ଜାତୀୟ

ଯୁବପିଢ଼ିଙ୍କ କାନ୍ଧରେ ଭାରତର ଭାଗ୍ୟ : ରାଷ୍ଟ୍ରପତି

ନୂଆଦିଲ୍ଲୀ  : ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେପକାଇଛନ୍ତି ଯେଉଁମାନେ ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳୀ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ସାଧାରଣତନ୍ତ୍ର ଦିବସ ଅବସରରେ ସେହି ଲକ୍ଷାଧିକ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ ପ୍ରୟାସ ଏବଂ ବଳିଦାନକୁ, କୃତଜ୍ଞତାର ସହିତ ସ୍ମରଣ କରିବାର ଦିବସ, ଯେଉଁମାନେ ନିଜ ଲୁହ-ଲହୁ ଏକ କରି, ଆମକୁ ସ୍ୱାଧୀନତା ଦେଇଥିଲେ ଏବଂ ଆମ ଗଣତନ୍ତ୍ରର ନିର୍ମାଣ କଲେ। ସର୍ବୋପରି, ଆଜିର ଦିନ ଆମ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରଣାମ କରିବାର ଦିବସ ।

ଜାନୁଆରୀ୨୬, ୧୯୫୦ରେ ଭାରତ ଗଣତନ୍ତ୍ରର ମାନ୍ୟତା ପାଇଥିଲା। ଆମ ରାଷ୍ଟ୍ର ନିର୍ମାଣର ଯାତ୍ରାରେ, ଏହା ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଥିଲା। ରାଷ୍ଟ୍ର ନିର୍ମାଣ ଏକ ଭବ୍ୟ ଏବଂ ବିଶାଳ ଅଭିଯାନ ଅଟେ। ଏଥିସହିତ ଲକ୍ଷ ଲକ୍ଷ ନୁହେଁ, ବରଂ କୋଟି କୋଟି ଛୋଟ-ବଡ଼ ଅଭିଯାନକୁ ଯୋଡ଼ି ନିର୍ମିତ ହୋଇଥିବା ଏକ ସମ୍ପୂର୍ଣ୍ଣ ଅଭିଯାନ ଅଟେ। ଏ ସମସ୍ତ ଛୋଟ-ବଡ଼ ଅଭିଯାନ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ଆତ୍ମ-ବିଶ୍ୱାସରେ ପରିପୂର୍ଣ୍ଣ ହୋଇ ଏବଂ ଭବିଷ୍ୟତର ଚିନ୍ତା କରୁଥିବା ଯୁବକମାନେ ହିଁ ଏକ ଆତ୍ମବିଶ୍ୱାସପୂର୍ଣ୍ଣ ଏବଂ ପ୍ରଗତିଶୀଳ ରାଷ୍ଟ୍ରର ନିର୍ମାଣ କରିଥାନ୍ତି। ଆମର ୬୦ ପ୍ରତିଶତରୁ ଅଧିକ ଦେଶବାସୀ, ୩୫ ବର୍ଷରୁ କମ ବୟସର ଅଟନ୍ତି। ଏମାନଙ୍କ ଉପରେ ହିଁ ଦେଶର ଭାଗ୍ୟ ଓ ଭବିଷ୍ୟତ ନିର୍ଭର କରେ। ନିଃସ୍ୱାର୍ଥ ଭାବନା ରଖୁଥିବା ନାଗରିକ ଏବଂ ସମାଜରୁ ହିଁ; ଏକ ନିଃସ୍ୱାର୍ଥ ଭାବନାସମ୍ପନ୍ନ ରାଷ୍ଟ୍ର ନିର୍ମାଣ ହୋଇଥାଏ। ସ୍ୱେଚ୍ଛାସେବୀ ସଂସ୍ଥା ବେସାହାରା ଲୋକମାନଙ୍କୁ ଏବଂ ଶିଶୁମାନଙ୍କୁ ଏବଂ ଏପରିକି ବେସାହାରା ପଶୁମାନଙ୍କର ମଧ୍ୟ ଯତ୍ନ ନେଇଥା’ନ୍ତି; ସମୁଦ୍ର ଉପକୂଳ ତଥା ନଦୀ ତଟ ଭଳି ସର୍ବସାଧାରଣ ସ୍ଥାନକୁ ସଫା ରଖିଥାନ୍ତି। ଏପରି ରାଷ୍ଟ୍ରରେ, ସମୃଦ୍ଧ ପରିବାର, ନିଜ ଇଚ୍ଛାରେ, ନିଜ ସୁବିଧାର ତ୍ୟାଗ କରିଦେଇଥାଏ-ଆଜି ଏହା ସବସିଡିଯୁକ୍ତ ଏଲପିଜି ହେଉ, କିମ୍ବା କାଲି ଅନ୍ୟ କୌଣସି ସୁବିଧା ହେଉ-ଯଦ୍ଦ୍ୱାରା ଏହାର ଲାଭ କୌଣସି ଗରିବ ପରିବାରକୁ ମିଳିପାରିବ।


