ଜାତୀୟ

୬୦୦ କିଲୋମିଟର ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ ୱେ ନିର୍ମାଣ ଘୋଷଣା କଲେ ଯୋଗୀ ଆଦିତ୍ୟନାଥ

ଆଓରି-ନୂଆଦିଲ୍ଲୀ(୨୯/୦୧) : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର କୁମ୍ଭମେଳାରେ ଅନୁଷ୍ଠିତ ରାଜ୍ୟ  ମନ୍ତ୍ରିମଣ୍ଡଳ ବୈଠକରେ ୬୦୦ କିଲୋମିଟର ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ ୱେ ନିର୍ମାଣ ଘୋଷଣା କରିଛନ୍ତି। ଏହା ହେବ ବିଶ୍ୱର ସବୁଠାରୁ ଲମ୍ବା ଏକ୍ସପ୍ରେସ୍ ୱେ। ଏହା ପଶ୍ଚିମ ଉତ୍ତରପ୍ରଦେଶ ସହ ପ୍ରୟାଗରାଜକୁ ସଂଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ବୈଠକରେ କହିଛନ୍ତି।

ଏହି ଏକ୍ସପ୍ରେସ୍ ୱେ ତିଆରି ସକାଶେ ୬,୫୫୦ ହେକ୍ଟର ଜମି ଅଧିଗ୍ରହଣ ସହ ପ୍ରାୟ ୩୬,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ କରାଯାଇଛି। ପ୍ରଥମରୁ ଏହା ୪ ଲେନ୍‌ ବିଶିଷ୍ଟ ଏକ୍ସପ୍ରେସ୍ ୱେ ହେବା ବେଳେ ପରେ ୬ଟି ଲେନ୍‌ ବିଶିଷ୍ଟ କରାଯିବାର ଯୋଜନା ରହିଛି।

ଏହି ଗଙ୍ଗା ଏକ୍ସପ୍ରେସ୍ ୱେ ମିରଟ-ଅମରୋହ-ବୁଲନ୍ଦସର୍‌-ବୁଦୌ-ଶାହାଜନପୁର-କନୌଜ-ଉନାଓ-ରାଏବରେଲି-ପ୍ରତାପଗଡ଼ ଆଦି ଅଞ୍ଚଳ ହୋଇ ପ୍ରୟାଗରାଜରେ ପହଞ୍ଚିବ।ମନ୍ତ୍ରିମଣ୍ଡଳ ବୈଠକରେ ଆଉ ଏକ ନିଷ୍ପତ୍ତି  ହୋଇଛି। ରାଜ୍ୟ ମନ୍ତ୍ରିମଣ୍ଡଳ ବଲିଉଡ୍‌ ଚଳଚ୍ଚିତ୍ର ‘ଉରି’କୁ ରାଜ୍ୟ ଜିଏସ୍‌ଟିରୁ ମୁକ୍ତ କରିବାର ନିଷ୍ପତ୍ତି ନେଇଛନ୍ତି।

ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  କହିଛନ୍ତି କି ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଉରି’କୁ ରାଜ୍ୟ ଜିଏସ୍‌ଟି ମୁକ୍ତ କରିବା ପାଇଁ ମନ୍ତ୍ରିମଣ୍ଡଳ ନିଷ୍ପତ୍ତି କରିଛି। ଦେଶର ଯୁବ ନାଗରିକଙ୍କ ଭିତରେ ଏହି ଚଳଚ୍ଚିତ୍ର ଜାତୀୟତାବାଦର ଭାବନା ସୃଷ୍ଟି କରିବ।’

Related Articles

Leave a Reply

Your email address will not be published. Required fields are marked *

Back to top button