ମନୋରଞ୍ଜନ

ଶେରା ନରସିଂହ ରେଡ୍ଡି ଚଳଚ୍ଚିତ୍ରକୁ ନେଇ ବିବାଦ

ଆଓରି-ଭୁବନେଶ୍ଵର(୨୬/୦୯): ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ମୁକ୍ତିଲାଭ କରିବାକୁ ଯାଉଥିବା ‘ଶେରା ନରସିଂହ ରେଡ୍ଡି’ ଚଳଚ୍ଚିତ୍ରକୁ ନେଇ ବିବାଦ ମୁଣ୍ଡ ଟେକିଛି। ୧୮୪୭ ମସିହାରେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣଲ ଜିଲ୍ଲାର ରାୟଲସୀମାରେ ୱାଲାୱାଡା ନରସିଂହ ରେଡ୍ଡିଙ୍କ ନେତୃତ୍ବରେ ହୋଇଥିବା କୃଷକ ଆନ୍ଦୋଳନକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦର୍ଶାଯା‌ଇଥିବ‌ାରୁ ବିବାଦର ସୂତ୍ରପାତ ହୋଇଛି।

କାହାଣୀ ମୁତାବକ, ଲର୍ଡ କର୍ଣ୍ଣୱାଲିସ୍‌ଙ୍କ ସ୍ଥାୟୀ ବନ୍ଦୋବସ୍ତ ବିରୋଧରେ ୫ହଜାରରୁ ଅଧିକ କୃଷକ ବ୍ରିଟିସ୍ ଶାସନ ବିରୋଧରେ ୧୮୪୭ରେ ସ୍ବର ଉଠାଇଥିଲେ। ମାତ୍ର ଏହାର ଯଥେଷ୍ଟ ପୂର୍ବରୁ ୧୮୦୪ ମସିହାରେ ଜୟୀ ରାଜଗୁରୁଙ୍କ ନେତୃତ୍ବରେ ବ୍ରିଟିସ୍‌ ସରକାର ବିରୋଧରେ ଖୋର୍ଧା ରାଜ ବିଦ୍ରୋହ ସଂଘଟିତ ହୋଇଥିଲା। ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ଭାରତ ବର୍ଷ ପ୍ରଥମ ସଶସ୍ତ୍ର ଗଣ ବିପ୍ଳବ ଆରମ୍ଭ ହୋଇଥିଲା। ତେଣୁ ଚଳଚ୍ଚିତ୍ରରେ ୧୮୪୭ରେ ଆନ୍ଧ୍ରପ୍ରଦେଶରେ ହୋଇଥିବା କୃଷକ ଆନ୍ଦୋଳନକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦେଖାଇ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରାଯାଉଛି ବୋଲି ଐତିହାସିକମାନେ କହିଛନ୍ତି। ଦର୍ଶକଙ୍କୁ ଭୁଲ ଇତିହାସ ଦେଖାଇ ବିଭ୍ରାନ୍ତ କରିବାର ଅଧିକାର କୌଣସି ପ୍ରଯୋଜକ ଓ ନିର୍ଦେଶକଙ୍କର ନାହିଁ ବୋଲି ଐତିହାସିକମାନେ କହିଛନ୍ତି।

ସୂଚନାଯୋଗ୍ୟ ୧୮୧୭ରେ ହୋଇଥିବା ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତି ପାଳନ କରାଯାଇ ସାରିଛି। ନୂଆଦିଲ୍ଲୀରେ ଏ ନେଇ ବିଜ୍ଞାନ ଭବନରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ବହୁ ଜାତୀୟସ୍ତରର ଐତିହାସିକ ‘ପାଇକ ବିଦ୍ରୋହ’ ହିଁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ମତବ୍ୟକ୍ତ କରିଥିଲେ। ତେବେ ‘ଶେରା ନରସିଂହ ରେଡ୍ଡି’ ଳଚ୍ଚିତ୍ରଟି ତେଲୁଗୁ, ତାମିଲ୍‌, ମାଲାୟଲମ ଓ କନ୍ନଡ଼ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଥିବାରୁ ଏ ନେଇ ଖୋର୍ଧାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଓଡ଼ିଶା ପାଇକ ଏକାଡେମିର ସଭାପତି ତଥା ଖୋର୍ଧାର ପୂର୍ବତନ ବିଧାୟକ ଡ.ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି, ଶେରା ନରସିଂହ‌ ରେଡ୍ଡି ଳଚ୍ଚିତ୍ରରେ ଇତିହାସକୁ ବିକୃତ ଓ ବିଭ୍ରାନ୍ତ କରାଯାଇଛି। ତେଣୁ ଅନ୍ତତଃ ଓଡ଼ିଶାରେ ଏହି ଚଳଚ୍ଚିତ୍ରକୁ ଅସିଦ୍ଧ ଘୋଷଣା କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନିଅନ୍ତୁ ଏବଂ ଏହାକୁ ମୁକ୍ତିଲାଭ କରାଇ ନଦେବାକୁ ଆନ୍ଧ୍ର ସରକାରଙ୍କ ସହ ଆଲୋଚନା କରନ୍ତୁ ବୋଲି ସେ ଦାବି କରିଛନ୍ତି। ଯଦି ଏହାକୁ ଅଣଦେଖା କରାଯାଏ, ତେବେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏନେଇ ଐତିହାସିକ ଡ. ପ୍ରଫୁଲ୍ଲ ତ୍ରିପାଠୀ କହିଛନ୍ତି, ଇତିହାସକୁ ଯିଏ ଯେମିତି ଚାହିଁବ, ସେ ସେମିତି ଦର୍ଶାଇ ପାରିବନି। ସେ ଲେଖାରେ ହେଉ କି ଚଳଚ୍ଚିତ୍ରରେ। ଏଥିପାଇଁ ତଥ୍ୟଗତ ପ୍ରମାଣ ନିତାନ୍ତ ପ୍ରୟୋଜନ। ଯଦି ତଥ୍ୟକୁ ବାଦ୍‌ ଦେଇ ଇତିହାସକୁ କେହି ଭୁଲ୍‌ ଭାବେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି, ତାଙ୍କୁ ଏଭଳି କାର୍ଯ୍ୟରେ ବିରୋଧ କରାଯିବା ଆବଶ୍ୟକ। ଯଦି ଚଳଚ୍ଚିତ୍ରରେ ଆନ୍ଧ୍ରପ୍ରଦେଶର ସେଇ ଆନ୍ଦୋଳନର ସମୟ ୧୮୪୭ ବୋଲି ଦର୍ଶାଯାଉଛି, ତେବେ ୧୮୧୭ ପାଇକ ବିଦ୍ରୋହ ସମ୍ବନ୍ଧରେ କ’ଣ ସେ ଚଳଚ୍ଚିତ୍ରର ନିର୍ଦେଶକ ଜଣକ ଜାଣନ୍ତି ନାହିଁ? ଚଳଚ୍ଚିତ୍ରରେ‌ ‌ଶେରା ନରସିଂହ ରେଡ୍ଡିଙ୍କୁ ସେମାନେ ହିରୋ କରି ଦର୍ଶାଇବାରେ ସମସ୍ୟା ନାହିଁ। କିନ୍ତୁ ସେଇ ଆନ୍ଦୋଳନକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦର୍ଶାଇବାର କୌଣସି ଅଧିକାର ନିର୍ଦେଶକ କିମ୍ବା ପ୍ରଯୋଜକଙ୍କର ନାହିଁ ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button