May 20, 2024

ବିଜେଡି ରାଜନୈତିକ ଆତଙ୍କବାଦ ସୃଷ୍ଟି କରୁଛି ; ପୃଥ୍ୱୀରାଜ ହରିଚନ୍ଦନ

1 min read

ଆଓରି-ଭୁବନେଶ୍ଵର(୧୯/୦୮) : ପଶ୍ଚିମ ଓଡ଼ିଶାର ବନ୍ୟାଞ୍ଚଳ ପରିସ୍ଥିତି ସମୀକ୍ଷା କରିବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ, ବିରୋଧ କରାଯିବା ଘଟଣାକୁ ରାଜ୍ୟ ବିଜେପି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଏହା ସହ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ମୁଖ୍ୟମନ୍ତ୍ରୀ ସେଠାକାର ଲୋକଙ୍କ ଦୁଃଖ ବୁଝିବାକୁ ଗଲେ ନାହିଁ । କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଠାକୁ ଯାଇଥିଲେ, ଏଥିରେ ଅସହିଷ୍ଣୁ ହୋଇପଡ଼ିଥିଲେ ବିଜେଡି କର୍ମୀ । ତେଣୁ ସେମାନେ କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ କରିଥିଲେ । ସେଠାକାର ଲୋକ ଅତ୍ୟନ୍ତ ଦୁଃଖ ଓ ଦୁର୍ଦ୍ଦଶାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ସେଠାକୁ ଗଲେ ନାହିଁ ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୁଖ୍ୟମନ୍ତ୍ରୀ ବିଜେଡି କର୍ମୀଙ୍କୁ ବ୍ୟବହାର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିରୋଧ କରିବା ଅତ୍ୟନ୍ତ ଲଜ୍ଜାଜନକ କଥା ।

ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀରରେ ପହଞ୍ଚିବା ପରେ ସେଠାରେ ଯେଉଁଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରାଯାଇଥିଲା, ତା’ବିରୋଧରେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଥିଲା ବିଜେପି । ହେଲେ ଉତ୍ତେଜନାକାରୀ ସରକାରୀ ଦଳର ହୋଇଥିବା ଯୋଗୁଁ ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ତେବେ ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ଦାବି କରିଛି ।

ବଲାଙ୍ଗୀରର ବନ୍ୟାଞ୍ଚଳରେ ରିଲିଫ୍‌ ବ୍ୟବସ୍ଥା ସଠିକ୍‌ ଭାବେ ଚାଲୁଛି କି ନାହିଁ ତାହା ବୁଝିବା ସହ ଲୋକଙ୍କ ଦୁଃଖ ବୁଝିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଥାନୀୟ ସାଂସଦ ଓ ନେତାମାନେ ଡାକିଥିଲେ । କିନ୍ତୁ ସେଠାରେ ବିଜେଡି ନିଜର ଗୁଣ୍ଡାରାଜ୍‌ ଦେଖାଇଛି ବୋଲି ରାଜ୍ୟ ବିଜେପି ପକ୍ଷରୁ ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି । ବିଜେଡିର ଏଭଳି ଆଚରଣକୁ ରାଜନୈତିକ ଆତଙ୍କବାଦ ବୋଲି କହି ଆକ୍ଷେପ କରିଛି ବିଜେପି । ଏହାକୁ ବନ୍ଦ କରିବାକୁ ହେବ, ନଚେତ୍‌ ଭବିଷ୍ୟତରେ ଏହାର ପରିଣାମ ଭୟାବହ ହେବାର ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.