ବିଶେଷ

ପଦ୍ମଶ୍ରୀ ହଳଧର ନାଗ

ଆଓରି-ଭୁବନେଶ୍ୱର(୧୯/୦୮): ପଦ୍ମଶ୍ରୀ ସମ୍ମାନପ୍ରାପ୍ତ କୋଶଳୀ କବି ହଳଧର ନାଗ ଜଣେ ବହୁ ପରିଚିତ ଚେହେରା। ବରଗଡ଼ ଜିଲ୍ଲାର ଘେଁସ୍‌ଠାରେ ଜନ୍ମ ଗ୍ରହଣ କରିଥିବା ଏହି କବି ୧୯୯୦ ମସିହାରୁ କବିତା ଲେଖିବା ଆରମ୍ଭ କରି ଏଯାବତ୍‌ ଲେଖନୀ ଚାଳନା ଜାରି ରଖିଛନ୍ତି। ତାଙ୍କର ପ୍ରଥମ କବିତା ‘ଧୋଡ଼ ବର୍‌ଗଛ’କୁ ବହୁ ଗ୍ରହଣୀୟତା ମିଳିବା ପରେ ଲେଖା ଜାରି ରଖିବାକୁ ତାଙ୍କୁ ଉତ୍ସାହ ମିଳିଥିଲା।

ଲୋକକବି ହଳଧର ନାଗଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ୱିତୀୟ ଶ୍ରେଣୀ। ସେ ଦ୍ୱିତୀୟ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଦେବା ପରେ ସ୍କୁଲ୍‌ ଯିବା ବନ୍ଦ କରି ଦେଇଥିଲେ। ପିଲାଟି ଦିନରୁ ନିଜ ବାପାଙ୍କୁ ହରାଇଥିବା ଏହି କବିଙ୍କର ଆର୍ଥିକ ଅବସ୍ଥା ତାଙ୍କୁ ଆଗକୁ ପଢ଼ାଇବାରେ ବାଧକ ସାଜିଥିଲେ ବି ତାଙ୍କ କବିତା ଆବୃତ୍ତି କଳା କିନ୍ତୁ ତାଙ୍କ ପାଖ ଛାଡ଼ି ନଥିଲା।

କବିତା ଲେଖିବା ସହ କବିତା ଆବୃତ୍ତିି ଶୈଳୀ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ନିକଟରେ ଓଡ଼ିଆ ଜାତିର ଗର୍ବ ‘ଛବିଳ ମଧୁ ବର୍ଣ୍ଣବୋଧ’ ପୋଡ଼ି ଘଟଣାରେ କବି ହଳଧରଙ୍କର ସଂପୃକ୍ତି ରହିଛି ବୋଲି ଅଭିଯୋଗ ଉଠିବା ପରେ ‘ସମ୍ବାଦ୍‌ ଡଟ୍‌ ଇନ୍‌’ ପକ୍ଷରୁ ତାଙ୍କର ଏହି ସାକ୍ଷାତ୍‌କାର ନିଆଯାଇଛି। ଚାଲନ୍ତୁ ଜାଣିବା ପଚରା ଯାଇଥିବା ପ୍ରଶ୍ନଗୁଡ଼ିକର କିପରି ଉତ୍ତର ରଖିଛନ୍ତି ପଦ୍ମଶ୍ରୀ ହଳଧର ନାଗ।

ଯେଉଁ ଫେସ୍‌ବୁକ୍‌ ପେଜ୍‌ରେ ଏହି ଭିଡିଓଟି ସେୟାର୍‌ ହୋଇଥିଲା ତାହାର ପ୍ରୋଫାଇଲ୍‌ରେ ଆପଣଙ୍କ ଛବି ଥିଲା। ଫଳରେ ଏହା ବର୍ଣ୍ଣବୋଧ ପୋଡ଼ା ଘଟଣାରେ ଆପଣଙ୍କର ସଂପୃକ୍ତିକୁ ଇଙ୍ଗିତ କରୁଛି। ଏ ପ୍ରସଙ୍ଗରେ ଆପଣଙ୍କର ମତ କ’ଣ?
ଉତ୍ତର: ମୁଁ ଫେସ୍‌ବୁକ୍‌ ଓ ୟୁଟ୍ୟୁବ୍‌ କ’ଣ ଜାଣେନା। ଏତିକି ଜାଣେ ଦୋଷୀ ଦଣ୍ଡ ପାଇବା ଉଚିତ। ଯିଏ ମୋତେ ବ୍ୟବହାର କରି ଏପରି ନୀଚ କାମ କରିଛି ସେ ଦଣ୍ଡ ପାଇବା ଉଚିତ। ମୁଁ ସବୁ ଭାଷାକୁ ସମ୍ମାନ ଦିଏ। ‘ବର୍ଣ୍ଣବୋଧ’ହେଉଛି ଆମର ଅନ୍ତୁଡ଼ିଶାଳ, ମୂଳମନ୍ତ୍ର। ତାକୁ ପୋଡ଼ିବା ଏକ ଗୁରୁତର ଅପରାଧ। ଏହା ଅକ୍ଷମଣୀୟ।

