ଖେଳ

୨୦୧୯ ବିଶ୍ୱକପ୍‍ ପରେ ଯୁବରାଜ ନେବେ ସନ୍ୟାସ

ଆଓରି(ତା୨୪|୪)-  ବରିଷ୍ଠ ଭାରତୀୟ କ୍ରିକେଟ୍‍ର ଯୁବରାଜ ସିଂହ କେବେ ଅବସର ନେବେ ତାହାକୁ ନେଇ ନାନା ମତ ପ୍ରକାଶ ପାଉଥିବା ବେଳେ ୨୦୧୯ ବିଶ୍ୱକପ୍‍ ପରେ ଅବସର ଗ୍ରହଣ ସଂପର୍କରେ ସେ ନିଷ୍ପତ୍ତି ନେବେ ବୋଲି ଯୁବରାଜ ସ୍ପଷ୍ଟ କରି ଦେଇଛନ୍ତି।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ୩୬ ବର୍ଷୀୟ ଏହି ଅଲରାଉଣ୍ଡର କହିଥିଲେ ୨୦୧୯ ପର୍ଯ୍ୟନ୍ତ କ୍ରିକେଟ୍‍ ଖେଳିବାକୁ ସେ ଆଶା ରଖିଛନ୍ତି। ସେହିବର୍ଷ ବିଶ୍ୱକପ୍‍ କ୍ରିକେଟ୍‍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱକପ୍‍ ଶେଷ ହେବା ପରେ ଅବସର ଗ୍ରହଣ ସଂପର୍କରେ ନିଷ୍ପତ୍ତି ନେବେ। ସେ ୨୦୦୦ ମସିହାରୁ ଅନ୍ତର୍ଜାତୀୟ କ୍ରିକେଟ୍‍ ଖେଳୁଛନ୍ତି। ଇତିମଧ୍ୟରେ ୧୮ ବର୍ଷ ସଂପୂର୍ଣ୍ଣ କରି ସାରିଲେଣି। ପ୍ରତ୍ୟେକ ଖେଳାଳି ଦିନେ ନା ଦିନେ କ୍ରିକେଟ୍‍ରୁ ଅବସର ନେଇଥାନ୍ତି। ତେଣୁ ଅବସର ଗ୍ରହଣକୁ ନେଇ ସେ ଆଦୌ ଚିନ୍ତିତ ନୁହନ୍ତି। ତେବେ ତାଙ୍କ ନିକଟରେ ଆଉ କିଛିବର୍ଷ କ୍ରିକେଟ୍‍ ଖେଳିବାର ଦକ୍ଷତା ରହିଥିବା ଅନୁଭବ କରୁଛନ୍ତି। ଏହାକୁ ଦୃଷ୍ଟିରେ ୨୦୧୯ ବିଶ୍ୱକପ୍‍ କ୍ରିକେଟ୍‍ ପରେ ଅବସର ଗ୍ରହଣ ସଂପର୍କରେ ନିଷ୍ପତ୍ତି ନେବେ। ଯୁବରାଜ ଜାତୀୟ ଦଳ ତରଫରୁ ୨୦୧୭ ଜୁନ୍‍ରେ ଶେଷଥର ପାଇଁ ଦିନିକିଆ ମ୍ୟାଚ୍‍ରେ ଖେଳିଥିଲେ। ଆଇପିଏଲ୍‍ରେ କିଙ୍ଗ୍‍ସ ଏକାଦଶ ତରଫରୁ ଖେଳୁଥିବା ଯୁବରାଜ କହିଛନ୍ତି ଆଇପିଏଲ୍‍ର ସେମିଫାଇନାଲ ନିମନ୍ତେ ଯୋଗ୍ୟତା ହାସଲ କରିବା ଦଳର ପରବର୍ତ୍ତୀ ଲକ୍ଷ୍ୟ। କିଙ୍ଗସ୍‍ ଏକାଦଶ ଦଳ ବେଶ୍‍ ଶକ୍ତିଶାଳୀ ଥିବା ଯୁବରାଜ କହିଛନ୍ତି।
ଦଳର ବ୍ୟାଟିଂ ବେଶ୍‍ ଶକ୍ତିଶାଳୀ ଥିବା ବେଳେ ବୋଲରମାନେ ମଧ୍ୟ ବେଶ୍‍ ଭଲ ଫର୍ମରେ ଅଛନ୍ତି। ତେଣୁ ଦଳ ସେମିଫାଇନାଲକୁ ପ୍ରବେଶ କରିବାକୁ ଆଶା ରଖିଛି। ବର୍ତ୍ତମାନ ଦଳ ଯେପରି ଭାବେ ପ୍ରଦର୍ଶନ କରୁଛି ତାହାକୁ ଦୃଷ୍ଟିରେ ରଖି ଦଳ ଚମ୍ପିଆନ୍‍ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ଗତ ୧୯ରେ ସନରାଇଜର୍ସ ହାଇଦରାବାଦ୍‍ ବିପକ୍ଷରେ ଶତକ ହାସଲ କରିଥିବା ସାଥୀ ଖେଳାଳି କ୍ରିସ୍‍ ଗେଲ୍‍ଙ୍କ ଉଚ୍ଚପ୍ରଶଂସା କରି ଯୁବରାଜ କହିଥିଲେ, ଯଦି ଗେଲ୍‍ ସମାନ ପ୍ରକାର ପ୍ରଦର୍ଶନ ବଜାୟ ରଖନ୍ତି ତେବେ ପଞ୍ଜାବ ଦଳକୁ ବିଜୟୀ ହେବାରୁ କେହି ବଞ୍ଚିତ କରିପାରିବେ ନାହିଁ। ଗେଲ୍‍ଙ୍କ ସହ ଖେଳିବାର ସୁଯୋଗ ପାଇଥିବାରୁ ସେ ବେଶ୍‍ ଖୁସି ଅଛନ୍ତି ବୋଲି ଯୁବରାଜ କହିବା ସହ ସେ ବିଶ୍ୱର ସବୁଠାରୁ ବିସ୍ଫୋରକ ବ୍ୟାଟସମ୍ୟାନ୍‍ ବୋଲି ସ୍ପଷ୍ଟ କରି ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button