May 20, 2024

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଇଆଇଟିରେ ସ୍ୱାଗତ କଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-Welcomed-Aajira-Odisha

ଆଓରି-ଭୁବନେଶ୍ୱର(୨୪/୧୨) : ଆଜି ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଇଆଇଟିରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । ଏହି ଅବସରରେ ଅନ୍ୟ ଅତିଥିମାନଙ୍କୁ ମଧ୍ୟ ଧର୍ମେନ୍ଦ୍ର ସ୍ୱାଗତ ଜଣାଇଛନ୍ତି । ରାଜ୍ୟପାଳ ଗଣେଷୀ ଲାଲ୍‌, ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ଜୁଏଲ ଓରାମ୍‌ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ବର୍ତ୍ତମାନର ସମାଜ ଜ୍ଞାନ-ଅର୍ଥନୀତି ଉପରେ ଆଧାରିତ । ଆଗାମୀ ଦିନରେ ସମାଜ ହେବ ଉନ୍ନତ ଜ୍ଞାନକୌଶଳ ଓ ଜ୍ଞାନ ଅର୍ଥନୀତି ଉପରେ ଆଧାରିତ ସମାଜ । ଜ୍ଞାନ ଆଧାରିତ ଅର୍ଥନୀତିରେ କେନ୍ଦ୍ରବିନ୍ଦୁ ଓଡିଶା ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ସାମ୍ପ୍ରତିକ ସମୟରେ ସମଗ୍ର ବିଶ୍ୱ ଉଦ୍ୟୋଗିକ ବିପ୍ଳବ ୪.୦ରୁ ବିଶ୍ୱ ଉଦ୍ୟୋଗିକ ବିପ୍ଳବ ୫.୦କୁ ଗତି କରୁଛି । ବିଶ୍ୱ ଉଦ୍ୟୋଗିକ ବିପ୍ଳବ ୫.୦ ହେଉଛି ମଣିଷ ଓ ଅତ୍ୟାଧୁନିକ ରୋବଟ ମଧ୍ୟରେ ସମନ୍ୱୟ ଏବଂ ଯେ କୌଣସି ସମସ୍ୟାର ଆବଶ୍ୟକତା ଅନୁଯାୟୀ ସମାଧାନର ପ୍ରଣୟନ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଦେବୀ ସରସ୍ୱତୀଙ୍କ ନୂଆ ପୀଠସ୍ଥଳୀ ଆଇଆଇଟି, ନାଇଜର, ଆଇଜର ଓ ଆଇଆଇଏମ୍‌ ଇତ୍ୟାଦି ଅନୁଷ୍ଠାନ ଆଗାମୀ ଦିନରେ ଓଡିଶାକୁ ସମୃଦ୍ଧ କରିବେ । ଓଡିଶା ହେବ ଉନ୍ନତ ଜ୍ଞାନକୌଶଳ ଏବଂ ଜ୍ଞାନ ଅର୍ଥନୀତିର ମୁଖ୍ୟ କେନ୍ଦ୍ରବିନ୍ଦୁ । ଓଡିଶାରୁ ହେବ ନୂଆ ପରିବର୍ତ୍ତନର ସୁତ୍ରପାତ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୂର ଦୃଷ୍ଟି ସମ୍ପନ୍ନ ପୂର୍ବୋଦୟ ଯୋଜନାର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଉଛି ଓଡିଶା ଏବଂ ଓଡିଶାର ପ୍ରଗତି । ଓଡିଶାକୁ ଦ୍ରୁତ ଗତିରେ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କର ନିରନ୍ତର ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ କରିବା ସହ ସ୍ୱାଗତ ଜଣାଇଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ କହିଥିଲେ ଆଜି ଓଡିଶା ପାଇଁ ଏକ ଐତିହାସିକ ଦିନ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରୁଣେଇରେ ଓଡିଆ ଜାତିର ବୀରତ୍ୱ ଓ ସୌନ୍ଦର୍ଯ୍ୟକୁ ସମ୍ମାନିତ କରିବା ପାଇଁ ଏବଂ ଓଡିଶାର ଦ୍ରୁତ ବିକାଶ କରିବାକୁ ଆସିଛନ୍ତି । ବରୁଣେଇ ହେଉଛି ଓଡିଆ ଜାତିର ଅଦମ୍ୟ ସାହସର ପ୍ରତୀକ । ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ସଙ୍ଗଠିତ ସଶସ୍ତ୍ର ଜନବିଦ୍ରୋହ ପାଇକ ବିଦ୍ରୋହ ଏହି ପବିତ୍ର ମାଟିରେ ସଂଗଠିତ ହୋଇଥିଲା । ୨୦୦ ଶହ ବର୍ଷ ପୂର୍ବେ ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଏହି ବରୁଣେଇ ପାହଡର ପାଦଦେଶରେ ସ୍ୱାଧୀନତା ପାଇଁ ସ୍ୱାଭିମାନ୍ ପାଇଁ ଆଉ ହକ୍ ପାଇଁ ଲଢେଇ ହୋଇଥିଲା । ଏହି ଜନବିଦ୍ରୋହକୁ ସମ୍ମାନ ଓ ସ୍ୱୀକୃତି ଦେବାପାଇଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା, ଡାକଟିକେଟ ଉନ୍ମୋଚନ ତଥା ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାର ଶୁଭାରମ୍ଭ କରୁଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଶାନ୍ତି ଓ ଅହିଂସାର ପ୍ରତୀକ ବୁଦ୍ଧଙ୍କ ସହ ଜଡିତ ଓଡିଶାର କୀର୍ତ୍ତିରାଜି ଲଳିତଗିରି ଠାରେ ଅତ୍ୟାଧୁନିକ ପ୍ରତ୍ନତାତ୍ତ୍ୱିକ ମ୍ୟୁଜିୟମର ଲୋକାର୍ପଣ । ଏହାସହ ଓଡିଶାର ବିକାଶ ପାଇଁ ୧୪ ହଜାର ୫୨୩ କୋଟି ଟଙ୍କାର ପ୍ରକଳ୍ପ ସମୂହର ଶିଳାନ୍ୟାସ ଓ ଲୋକାର୍ପଣ ହେଉଛି । ଓଡିଶାର ଉନ୍ନତି ପାଇଁ ଏହା ଅଭୂତପୂର୍ବ ଏବଂ ପ୍ରଧାନମନ୍ତ୍ରୀଙ୍କ ଦୃଢ ସଂକଳ୍ପର ପ୍ରତୀକ । ପ୍ରଧାନମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପନ୍ନ ପୂର୍ବୋଦୟରୁ ଉଦୟ ହେବ ନୂଆ ଓଡିଶା-ସମୃଦ୍ଧ ଓଡିଶା । ଐତିହାସିକ ବରୁଣେଇର ପାଦଦେଶରୁ ପୁନଶ୍ଚ ଆରମ୍ଭ ହେବ ବିକାଶର, ହକର ଲଢେଇ ଓ ସମୃଦ୍ଧ ଓଡିଶା ନିର୍ମାଣର ଦୃଢ ସଂକଳ୍ପ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.