୨. ପ୍ରଶ୍ନ: ଏହି ଘଟଣାକୁ ନେଇ ଆପଣଙ୍କୁ ବିଭିନ୍ନ ମହଲରୁ କଡା ସମାଲୋଚନା କରାଯାଉଛି। ଯଦି ‘ବର୍ଣ୍ଣବୋଧ’ ପୋଡ଼ି ଘଟଣାରେ ଆପଣଙ୍କର ସଂପୃକ୍ତି ନାହିଁ ତେବେ ଆପଣ କ’ଣ କହି ସେମାନଙ୍କୁ ଶାନ୍ତ କରାଇବେ?
ଉତ୍ତର: ସେମାନେ ଆଉ ବିରୋଧ କରିବେ ନାହିଁ। ମୁଁ ଖୋଲାଖୋଲି ଭାବେ ମୋ ମତ ରଖିସାରିଛି। ମୋର ଏଥିରେ ଆଦୌ ସଂପୃକ୍ତି ନାହିଁ। ଓଡ଼ିଆ ଭାଷା ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି। ଓଡ଼ିଆ ଜାତିର ଗର୍ବ ‘ବର୍ଣ୍ଣବୋଧ’କୁ ପୋଡ଼ିବା କଥା ମୁଁ ଭାବିବି ବି ନାହିଁ।

୩. ପ୍ରଶ୍ନ: ଆପଣ ‘ବର୍ଣ୍ଣବୋଧ’ ପଢ଼ିଛନ୍ତି? ସେଥିରୁ କ’ଣ ଭଲ ଲାଗେ?
ଉତ୍ତର: ଆଜ୍ଞା ମୁଁ ପଢ଼ିଛି। ମୁଁ ମାତ୍ର ଅଢ଼େଇ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛି। କେବଳ ‘ବର୍ଣ୍ଣବୋଧ’ ହିଁ ପଢ଼ିକରି ମୁଁ ଲେଖି ଜାଣିଛି ବୋଲି ଆପଣ କହିପାରନ୍ତି।

୪. ପ୍ରଶ୍ନ: କାଳଜୟୀ ସ୍ରଷ୍ଟା ସ୍ୱଭାବକବି ଗଙ୍ଗାଧର ମେହେରଙ୍କଠାରୁ ଆରମ୍ଭ କରି ଆପଣଙ୍କ ଅଞ୍ଚଳର ସାଂପ୍ରତିକ ସମୟର ବହୁ ସ୍ରଷ୍ଟା ଓଡ଼ିଆରେ ସାହିତ୍ୟ ସୃଷ୍ଟି କରୁଛନ୍ତି। ଆପଣ କେବେ ଓଡ଼ିଆରେ ଲେଖି ନାହାନ୍ତି?
ଉତ୍ତର: ମୁଁ ଆଜ୍ଞା ଲେଖିପାରେନି। ମୁଁ ବେଶି ପାଠ ପଢ଼ିନି। ମୋତେ କେବଳ ମୋ ଆଞ୍ଚଳିକ ଭାଷା ହିଁ ଜଣାଅଛି। ଲେଖିବାର ଦକ୍ଷତା ଥିଲେ ନିଶ୍ଚୟ ଲେଖୁଥାନ୍ତି।

୫. ପ୍ରଶ୍ନ: ଅନେକ ପାଠ ପଢ଼ି ମଧ୍ୟ ଲୋକେ ଧାଡ଼ିଏ କବିତା ଲେଖିପାରନ୍ତି ନାହିଁ। ଆପଣ ତୃତୀୟ ଯାଏ ବି ପଢ଼ିନାହାନ୍ତି। ହେଲେ କବିତା ପାଇଁ ବହୁ ଭାବେ ସମ୍ମାନିତ ହୋଇଛନ୍ତି। ତେବେ, କବିତା ଲେଖିବା ପାଇଁ ଜଣେ ସ୍ରଷ୍ଟା ପାଖରେ କ’ଣ ରହିବା ଆବଶ୍ୟକ?

