ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିର୍ଣ୍ଣୟକୁ ସ୍ଵାଗତ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୨୮/୭) : ଐତିହ୍ୟ କ୍ୟାବିନେଟର ବୈଠକରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିର୍ଣ୍ଣୟକୁ ସ୍ଵାଗତ ଜଣାଇଛନ୍ତି । ବହୁ ବିଳମ୍ବ ହେଲେ ମଧ୍ୟ ରାଜ୍ୟ ସରକାର ଓଡିଆ ଭାଷା, ସାହିତ୍ୟ, ସ୍ୱାଧୀନତା ସଂଗ୍ରାମ ତଥା ସମାଜ ସେବା ଓ ସଂସ୍କୃତି ପରମ୍ପରାର ଅନନ୍ୟ ପ୍ରେରଣାର କେନ୍ଦ୍ର ସତ୍ୟବାଦୀ ଠାରେ ଓଡିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଭାରତ ସରକାର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ତରଫରୁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାପାଇଁ ଶ୍ରୀ ପ୍ରଧାନ ବ୍ୟକ୍ତ କରିଛନ୍ତି |
ଓଡିଶାର ହଜାରହଜାର ବର୍ଷର ଲମ୍ବା ଐତିହ୍ୟ, ପରମ୍ପରା ଓ ବିରତ୍ୱର କାହାଣୀ ଖାଲି ଦେଶ ନୁହେଁ ସମଗ୍ର ବିଶ୍ୱକୁ ପ୍ରଭାବିତ କରିବାର କ୍ଷମତା ରଖୁଛି । ଐତିହ୍ୟ କ୍ୟାବିନେଟ ଓଡିଶାର କାହିଁ କେଉଁ ଅନାଦି ଅନନ୍ତ କାଳରୁ ରାଜ୍ୟରେ ବିକଶିତ ହୋଇ ଓଡିଆ ମାନଙ୍କୁ ଅନନ୍ୟ ପରିଚୟ ଦେଇଥିବା ବ୍ୟକ୍ତି ସମୂହ ଓ ଘଟଣାଚକ୍ରର ମହାନତାକୁ ବିଶ୍ୱର ନୂଆପୀଢି ଆଗରେ ନୂଆ ଭାବେ ଉପସ୍ଥାପିତ କଲେ ଓଡିଆଙ୍କ ସମ୍ମାନ ବିଶ୍ୱ ଦରବାରରେ ସ୍ୱୀକୃତି ପାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ଐତିହ୍ୟ କ୍ୟାବିନେଟର ବୈଠକ ଓଡିଆ ବିରତ୍ୱର ଚରମ ଅଭିବ୍ୟକ୍ତି ତଥା ଦେଶରେ ଇଂରେଜ ବିରୋଧୀ ପ୍ରଥମ ସଂଗଠିତ ସଶସ୍ତ୍ର ସଂଗ୍ରାମ ପାଇକବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାର କରୁଥିବା ଉଦ୍ୟମ ପ୍ରତି ସହଯୋଗର ହାତ ବଢାଇବା ଉଚିତ ହୋଇଥାନ୍ତା। କେନ୍ଦ୍ର ସରକାରଙ୍କ ଦ୍ୱାରା ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତିକୁ ଯଥାମାନ୍ୟ ପାଳନ କରାଯାଉଛି ।
ଏହି ମହାନ ବିପ୍ଳବର ସ୍ମାରକୀକୁ ଆଗାମୀ ଶହଶହ ବର୍ଷ ପର୍ଯ୍ୟନ୍ତ ଆଗାମୀ ପୀଢିସମୂହଙ୍କୁ ପ୍ରେରଣା ଦେବାଭଳି ଏକ ସ୍ମୃତିସ୍ଥଳ ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ପାଇକ ବିଦ୍ରୋହର ରକ୍ତଭିଜା ମାଟି ବରୁଣେଇ ପାହଡ ତଳେ କିଛି ଜମି ଯୋଗାଇ ଦେବାପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ.