ବ୍ୟକ୍ତିତ୍ଵମନୋରଞ୍ଜନ

ଓଡ଼ିଆ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ଦିଲୀପ ପଟ୍ଟନାୟକଙ୍କ ପରଲୋକ

ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ବିଶିଷ୍ଟ ଓଡ଼ିଆ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ଦିଲୀପ ପଟ୍ଟନାୟକଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ୬୩ବର୍ଷ ହୋଇଥିଲା। ଅସୁସ୍ଥତା ଯୋଗୁ ସେ ପ୍ରାୟ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ଚିକିତ୍ସିତ ହେଉଥିଲେ।

ଦିଲୀପ ପଟ୍ଟନାୟକ ବିଶିଷ୍ଟ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ଜୀବନକୁ ନେଇ ଫିଲ୍ମ ‘ନୀଳମାଧବ’ ନିର୍ମାଣ କରିଥିଲେ। ଓଡ଼ିଶା ଜନ୍ମିତ ଗ୍ବାଲିୟର ଘରାନାର ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ସୁନନ୍ଦାଙ୍କ ଦ୍ୱାରା ପ୍ରସ୍ତୁତ ଏକ ‘ରାଗ’କୁ ନେଇ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମିତ ହୋଇଥିଲା, ଯାହାକି ପରବର୍ତ୍ତୀ ସମୟରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ୨୦୧୦ରେ ୫୮ତମ ନ୍ୟାଶନାଲ ଫିଲ୍ମ ଆୱାର୍ଡସ୍‌ରେ ଏହା ‘ଶ୍ରେଷ୍ଠ ବାୟୋଗ୍ରାଫିକାଲ ଡକ୍ୟୁମେଣ୍ଟାରୀ’ ବିଭାଗରେ ପୁରସ୍କୃତ ହାତେଇଥିଲା। ଏହାସହ ଚଳଚ୍ଚିତ୍ର ‘ଉଲ୍‌କା’ ଓ ‘ମାୟାମିରିଗ’ରେ ଦିଲୀପ ମୁଖ୍ୟ ସହକାରୀ ନିର୍ଦ୍ଦେଶକ ଭୂମିକା ତୁଲାଇଥିଲେ। ତାଙ୍କର ପରବର୍ତ୍ତୀ ଓଡ଼ିଆ ଫିଚର୍‌ ଫିଲ୍ମ ‘ଚନ୍ଦ୍ରଗ୍ରହଣ’ ଥିଲା। ନିର୍ମାଣାଧୀନ ଥିବା ଏହି ଫିଲ୍ମର ଶୁଟିଂ ଏବେ ତାଙ୍କ ମୃତ୍ୟୁ ପରେ ସବୁଦିନ ପାଇଁ ଅଧା ରହିଯାଇଛି। ଦିଲୀପ ପୁନେସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆରୁ ଫିଲ୍ମ ନିର୍ମାଣରେ ପ୍ରଶିକ୍ଷଣ ନେଇଥିଲେ। ଏହାପରେ ବିହାର ଫିଲ୍ମ ଡିଭିଜନରେ ଏକ ସରକାରୀ ଚାକିରି ମଧ୍ୟ କରିଥିଲେ। ପୁରୀ ଜିଲା ସାକ୍ଷୀଗୋପାଳ ବ୍ଲକର ନଡ଼ାଖଣ୍ଡ ଗାଁରେ ଜନ୍ମଗ୍ରହଣ କରିଥିବା ଦିଲୀପ ଭୁବନେଶ୍ୱର ଲକ୍ଷ୍ମୀସାଗରସ୍ଥିତ ବ୍ରିଟ୍‌ କଲୋନୀରେ ରହୁଥିଲେ। ତାଙ୍କର ଅନ୍ତିମ ସଂସ୍କାର ସତ୍ୟନଗର ଶ୍ମଶାନରେ କରାଯାଇଥିବା ବେଳେ ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଜଣେ ଭଲ ନିର୍ଦ୍ଦେଶକଙ୍କୁ ହରାଇଥିବା ଓଡ଼ିଶା ସିନେକ୍ରିଟିକ୍‌ ଆସୋସିଏଶନ ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button