ଉତ୍ତର: କବିତା ଆପେ ଆସେ। ପ୍ରକୃତି ଓ ଗ୍ରାମାଞ୍ଚଳର ଜନଜୀବନ କବିତାର ଗୋଟାଏ ଗୋଟାଏ ଉପାଦାନ। ଗ୍ରାମାଞ୍ଚଳରେ ବଢ଼ିଆସିଛି। ସମାଜର ଅତି ନିମ୍ନବର୍ଗର ଲୋକଙ୍କ ସହ ମିଳାମିଶା କରିିଛି। ସେହି ଲୋକମାନଙ୍କ କଥା ଓ ମୋ ଗାଁର ମାଟି, ପାଣି, ପବନରେ ଯାହା ଦେଖିଲି ତାହା ଲେଖିଛିି। ସେ ସବୁ କବିତା ପାଲଟିଗଲେ।

୬.ପ୍ରଶ୍ନ: ଆପଣ ବିକ୍ରି କରୁଥିବା ରାମଚଣା(ଘୁଗୁନି) ଆପଣଙ୍କ ଅଞ୍ଚଳରେ ଖୁବ୍‌ ପ୍ରସିଦ୍ଧ। ଲୋକ ଠେଲାପେଲା ହୋଇ କିଣିନିଅନ୍ତି। ଏମିତି କେଉଁ ନିଆରା ଢଙ୍ଗରେ ରୋଷେଇ କରନ୍ତି ଯେ ତାହା ଏତେ ସ୍ୱାଦିଷ୍ଟ ହୋଇପାରେ?

ଉତ୍ତର: ମୋ ତରକାରୀରେ ମୁଁ ବଟା ମସଲା ବ୍ୟବହାର କରେ। ବଟା ହଳଦୀ, ବଟା ଜିରା ଓ ବଟା ରସୁଣ ଇତ୍ୟାଦିି। ଅନ୍ୟମାନେ ବ୍ୟବହାର କରୁଥିବା ଗୁଣ୍ଡ ମସଲା ତୁଳନାରେ ମୋ ମସଲା ଭିନ୍ନ ସ୍ୱାଦ ଦେଇଥାଏ। ସେଥିପାଇଁ ବୋଧେ ମୋ ତରକାରୀ ବେଶି ସୁଆଦିଆ।

୭.ପ୍ରଶ୍ନ: ନିକଟରେ ସରକାର ଆର୍ଥିକ ଭାବେ ଦୁର୍ବଳ ପଦ୍ମଶ୍ରୀମାନଙ୍କୁ ମାସିକ ୧୦,୦୦୦ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଆପଣ ତ ଆମକୁ କହିଛନ୍ତି ଯେ ଆପଣଙ୍କର ରୋଜଗାରର ସେପରି କୌଣସି ଉତ୍ସ ନାହିଁ। ଆପଣଙ୍କୁ ଲାଗୁଛି କି ସରକାରଙ୍କର ଏହି ଅନୁଦାନ ଆପଣଙ୍କ ସ୍ଥିତିରେ ସୁଧାର ଆଣିପାରିବ?

ଉତ୍ତର: ମିଳିଲେ ତ ଆଜ୍ଞା। ଆମେ ତ ଆଁ କରି ଅନେଇ ବସିଛୁ। ହେଲେ ଘୋଷଣା ହେବା ଆଉ କାର୍ଯ୍ୟକାରୀ ହେବା ଭିତରେ ବହୁତ ପାର୍ଥକ୍ୟ। ଯଦି ଏପରି ହେଲା ତେବେ ନିଶ୍ଚୟ ଅବସ୍ଥା ସୁଧୁରିବ।

 

Related Articles

Leave a Reply

Your email address will not be published. Required fields are marked *

Back to top button