May 19, 2024

ଚାଷୀଙ୍କୁ ଦାବି ପୁରଣ ନେଇ ପ୍ରତିଶ୍ରୁତି ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେଲେ ଓଡ଼ିଶାରେ ଓଲଟା

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୨୩/୧୧) : ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନ ଦେଖିବାକୁ ମିଳୁଛି । ଦେଶର ମେରୁ ଦଣ୍ଡ କୁହାଯାଉଥିବା ଚାଷୀଙ୍କୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି ବୋଲି ସବୁବେଳେ ଅଭିଯୋଗ ହେଉଛି । ପୂର୍ବରୁ ଓଡ଼ିଶାରେ ମଧ୍ୟ ଚାଷୀ ଆନ୍ଦୋଳନ ଉଗ୍ରରୂପ ନେଇଥିଲା । ସେହିଭଳି ମହାରାଷ୍ଟ୍ରରେ ମଧ୍ୟ ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ଚାଷୀମାନେ କୃଷି ଋଣ ଛାଡ଼ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚେଷ୍ଟା କରିଛନ୍ତି । ଓଡ଼ିଶାର ଚାଷୀଙ୍କ ଭଳି ମହାରାଷ୍ଟ୍ର ଚାଷୀ ମଧ୍ୟ ଦୀର୍ଘ ୪୦ କିଲୋମିଟର ପଦଯାତ୍ରା କରି ମୁମ୍ବାଇରେ ପହଞ୍ଚିଥିଲେ । ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୧୦ ହଜାର କୃଷକ ଏକାଠି ପଦଯାତ୍ରା କରି ମୁମ୍ବାଇରେ ପହଞ୍ଚିଥିଲେ । ସେମାନେ ବିଧାନ ଭବନଠାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ଭେଟି ନିଜର ସମସ୍ତ ଦାବି ଉପସ୍ଥାପନ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଫଡନବିଶ ଚାଷୀଙ୍କୁ ଭେଟିବା ସହ ସେମାନଙ୍କୁ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ଏବଂ ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ କିଛି ସମୟ ମଧ୍ୟ ମାଗିଛନ୍ତି ।

ସେହି ସମାନ ପରିସ୍ଥିତି ଓଡ଼ିଶାରେ ମଧ୍ୟ ଦେଖାଯାଇଥିଲା । ଓଡ଼ିଶା ଚାଷୀ ମଧ୍ୟ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ସବୁ ରାଜ୍ୟରେ ଚାଷୀଙ୍କ ଆୟ ଦିନକୁ ଦିନ ବଢୁଥିବା ବେଳେ ଓଡ଼ିଶା ଚାଷୀଙ୍କ ଆୟ କମିବାରେ ଲାଗିଛି । ଏହା କୌଣସି ମନଗଢା କାହାଣୀ ନୁହେଁ । ଖୋଦ୍‌ ରାଜ୍ୟ କୃଷିମନ୍ତ୍ରୀ ପଦୀପ ମହାରଥୀ ବିଧାନସଭାରେ ଦେଇଥିବା ରିପୋର୍ଟ ଏହା କହୁଛି । ଏହି  ଓଡ଼ିଶାର ଚାଷୀମାନେ ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନସନ୍‌ ଦାବି କରି କିଛି ରାଜ ରାସ୍ତାକୁ ଓହ୍ଲାଇଥିଲେ । ଏହା ସହ ରାଜ୍ୟ ସରକାରଙ୍କ ଆଗରେ ନିଜର ହକ୍‌ ପାଇଁ ଗର୍ଜନ କରିଥିଲେ  କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେସେବୁ ପ୍ରତି ଧ୍ୟାନ ଦେଇ ନାହାନ୍ତି ବୋଲି  ଚର୍ଚ୍ଚା ହେଉଛି । କାରଣ ଚାଷୀମାନେ ରାଜ୍ୟର ବିଭିନ୍ନ ସ୍ଥାନରୁ ପଦଯାତ୍ରା କରି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଏକାଠି ହେଉଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଭେଟିବା ତ ଦୂରର କଥା ଚାଷୀମାନଙ୍କୁ ଭୁବନେଶ୍ୱରରେ ପଶିବାକୁ ମଧ୍ୟ ଦେଇନଥିଲେ । ଏମତିକି ଚାଷୀଙ୍କୁ ଏକାଠି ହେବାକୁ ମଧ୍ୟ ସୁଯୋଗ ଦେଇନଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଚଷୀମାନଙ୍କ ପାଇଁ ଭୁବନେଶ୍ୱର ସମସ୍ତ ପ୍ରବେଶ ପଥକୁ ବନ୍ଦ କରିଦିଆଯାଇଥିଲା । ଭୁବନେଶ୍ୱର ଉପକଣ୍ଠରେ ଯେଉଁ ସ୍ଥାନରେ ଚାଷୀମାନେ ଏକାଠି ହେଉଥିଲେ ସେଠାରେ ୧୪୪ ଧାରା ଲଗାଇବା ସହ ପୋଲିସ ପ୍ରଶାସନ ଦ୍ୱାରା ସେଠାରେ ଲାଠିମାଡ଼ କରି ଚାଷୀଙ୍କୁ ଘଉଡ଼ାଇ ଦେଇଥିଲେ ସରକାର ।

ତେବେ ଏଠି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡନବିଶ ଚାଷୀଙ୍କ ଦାବିକୁ ସମ୍ମାନ ଜଣାଇ ତାଙ୍କ ସହ ଆଲୋଚନା କରିଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଠିମାଡ଼ କରି ଘଉଡ଼ାଇ ଦେଇଛନ୍ତି । ତେବେ ଏହି ଘଟଣା ପରେ ଚାଷୀଙ୍କ ମନରେ ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ମଉଳି ଯାଇଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଚାଷୀଙ୍କ ପ୍ରତି ଏଭଳି ବୈମାତୃକ ମନୋଭାବ ସମସ୍ତଙ୍କୁ ଚକିତ କରିଛି । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏଥିପାଇଁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଚାଷୀଙ୍କ ପ୍ରତି ଏଭଳି ବ୍ୟବହାର ଏବେ ବି ଓଡ଼ିଶାବାସୀ ସହଜରେ ହଜମ କରିପାରି ନାହାନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.