ବ୍ୟକ୍ତିତ୍ଵରାଜ୍ୟ

୭୭ବର୍ଷ ବୟସରେ ଇହଲୀଳା ତ୍ୟାଗ କଲେ ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡା 

ଆଓରି-ଭୁବନେଶ୍ଵର(୨୨/୧୧) : ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିବା ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡା  ଆଜି ସକାଳେ ରାଜଧାନୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହତ୍ୟାଗ କରିଛନ୍ତି। ୧୯୪୧ ମସିହା ଫେବୃଆରୀ ୧୫ରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଅନ୍ତର୍ଗତ ଶ୍ରୀରାମ ପୁର ଗ୍ରାମରେ ବୈଷ୍ଣବ ପରିଡା ଜନ୍ମ ଗ୍ରହଣ କରିଥିଲେ। ପିଲାଟି ଦିନୁ ସେ ଜଣେ ମେଧାବୀ ଛାତ୍ର ଭାବେ ବେଶ ସୁନାମ ଅର୍ଜ୍ଜନ କରିଥିଲେ । ଯୁବାବସ୍ଥାରେ ବାମପନ୍ଥୀ ରାଜନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବୈଷ୍ଣବ ବିଭିନ୍ନ ଶ୍ରମିକ ସଂଗଠନ ସହ ନିଜକୁ ସାମିଲ କରିଥିଲେ ।

୧୯୬୦ ରୁ ୧୯୯୨ ପର୍ଯ୍ୟନ୍ତ ବୈଷ୍ଣବ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର  ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଏହାସହ ୧୯୬୫ରେ ସୋଭିଏତ ଦେଶ ଓଡିଆ ସଂସ୍କରଣର ସଂପାଦନା ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ ହୋଇ ୧୦ ବର୍ଷ କାର୍ଯ୍ୟ କରିଥିଲେ । ୧୯୭୪ରେ ଭାରତ-ଋଷ ସଂହତି କାର୍ଯ୍ୟକ୍ରମ  ଅନ୍ତର୍ଗତ ସେ ଏକ ସ୍ୱତନ୍ତ୍ର ନିଯୁକ୍ତି ପାଇ ସୋଭିଏତ ଋଷ ଯାଇ ଅବସ୍ଥାନ କରିଥିଲେ । ସେ ୧୫ବର୍ଷ କାଳ ମସ୍କୋରେ କଟାଇଛନ୍ତି ଏବଂ ଅନେକ ଦେଶର ମୁକ୍ତି ଆନ୍ଦୋଳନ ସହ ନିଜକୁ ସଂପୃକ୍ତ କରିଥିଲେ । ସେ ଏକାଧାରରେ ଥିଲେ ଜଣେ ରାଜନୀତିଜ୍ଞ, ଲେଖକ, ସମାଜସେବୀ ଏବଂ ଭାଷା ଆନ୍ଦୋଳନର ପ୍ରମୁଖ ବିନ୍ଧାଣୀ। ଆଜି ତାଙ୍କ ବିୟୋଗ ରାଜ୍ୟ ରାଜନୀତି ତଥା ଓଡିଆଙ୍କ ହୃଦୟରେ ଏକ ଅପୁରଣୀୟ ଶୂନ୍ୟସ୍ଥାନ ଛାଡିଗଲା।

ରାଜନୀତିକୁ ବାଦ ଦେଳେ ବୈଷ୍ଣବଙ୍କ ଗଭୀର ସାହିତ୍ୟ ପ୍ରେମ ଥିଲା  । ସେ ଜଣେ ଉଚ୍ଚକୋଟୀର ଅନୁବାଦକ ଓ ଲେଖକ ମଧ୍ୟ ଥିଲେ  । ସେ ବିଭିନ୍ନ ଭାଷାର ୮୦ରୁ ଉର୍ଦ୍ଧ୍ୱ ପୁସ୍ତକ ଅନୁବାଦ କରିଛନ୍ତି  ।ସେହିପରି  ଓଡିଆ ସାହିତ୍ୟର ୨୮ଜଣ ବିଖ୍ୟାତ ଲେଖକଙ୍କ ଗଳ୍ପମାଳା ସହ କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କ ଅମର ଉପନ୍ୟାସ ମାଟିର ମଣିଷକୁ ସେ ଋଷ୍ ଭାଷାରେ ଅନୁବାଦ କରିଛନ୍ତି  । ଓଡିଆ ସାହିତ୍ୟକୁ ସେ ବିଶ୍ୱବିଦିତ କରିଥିବା ଏବଂ ଆଜୀବନ ସାହିତ୍ୟ ସାଧନା ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ବରେଣ୍ୟ ସୃଜନ ସ୍ରଷ୍ଟା ସମ୍ମାନରେ ସମ୍ମାନୀତ କରାଯାଇଛି ।

ଆଜି ୭୭ବର୍ଷ ବୟସରେ ସେ ଇହଲୀଳା ତ୍ୟାଗ କରିଛନ୍ତି  । ତାଙ୍କ ବିୟୋଗରେ ବହୁ ରାଜନେତା, ବନ୍ଧୁ ପରିଜନ ଏବଂ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କ ବିୟୋଗ ରାଜ୍ୟ ରାଜନୀତି ତଥା ଓଡିଆଙ୍କ ହୃଦୟରେ ଏକ ଅପୁରଣୀୟ ଶୂନ୍ୟସ୍ଥାନ ଛାଡିଗଲା  ।

 

 

 

Related Articles

Leave a Reply

Your email address will not be published. Required fields are marked *

Back to top button