ଜାତୀୟ

ଏନରିଚ୍‍ ୨୦୧୯- କେପିଏମଜି ଭାରତର ବାର୍ଷିକ ଉର୍ଜା ସମ୍ମିଳନୀରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ନୂଆଦିଲ୍ଲୀ(୦୭/୧୧) : ଆଗାମୀ ଦିନରେ ଗୋଟିଏ ଦାୟିତ୍ୱସମ୍ପନ୍ନ ଦେଶ ଭାବରେ ଭାରତ ଉର୍ଜା କ୍ଷେତ୍ରରେ ପରିବର୍ତ୍ତନର ରାସ୍ତା ନିଜ ଉପାୟରେ ବାହାର କରିବ ବୋଲି ବୁଧବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏନରିଚ୍‍ ୨୦୧୯- କେପିଏମଜି ଭାରତର ବାର୍ଷିକ ଉର୍ଜା ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ପେଟ୍ରେଲିୟମ ଓ ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହିପରି ସ୍ଥାୟୀ ଭାବରେ ଉର୍ଜାର ବିକାଶ କରିବା ଭାରତ ସରକାରଙ୍କ ବଡ ପ୍ରାଥମିକତା ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରିବାର ଲକ୍ଷ୍ୟ ରଖିଥିବା ବେଳେ ସଂପ୍ରତି ଦେଶରେ ବ୍ୟବସାୟିକ କାରବାର ଏବଂ ଲୋକଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିବା ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି। ଦେଶର ଭିତ୍ତିଭୂମିରେ ଅଧିକରୁ ଅଧିକ ପୁଞ୍ଜିନିବେଶ, ଡିଜିଟାଲ୍‍ ଅର୍ଥନୀତି ଏବଂ ଛୋଟ ଓ ମଧ୍ୟମ ବ୍ୟବସାୟରେ ନିଯୁକ୍ତି ସୃଷ୍ଟି ଦ୍ୱାରା ଭାରତର ଗତିଶୀଳ ଅର୍ଥନୀତି ଆଗକୁ ବଢିପାରିବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତତ୍ୱରେ ଭାରତ ସରକାର ବ୍ୟବସାୟ କାରବାରରେ ଅନୁକୂଳଯୁକ୍ତ ପରିବେଶ ନିମନ୍ତେ ଗତ ୫ ବର୍ଷରେ ଅନେକ ଗୁଡିଏ ସଂସ୍କାରରେ ସୁଧାର ଆଣିଛନ୍ତି। ଭାରତକୁ କମ୍‍ କାର୍ବନ ନିଗର୍ମନ ଅର୍ଥ ବ୍ୟବସ୍ଥା କରିବା ପାଇଁ ତଥା ଉର୍ଜାର ନିରନ୍ତର ଆବଶ୍ୟକତା ପୂରଣ ପାଇଁ ମୋଦୀ ସରକାର ଭାରତକୁ ଗ୍ୟାସ୍‍ ଆଧାରିତ ଅର୍ଥନୀତି କରିବାପାଇଁ ଯୋଜନାବଦ୍ଧ ଉଦ୍ୟମ ଜାରୀ ରଖିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଆଜି ଦିନରେ ଭାରତର ମୁଣ୍ଡପିଛା କାର୍ବନ ଗ୍ୟାସ୍‍ ନିଗର୍ମନ ବିଶ୍ୱର ହାରାହାରି ହାର ଠାରୁ କମ୍‍ ରହିଛି। ଭାରତକୁ ଗ୍ୟାସ୍‍ ଆଧାରିତ ଅର୍ଥବ୍ୟବସ୍ଥା କରିବାପାଇଁ ୬୦ ନିୟୁତ ଆମେରିକୀୟ ଡଲାର ବ୍ୟୟ ବରାଦରେ ଗ୍ୟାସ୍‍ ଭିତିଭୂମି ଯଥା ଗ୍ୟାସ୍‍ ପାଇପ୍‍ ଲାଇନ୍‍ , ଟର୍ମିନାଲ, ସିଟି ଗ୍ୟାସ୍‍ ବିତରଣ ବ୍ୟବସ୍ଥା ଆଦି ବିଭିନ୍ନ କାର୍ଯ୍ୟ କ୍ରିୟାନ୍ୱୟନ ଚାଲିଛି। ଉର୍ଜାର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବାପାଇଁ ଜୈବ ଉର୍ଜା ଉପରେ ଭାରତ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦଶକ ମାନଙ୍କରେ ଭାରତ ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ରବିନ୍ଦୁ ହେବ। ସେହିପରି ଦେଶର ଜୈବ ଇନ୍ଧନ ଉପରେ ଆଲୋକପାତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ କୃଷି ବର୍ଜ୍ୟବସ୍ତୁ ଏବଂ ସହରର ଆବର୍ଜନାରୁ ବିଭିନ୍ନ ପ୍ରକାର ଜୈବ ଇନ୍ଧନ ଉତ୍ପନ୍ନ ହୋଇପାରିବା ନେଇ ଆମର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button