May 19, 2024

ବାର୍ଡ ଫ୍ଲୁ ଆଶଙ୍କା ; ପ୍ରଥମ ଦିନ ୨ଟି ଫାର୍ମରୁ ମରାହେଲା ୩୯୯ କୁକୁଡା

1 min read
Bird-Flue-Aajira-Odisha

ଆଓରି-ଭୁବନେଶ୍ଵର(୧୫/୧୨) : ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପୁରୀ ଜିଲାରେ ଆତଙ୍କ ଖେଳିଯାଇଛି। ଜିଲା ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଶୁକ୍ରବାରଠାରୁ କୁକୁଡ଼ାମରା ଅଭିଯାନ ଆରମ୍ଭ କରିଛି। ପ୍ରଥମ ଦିନରେ ୫ଟି ଟିମ୍‌ କୃଷ୍ଣପ୍ରସାଦ ବ୍ଲକ ବୁଦ୍ଧିବର ପଞ୍ଚାୟତର ସଂକ୍ରମିତ ଗାଁ ସାନସାହି ଓ ପଥରଗଞ୍ଜରେ ଥିବା ୨ଟି ଫାର୍ମରୁ ୩୯୯ କୁକୁଡ଼ା ମାରିଛନ୍ତି। ପୋଲିସ ଉପସ୍ଥିତିରେ ଏବଂ ଜନସାଧାରଣଙ୍କ ସହମତିରେ ମରାଯାଇଥିବା ଏହି କୁକୁଡାଗୁଡ଼ିକୁ ଜନବସତି ଏବଂ ଜଳାଶୟଠାରୁ ଦୂରରେ ଗାତ ଖୋଳି ପୋତି ଦିଆଯାଇଛି। ଶନିବାରଠାରୁ ପ୍ରଭାବିତ ଗାଁ ଏବଂ ଏହାର ୧ କିମି ମଧ୍ୟରେ ଥିବା ଫାର୍ମ ଏବଂ ଘରୋଇ କୁକୁଡ଼ା ମରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଶୁକ୍ରବାର ସକାଳ ପ୍ରାୟ ସାଢେ ୮ଟାରେ ୮ଟି ରାପିଡ୍‌ ରେସପନ୍ସ ଟିମ୍‌ (ଆରଆରଟି) ମାଲୁଦରେ ପହଞ୍ଚିଥିଲେ। ସେଠାରୁ ପ୍ରଥମେ ପ୍ରଭାବିତ ଗାଁ ସାନସାହିକୁ ଯାଇଥିଲେ। ଗାଁଠୁ ଦେଢ କିମି ଦୂରରେ ଥିବା ବିଜୟ ଗୌଡ଼ଙ୍କ କୁକୁଡ଼ା ଫାର୍ମରୁ କୁକୁଡା ମରା ଅଭିଯାନ ଆରମ୍ଭ କରି ୩୭୩ଟି କୁକୁଡ଼ା ମାରିଥିଲେ। ମୃତ କୁକୁଡ଼ା, ଦାନା, କୁଣ୍ଡ ଆଦି ଜନବସତିଠାରୁ ୧ କିମି ଦୂର ଏକ ପଡ଼ିଆରେ ଗାତ ଖୋଳି ଚୂନ, ବ୍ଲିଚିଂ ଓ ଫିନାଇଲ ପକାଇ ପୋତିଥିଲେ। ଏହାପରେ ଟିମ୍‌ ପଥରଗଞ୍ଜ ଗାଁରେ ପହଞ୍ଚିଥିଲା। ଗାଁଠୁ ୧ କିମି ଦୂରରେ ଥିବା ବିଶ୍ୱାଳ ଫାର୍ମରୁ ୨୬ଟି କୁକୁଡ଼ା ମରାଯାଇ ସେହି ଗାତରେ ପୋତା ଯାଇଥିଲା। ପ୍ରଥମ ଦିନର ଅଭିଯାନ ସାରି ଟିମ୍‌ ମାଲୁଦ ପଞ୍ଚାୟତ ନିକଟ ଫତେପୁର ଗାଁରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ଫେରିଛନ୍ତି। ଏହି ଟିମ୍‌ ୧୦ ଦିନ ସେଠାରେ ରହି କୁକୁଡାମରା ସହିତ ଭୂତାଣୁ ନଷ୍ଟ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି।

ଏ ସମ୍ପର୍କରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଗିରିଜା ପ୍ରସାଦ ପଟ୍ଟନାୟକ କହିଛନ୍ତି, ପ୍ରଥମ ଦିନରେ ୨ଟି ଫାର୍ମରୁ ୩୯୯ଟି ବ୍ରଏଲର କୁକୁଡା ମରାଯାଇ ପୋତାଯାଇଛି। ଫାର୍ମ ମାଲିକଙ୍କୁ ପ୍ରତି କୁକୁଡା ପିଛା ୨୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ଏହା ବ୍ୟତୀତ ଏଚ୍‌ଫାଇଭଏନ୍‌ୱାନ୍‌ ଭୂତାଣୁ ଯେପରି ଅନ୍ୟ ଅଞ୍ଚଳକୁ ସଂକ୍ରମିତ ନ ହେବ ତାହା ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଶନିବାରଠାରୁ ପ୍ରଭାବିତ ସାନସାହି, ପଥରଗଞ୍ଜ, ମାଲୁଦ ଓ ନଳିତାକୁଦି ସମେତ ଏହାର ୧ କିମି ମଧ୍ୟରେ ଥିବା ଫାର୍ମ ଏବଂ ଘରୋଇ କୁକୁଡାଙ୍କୁ ମରାଯିବ। ନିକଟସ୍ଥ ବ୍ରହ୍ମଗିରି, କଣାସ, ଡେଲାଙ୍ଗ ଆଦି ବ୍ଲକର ଜନସାଧାରଣଙ୍କୁ କୁକୁଡ଼ା ମାଂସ ଓ ଅଣ୍ଡା ନ ଖାଇବା ଲାଗି ସତର୍କ କରାଯାଉଛି। ଅନ୍ୟପକ୍ଷରେ ବ୍ଲକ ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ରଶ୍ମିରଞ୍ଜନ ନନ୍ଦ କହିଛନ୍ତ, ସଂକ୍ରମିତ ଅଞ୍ଚଳ ନିକଟରେ ଚିଲିକା ରହିଛି। ନଳବଣକୁ ଏବେ ବିଦେଶାଗତ ପକ୍ଷୀ ଆସୁଛନ୍ତି। ତେଣୁ ନଳବଣକୁ ଯେପରି ଏହା ନ ବ୍ୟାପିବ ତାହା ଉପରେ ସତର୍କତା ଅବଲମ୍ବନ କରାଯାଉଛି। ୧୦ ଦିନ ମଧ୍ୟରେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି। ଶୁକ୍ରବାର କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି, ବ୍ରାହ୍ମଣଡିହ ଏବଂ ନନ୍ଦଳା ଗାଁରୁ ମୃତ କାଉ, କୁକୁଡ଼ାଙ୍କ ମଳ, ରକ୍ତ ସହିତ ଲୋକେ ବ୍ୟବହାର କରୁଥିବା ପାନୀୟ ଜଳର ପ୍ରାୟ ୭୦ଟି ନମୁନା ସଂଗ୍ରହ କରାଯାଇ ଫୁଲନଖରାସ୍ଥିତ ଗବେଷଣା କେନ୍ଦ୍ରକୁ ପଠାଯାଇଛି। ଏହାର ରିପୋର୍ଟ ଶନିବାର ସୁଦ୍ଧା ଆସିପାରେ ବୋଲି ନନ୍ଦ କହିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.