବଂ ଜୁନାଗଡ଼କୁ ଟ୍ରେନ୍ ଚଳାଚଳ କରିବା ଲାଗି ପିୟୂଷ ଗୋଏଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୧୯/୦୭) : ଭୁବନେଶ୍ୱରରୁ ଜଗଦଲପୁର ଏବଂ ଭୁବନେଶ୍ୱରରୁ ଜୁନାଗଡ଼କୁ ଦୁଇଟି ପୃଥକ ଟ୍ରେନ୍ ଚଳାଚଳ କରିବା ଲାଗି ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଦୁଇଟି ଟ୍ରେନ୍ ଚଳାଚଳ ଲାଗି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଜୁନାଗଡ଼ ଅଂଚଳର ଲୋକମାନେ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି । ଏନେଇ ଶ୍ରୀ ପ୍ରଧାନ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଲେଖିଥିବା ତାଙ୍କ ପତ୍ରରେ ଦର୍ଶାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ୱରରୁ ଯାଉଥିବା ଟ୍ରେନ୍‌ରୁ ୧୦ଟି ବଗି ରାୟଗଡ଼ା ଷ୍ଟେସନରେ ଅଲଗା ହୋଇ ଜୁନାଗଡ଼ ଅଭିମୁଖେ ଯାଉଛି । ଅବଶିଷ୍ଟ ୧୨ଟି ବଗି ଜଗଦଲପୁର ଅଭିମୁଖେ ଯାତ୍ରା କରୁଛି । ଫେରିବା ସମୟରେ ଉଭୟ ଜଗଦଲପୁର ଏବଂ ଜୁନାଗଡ଼ରୁ ଆସୁଥିବା ଭିନ୍ନ ଭିନ୍ନ ଟ୍ରେନ୍ ରାୟଗଡା ଷ୍ଟେସନରେ ଗୋଟିଏ ଇଞ୍ଜିନରେ ଯୋଡ଼ି ହୋଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଛି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଉପରୋକ୍ତ ବ୍ୟବସ୍ଥା ବିଶେଷ ଭାବରେ କଳାହାଣ୍ଡି ଟ୍ରେନ୍ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଜଟିଳ ବ୍ୟବସ୍ଥା ସମ୍ପର୍କରେ ସଚେତନତା ନଥିବା ଯାତ୍ରୀମାନେ ଅନେକ ସମୟରେ ସଠିକ୍ ବଗିରେ ଚଢ଼ିପାରୁ ନାହାନ୍ତି । ତେଣୁ ଉପରୋକ୍ତ ପ୍ରସ୍ତାବକୁ ସ୍ୱୀକୃତୀ ଦେଲେ ରାଜଧାନୀ ଭୁବନେଶ୍ୱର ଓ କଳାହାଣ୍ଡି ମଧ୍ୟରେ ଯାତାୟତ ଲାଗି ଯାତ୍ରୀଙ୍କ ଆଗ୍ରହ ଅଧିକ ଥିବାରୁ ଟ୍ରେନରେ ଯାତ୍ରୀ ଭିଡ଼ ଅଧିକ ରହିବ ଏବଂ ପୂର୍ଣ୍ଣ ଯାତ୍ରୀ କ୍ଷମତାରେ ଚଳାଚଳ କରିବ । ଏହାବ୍ୟତିତ ଯାତ୍ରୀଙ୍କ ପାଇଁ ଅଧିକ ସଂଖ୍ୟକ ସଂରକ୍ଷିତ ବଗି ଉପଲବ୍ଧ ହୋଇପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Related Articles

Leave a Reply

Your email address will not be published. Required fields are marked *

Back to top button