ରାଷ୍ଟ୍ରପତି କହିଛନ୍ତି ଦେଶର ଲୋକମାନଙ୍କୁ ନେଇ ହିଁ ଗଣତନ୍ତ୍ର ନିର୍ମିତ ହୁଏ। ଆମର ନାଗରିକ, କେବଳ ଗଣତନ୍ତ୍ରର ନିର୍ମାତା ଏବଂ ସଂରକ୍ଷକ ନୁହନ୍ତି, ବରଂ ସେମାନେ ହିଁ ଏହାର ଆଧାର ସ୍ତମ୍ଭ ଅଟନ୍ତି। ଆମର ପ୍ରତ୍ୟେକ ନାଗରିକ, ଆମ ଗଣତନ୍ତ୍ରକୁ ଶକ୍ତି ଦେଇଥାନ୍ତି। ପ୍ରତ୍ୟେକ ସୈନିକ, ଯିଏ ଆମ ଦେଶର ରକ୍ଷା କରିଥାଏ; ପ୍ରତ୍ୟେକ କୃଷକ ଯିଏ ଆମ ଦେଶବାସୀଙ୍କ କ୍ଷୁଧା ଦୂର କରିଥାଏ; ପ୍ରତ୍ୟେକ ପୁଲିସ ଏବଂ ଅର୍ଦ୍ଧସାମରିକବାହିନୀ, ଯିଏ ଆମ ଦେଶକୁ ସୁରକ୍ଷିତ ରଖିଥାଏ; ପ୍ରତ୍ୟେକ ମା’, ଯିଏ ଦେଶବାସୀଙ୍କ ଲାଳନପାଳନ କରିଥାଏ; ପ୍ରତ୍ୟେକ ଡାକ୍ତର, ଯିଏ ଦେଶବାସୀଙ୍କ ଚିକିତ୍ସା କରିଥାଏ; ପ୍ରତ୍ୟେକ ଶିକ୍ଷକ, ଯିଏ ଆମ ଦେଶକୁ ଶିକ୍ଷିତ କରିଥାଏ; ପ୍ରତ୍ୟେକ ଯୁବକ, ଯାହା ନିକଟରେ ଆମର ଶକ୍ତି, ଆଶା, ଏବଂ ଭବିଷ୍ୟତ ସମାହିତ ହୋଇ ରହିଛି; ଏବଂ ପ୍ରତ୍ୟେକ କୋମଳମତି ଶିଶୁ, ଯିଏ ଆମ ଦେଶ ଲାଗି ନୂଆ ସ୍ୱପ୍ନ ଦେଖିଥାଏ।

ସାହି-ଗ୍ରାମ ଏବଂ ସହର ସ୍ତରରେ ସଚେତନ ରହୁଥିବା ନାଗରିକମାନଙ୍କ ଠାରୁ ହିଁ, ଏକ ସତେତନ ରାଷ୍ଟ୍ରର ନିର୍ମାଣ ହୋଇଥାଏ। ଆମେ ଆମ ପଡ଼ୋଶୀଙ୍କ ବ୍ୟକ୍ତିଗତ ବ୍ୟାପାର ଏବଂ ଅଧିକାରକୁ ସମ୍ମାନ କରିଥାଉ। ଏପରି ଉଦାରପୂର୍ଣ୍ଣ ବ୍ୟବହାରକୁ ହିଁ, ଭ୍ରାତୃତ୍ୱଭାବ କହିଥାନ୍ତି। ଆମେ ‘ନିରନ୍ତର ବିକାଶ’ ଲକ୍ଷ୍ୟ ହାସଲ ଦିଗରେ ଦ୍ରୁତଗତିରେ ଆଗକୁ ବଢ଼ିଚାଲିଛୁ। ଏହି ଲକ୍ଷ୍ୟ ଅନ୍ତର୍ଗତ ଆମେ ଦାରିଦ୍ର୍ୟ ଦୂରୀକରଣ, ସମସ୍ତଙ୍କ ପାଇଁ ଉତ୍ତମ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଇବା ଏବଂ ଆମର ଝିଅମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ଦେବା ଲାଗି ପ୍ରତିଶ୍ରୁତିବଦ୍ଧ ଅଟୁ। ଆମକୁ ସ୍ୱଚ୍ଛ, ସବୁଜ ଏବଂ ସକ୍ଷମ ଶକ୍ତି, କମ୍‌ ମୂଲ୍ୟରେ ଲୋକମାନଙ୍କ ନିକଟରେ ପହଁଚାଇବାର ଅଛି। ଆମକୁ ‘ସମସ୍ତଙ୍କ ପାଇଁ ବାସଗୃହର ଲକ୍ଷ୍ୟ, ସେହି କୋଟି କୋଟି ପରିବାର ନିକଟରେ ପହଁଚାଇବାର ଅଛି, ଯେଉଁମାନେ ଆଜି ଖଣ୍ଡେ ଘର ଅପେକ୍ଷାରେ ଅଛନ୍ତି। ଆମକୁ ଏପରି ଏକ ଆଧୁନିକ ଭାରତର ନିର୍ମାଣ କରିବାକୁ ଅଛି, ଯାହା ପ୍ରତିଭାସମ୍ପନ୍ନ ଲୋକମାନଙ୍କର ଏବଂ ସେମାନଙ୍କ ପ୍ରତିଭାର ଉପଯୋଗ ଲାଗି ଅସୀମ ସୁଯୋଗ ଦେଉଥିବା ଦେଶ ହୋଇଥିବ।

Related Articles

Leave a Reply

Your email address will not be published. Required fields are marked *

Back to top button