ମହେଶ ଶର୍ମା ଏବଂଶ୍ରୀ ପ୍ରଧାନ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଭୂମି ଯୋଗାଇ ଦେବାପାଇଁ ଅନୁରୋଧ କରିଛନ୍ତି । କେନ୍ଦ୍ର ସଂସ୍କୃତି ବିଭାଗର ଏହି ଉଦ୍ୟମକୁ ସହଯୋଗର ହାତ ବଢାଇ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ନିତୀଗତ ନିଷ୍ପତ୍ତିର ସୂଚନା ମଧ୍ୟ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ।
ଏପରିକି ୧୬-୯-୨୦୧୭ରେ ରାଜ୍ୟ ସରକାର ବିଧାନସଭାରେ ପାଇକବିଦ୍ରୋହର ଦୁଇଶହ ତମ ବାର୍ଷିକ ପାଳନ ପାଇଁ ଏହି ଗୌରବମୟ ସ୍ମୃତିକୁ ଉଜ୍ଜିବୀତ କରି ରଖିବା ତଥା ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ରାଜ୍ୟ ସରକାରଙ୍କ ସକ୍ରିୟ ବିଚାରଧୀନ ଅଛି ଓ ଏ ବିଷୟରେ ସରକାର ଖୁବଶୀଘ୍ର ଡିପିଆର ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ରାଜ୍ୟର ସଂସ୍କୃତି ମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି ।
ଶ୍ରୀ ପ୍ରଧାନ ଏହା ମଧ୍ୟ କହିଛନ୍ତି ପାଇକବିଦ୍ରୋହ ହେଉଛି ଓଡିଆ ବୀରତ୍ୱର ଅନନ୍ୟ ପରିଚୟର କାହାଣୀ । ଇଂରେଜ ମାନେ ଓଡିଶା ମାଟିରେ ପାଦ ଦେଉ ଦେଉ ଜୟୀରାଜଗୁରୁ ଯେଉଁ ବିଦ୍ରୋହର ପରମ୍ପରା ଆରମ୍ଭ କରିଥିଲେ ପାଇକବୀର ବକ୍ସିଜଗବନ୍ଧୁଙ୍କ ନେତୃତ୍ୱରେ ଏହା ସମ୍ପୂର୍ଣ୍ଣ ଓଡିଆ ଜାତିର ବ୍ରିଟିଶ ବିରୋଧୀ ବିଶାଳ ଜନସଂଘର୍ଷର ରୂପ ନେଇଥିଲା । ଓଡିଆଜାତିର ଭାବାବେଗ ସହ ଓତପ୍ରୋତ ଭାବେ ଜଡିତ ଇଂରେଜ ବିରୋଧରେ ଭାରତର ଏହି ପ୍ରଥମ ସଂଗଠିତ ସ୍ଵାଧୀନତା ସଂଗ୍ରାମର ସ୍ମୁତିରକ୍ଷା ଆଗାମୀ ଶହଶହ ବର୍ଷ ପାଇଁ ସମଗ୍ର ବିଶ୍ୱର ନଜରକୁ ଓଡିଶା ଆଡକୁ ଟାଣିବା ପାଇଁ ଏକ ପେଣ୍ଠସ୍ଥଳୀ ହୋଇପାରିବ ।
ଐତିହ୍ୟ କ୍ୟାବିନେଟର ବୈଠକ ଆଗାମୀ ଦିନରେ ପୁଣି ବସିବ ବୋଲି ଶ୍ରୀ ପ୍ରଧାନ ଦୃଢ ବିଶ୍ୱାସ ରଖିଛନ୍ତି | ପାଇକବିଦ୍ରୋହର ସ୍ମାରକୀପାଇଁ ନରେନ୍ଦ୍ର ମୋଦି ସରକାରଙ୍କର ଏହି ଉଦ୍ୟମକୁ ସହଯୋଗର ହାତ ବଢାଇ ଏଥିପାଇଁ ବରୁଣେଇ ପାହଡ ତଳେ ଜମି ଯୋଗାଇ ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯିବ । ଐତିହ୍ୟ କ୍ୟାବିନେଟର ପରବର୍ତ୍ତୀ ବୈଠକରେ ଏଥିପାଇଁ ଭୂମି ଯୋଗାଇ ଦିଆଯିବାର ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି |