ଜିଲ୍ଲା

କେନ୍ଦ୍ରାପଡ଼ାରେ ପୁଣି ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ସାର୍ପ ସୁଟର ସେକ ମହତାବ ଆହତ

ଆଓରି-କେନ୍ଦ୍ରାପଡା(୦୭/୦୮): ଦୁର୍ଦ୍ଦାନ୍ତ ଅପରାଧୀ ଆସିଫ ଓରଫ ସେକ ମେହେତାବ କେନ୍ଦ୍ରାପଡା ପୁଲିସ ଏନକାଉଣ୍ଟରର ଶିକାର ହୋଇଛି। ଗତକାଲି ରାତି ପ୍ରାୟ ୩ଟା ୧୫ ପାଖାପାଖି ସମୟରେ ଗଣ୍ଡାକିଆ ରାସ୍ତାରେ ପେଟୁଆ ଛକ ଓ ଏରାଛକ ମଝିରେ ପୁଲିସ ଉପରକୁ ଗୁଳି ମାଡ କରି ଖସି ଯାଉଥିବା ବେଳେ ପୁଲିସର ପାଲଟା ଗୁଳିରେ ମେହେତାବ ଆହତ ହୋଇଛି। ମେହେତାବର ୨ଟି ଆଣ୍ଠୁରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ମେଡିକାଲ ଓ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତା’ର ଅନ୍ୟ ଜଣେ ସହଯୋଗୀ ଖସି ଯାଇଥିବା କୁହାଯାଉଛି। ପୁଲିସ ମେହେତାବ ନିକଟରୁ ୨ଟି ମୋବାଇଲ,୨ଟି ସିମ, ଆଧାରକାର୍ଡ, ଗୋଟିଏ ନମ୍ବର ବିହୀନ ଗ୍ଲାମର ବାଇକ, ଗୋଟିଏ ୯ ଏମଏମ ପିସ୍ତଲ, ନଗଦ ୯ହଜାର ଟଙ୍କା, ଘଟଣାସ୍ଥଳରୁ ୯ଟି ଖୋକା ଓ ଗୋଟିଏ ଗୁଳି ଜବତ କରିଛି।ସାର୍ପସୁଟର ମେହେତାବ କେନ୍ଦ୍ରାପଡ଼ା ତିନିମୁହାଣି ବଜାର କମିଟି ସଭାପତି ତଥା ଧର୍ମ ଜାଗରଣ ସେନାର ଜିଲ୍ଲା ସଂଯୋଜକ ବାବୁଲି ଓରଫ ବିବେକାନନ୍ଦ ମହାରଣାଙ୍କୁ ଗୁଲନଗର ହାଇସ୍କୁଲ ନିକଟରେ ଗତ ଜୁଲାଇ ୧୩ ତାରିଖରେ ହୋଇଥିବା ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି।

ସୂଚନା ଅନୁଯାୟୀ ଆସିଫ ଗଣ୍ଡାକିଆ ରାସ୍ତାରେ ଏକ ନମ୍ବର ବିହୀନ ବାଇକରେ ଦ୍ରୁତ ଗତିରେ ଖସି ପଳାଉଥିବା ବେଳେ ପାଟ୍ରୋଲିଂ କରୁଥିବା ପୁଲିସ ହାବୁଡରେ ପଡ଼ିଥିଲା। ସେତେବେଳେ ସ୍ୱତନ୍ତ୍ର ସ୍କ୍ୱାଡ୍ ଓ ସଦର ଥାନା ପୁଲିସ୍ ତାକୁ ଅଟକାଇବାକୁ ଚେଷ୍ଟା କଲା ବେଳେ ସେ ପୁଲିସ୍ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରିଥିଲା। ପୁଲିସ୍ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିବା ବେଳେ ୫ଟିରୁ ୪ଟି ଗୁଳି ମେହେତାବର ୨ ଆଣ୍ଠୁକୁ ଲାଗିଥିଲା। ଏସ୍ଡ଼ିପିଓ ରାଜୀବ ଲୋଚନ ପଣ୍ଡା, ସ୍ୱତନ୍ତ୍ର ସ୍କ୍ୱାଡ଼୍ ଏସ୍ଆଇ ପ୍ରଦୀପ୍ତ କାନୁନଗୋ, ସଦର ଆଇଆଇସି ମହେଶ୍ୱର ସେଠୀ ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ତାକୁ ଘେରି ଯାଇ କାବୁ କରି ନେଇଥିଲେ। କିନ୍ତୁ ମେହେତାବର ଜଣେ ସହଯୋଗୀ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ମେହେତାବ ୧୦ଟି ସଂଗୀନ ଅପରାଧରେ ସଂପୃକ୍ତ ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଦୀର୍ଘ ୪ ମାସ ବ୍ୟବଧାନରେ କେନ୍ଦ୍ରାପଡ଼ା ପୁଲିସ୍‌ ପୁଣିଥରେ ଏନକାଉଂଟରରେ ସଫଳ ହୋଇଛି। ଗଲା ୧୫ ମାସ ଭିତରେ ସେକ୍ ମେହେତାବକୁ ମିଶାଇ ପୁଲିସ୍‌ ୧୧ଟି ଏନକାଉଣ୍ଟର କରି ସାରିଲାଣି।

Related Articles

Leave a Reply

Your email address will not be published. Required fields are marked *

Back to top button