ରାଜ୍ୟ ମୁଖ୍ୟ ଶାସନସଚିବ ଭାବେ କାର୍ଯ୍ୟରେ ଯୋଗଦେଲେ ଅସିତ୍ ତ୍ରିପାଠୀ
1 min read
ଆଓରି-ଭୁବନେଶ୍ଵର(୧୯/୦୮) : ଆଜି ମୁଖ୍ୟ ଶାସନସଚିବ ଭାବେ କାର୍ଯ୍ୟରେ ଯୋଗଦେଲେ ବରିଷ୍ଠ ଆଇଏସ୍ ଅଧିକାରୀ ଅସିତ୍ ତ୍ରିପାଠୀ । ସ୍ଵତନ୍ତ୍ର ଓଡ଼ିଶାର ୪୩ ତମ ତଥା ସ୍ଵାଧୀନ ଓଡିଶାର ୩୮ତମ ମୁଖ୍ୟ ଶାସନ ସଚିବ ଭାବେ ଆଜି ସେ ଯୋଗ ଦେଇଛନ୍ତି । ପୂର୍ବତନ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଭିଆର୍ଏସ୍ ନେବା ପରେ ତାଙ୍କ ସ୍ଥାନରେ ଅସିତ୍ ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି ।
୧୯୮୬ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ଅସିତ ତ୍ରିପାଠୀ। ଦାୟିତ୍ୱ ଗ୍ରହଣ ପରେ ନୂଆ ମୁଖ୍ୟ ଶାସନ ସଚିବ ପ୍ରେସମିଟରେ ଜଣାଇଛନ୍ତି, ୫-ଟି ଢାଞ୍ଚାରେ ସରକାର ଚାଲିବ। ଏହାସହ ଅନଲାଇନରେ ଖଜଣା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ଆଇଏଏସ୍ ପାଇବା ପରେ ସେ ପ୍ରଥମେ ତାଳଚେର ସବ୍କଲେକ୍ଟର ଭାବେ କାର୍ଯ୍ୟ କରିଥିଲେ । ପରେ ରାଉରକେଲ ଏଡିଏମ୍, ନୂଆପଡ଼ା ଓ ସୁନ୍ଦରଗଡ଼ର ଜିଲ୍ଲାପାଳ ଭାବେ ମଧ୍ୟ ସେ ସଫଳତାର ସହ କାର୍ଯ୍ୟ କରିସାରିଛନ୍ତି ।
ଖାଲି ସେତିକି ନୁହେଁ, ଓଡ଼ିଶାରେ ଗୃହ ବିଭାଗର ସଚିବ ଭାବେ ସେ ସବୁଠୁ ଅଧିକ ସମୟ ଧରି କାର୍ଯ୍ୟରତ ଥିଲେ । ଅସିତ୍ ମଧ୍ୟ ଓଡ଼ିଶା ଟେନିସ ଆସୋସିଏସନର ସଭାପତି ଓ ଅଖିଳ ଭାରତ ଟେନିସ୍ ଆସୋସିଏସନ୍ର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି । ଦିଲ୍ଲୀ ଜବାହରଲାଲ୍ ନେହେରୁ ୟୁନିଭରସିଟିରୁ ରାଜନୀତି ବିଜ୍ଞାନରେ ଏମ୍ଫିଲ୍ ପାସ୍ କରିବା ପରେ ସେ ବିଦେଶ ଚାଲିଯାଇଥିଲେ । ସେଠାରେ ପବ୍ଲିକ୍ ମ୍ୟାନେଜମେଣ୍ଟରେ ଏମ୍ବିଏ ଡିଗ୍ରୀ ହାସଲ କରିଥିଲେ ।