‘ହକି ହେ ଜିନ୍ଦେଗୀ’ ପୁସ୍ତକ ଉନ୍ମୋଚନ କଲେ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୧୫/୧୨) : ଓଡ଼ିଶାରେ ହକି ବିଶ୍ୱକପ ଚାଲିଥିବାବେଳେ ଓଡ଼ିଶାର ଜନଜାତୀ ହକି ଖେଳାଳିଙ୍କ କୃତି ଉପରେ ଆଧାରିତ ପୁସ୍ତକ ‘ହକି ହେ ଜିନ୍ଦେଗୀ’ ଉନ୍ମୋଚିତ ହୋଇଛି। ଦେଶର ଅନ୍ୟତମ ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ସତେନ୍ଦ୍ର ପାଲ ସିଂଙ୍କ ରଚିତ ଏହି ପୁସ୍ତକକୁ ଶୁକ୍ରବାର ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂ, ପୂର୍ବତନ ଭାରତୀୟ ଖେଳାଳି ଲାଜରୁସ ବାର୍ଲା ଓ ନ୍ୟାଶନାଲ ୟୁଥ୍ କୋଅପରେଟିଭ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜେଶ ପାଣ୍ଡେ ଉନ୍ମୋଚନ କରିଛନ୍ତି।
ଏହି ଅବସରରେ ଓଏନ୍ଜିସି ପକ୍ଷରୁ ଭାରତୀୟ ହକି ଦଳର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ”ବିଶ୍ୱ ଦରବାରରେ ଓଡ଼ିଆ ଖେଳାଳିଙ୍କର ସ୍ଵତନ୍ତ୍ର ସ୍ଥାନ ରହିଛି। ସେମାନେ ନିଜର ଦକ୍ଷତା ପ୍ରତିପାଦନ କରି ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିଛନ୍ତି। ସୁନ୍ଦରଗଡ଼ ଜିଲା ଓଡ଼ିଶା ହକି ଓ ଆଥଲେଟିକ୍ସର ପ୍ରାଣକେନ୍ଦ୍ର। ସେଠାରେ ଷ୍ଟାଡିୟମ ଅଭାବରୁ ଅଭ୍ୟାସ ପାଇଁ ପର୍ଯ୍ୟାପ୍ତ ସୁବିଧା ନ ଥିବାସତ୍ତ୍ୱେ ଖେଳାଳିମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ନିଜ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। ଓଡ଼ିଶା ଆସି ବିଭିନ୍ନ ସ୍ଥାନକୁ ଯାଇ ଖେଳାଳିଙ୍କ ଉପରେ ତଥ୍ୟ ସଂଗ୍ରହ କରି ଏପରି ଏକ ପୁସ୍ତକ ରଚନା କରିଥିବାରୁ ସତ୍ୟେନ୍ଦ୍ର ପାଲ ସିଂଙ୍କୁ ଯେତେ ପ୍ରଶଂସା କଲେ କମ୍ ହେବ“ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।
‘ହକି ହେ ଜିନ୍ଦେଗୀ’ ପୁସ୍ତକର ଓଡ଼ିଆ ଓ ଇଂଲିଶ୍ ଅନୁବାଦ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥର ନ ହେଲେ ମଧ୍ୟ ଭାରତ ଆସନ୍ତା ହକି ବିଶ୍ୱକପରେ ନିଶ୍ଚିତ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ”ଓଡ଼ିଶାର ଖେଳାଳିମାନେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ। ସେମାନେ କେତେବେଳେ ଦେଖେଇ ହେବାକୁ ପସନ୍ଦ କରି ନ ଥାନ୍ତି, ସବୁବେଳେ ଦୃଷ୍ଟି ଆଢ଼ୁଆଳରେ ରହିିଥାନ୍ତି, ତେଣୁ ଏହି ରାଜ୍ୟର ହକି ଖେଳାଳିଙ୍କ କୃତିକୁ ନେଇ ମୁଁ ଏହି ପୁସ୍ତକ ରଚନା କରିଥିବାରୁ ବହୁତ ଖୁସୀ“ ବୋଲି ସତ୍ୟେନ୍ଦ୍ରପାଲ କହିଛନ୍ତି।
ଏହି ଉତ୍ସବରେ ଅନ୍ୟ କ୍ରୀଡ଼ାବିତ୍ଙ୍କ ମଧ୍ୟରେ ପୂର୍ବତନ ହକି ଖେଳାଳି ଏ.ବି.ସୁବାୟା, ୱିଲିୟମ ଖାଲ୍କୋ, କ୍ରିକେଟର ଶିବସୁନ୍ଦର ଦାସ, ପରେଶ ପଟେଲ, ଅଲିମ୍ପିଆନ ଅନୁରାଧା ବିଶ୍ୱାଳ, ତାଙ୍କ କନ୍ୟା ପ୍ରତିଭା ସମ୍ପନ୍ନ ଶଟ୍ପୁଟର ଅଂଶିକା ରାଉତରାୟ, ଚେସ୍ ପ୍ରତିଭା ପ୍ରିୟାଂଶ ଦାସ ଓ ଶ୍ରେୟାଂଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।