ରାଜନୀତି

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦ୍ୟୁରପ୍ପା

ଆ.ଓ.ରି(ତା୧୭|୫)-ମିଡ୍ ନାଇଟ୍ ହାଇଡ୍ରାମା ପରେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ କର୍ଣ୍ଣାଟକରେ ଗଠିତ ହୋଇଛି ବିଜେପି ସରକାର।  ବି.ଏସ୍. ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ସକାଳେ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳ ବଜୁ ଭାଇ ଭାଲା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।  ଏଥିପାଇଁ ରାଜଭବନରେ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା।ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୟେଦ୍ୟୁରପ୍ପା ବିଜୟ ସୂଚକ ବା VICTORY SIGN ଦେଖାଇଥିଲେ। ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ବି.ଏସ୍. ୟେଦ୍ୟୁରପ୍ପା ଶପଥ ଗ୍ରହଣ କରିଛନ୍ତି।  ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ଏଥର କର୍ଣ୍ଣାଟକରେ ନିର୍ବାଚନ ଲଢ଼ିଥିଲା ବିଜେପି।  ବହୁମତ ମିଳିନଥିଲେ ମଧ୍ୟ ତାଙ୍କୁ ସରକାର ଗଠନର ସୁଯୋଗ ଦେଇଛନ୍ତି ରାଜ୍ୟପାଳ।  ବିଜେପି ଏଥର ୧୦୪ଟି ଆସନରେ ଜିତିଛି।  ବିଜେପି ସପକ୍ଷରେ ଆଉ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଅଛି।ଅନ୍ୟପକ୍ଷରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣକୁ କଂଗ୍ରେସ ବିରୋଧ କରିଛି।  ବିଧାନସଭା ପରିସର ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି କଂଗ୍ରେସ ନେତା।ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ୟେଦ୍ୟୁରପ୍ପା।  ଏହା ଆଗରୁ ପ୍ରଥମେ ୨୦୦୭ ନଭେମ୍ବରରେ ୧୨ ତାରିଖରୁ ୧୯ ତାରିଖ ଯାଏ ମାତ୍ର ୮ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ୟେଦି।  ତାଙ୍କରି କରିସ୍ମା ବଳରେ ୨୦୦୮ରେ ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଥିଲ॥  ୨୦୦୮ ମେ ୩୦ରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ।  ପ୍ରାୟ ୩ ବର୍ଷ ଧରି ସେ ଏହି ପଦରେ ରହିଥିଲେ।  କିନ୍ତୁ କାଳ ହୋଇଥିଲା ଖଣି ଦୁର୍ନୀତି ଅଭିଯୋଗ।ଲୋକପାଳଙ୍କ ରିପୋର୍ଟ ପରେ ୨୦୧୧ରେ ସେ ମୁଖ୍ୟମନ୍ତ୍ରୀ  ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।  ବିଜେପି ସହିତ ତୀବ୍ର ମତଭେଦ ହେବାରୁ ବିଜେପି ଛାଡ଼ି ସେ ଗଠନ କରିଥିଲେ ନୂଆ ଦଳ।  ୨୦୧୨ରେ ସେ ନୂଆଦଳ ଗଠନ କରିଥିଲେ ମଧ୍ୟ ବିଧାନସଭା କିମ୍ବା ଲୋକସଭା ନିର୍ବାଚନରେ ତାଙ୍କୁ ବିଶେଷ ସଫଳତା ମିଳିନଥିଲା।  କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ପୁଣି ବିଜେପି କୋଳକୁ ଫେରିଥିଲେ ୟେଦି ଏବଂ ଏଥର ତାଙ୍କୁ ହିଁ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଥିଲା।ଗତକାଲି କଂଗ୍ରେସ ଓ ଜେଡିଏସ୍ ପକ୍ଷରୁ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ତେଣୁ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନିଶ୍ଚିତ ହୋଇଥିଲା। ତେବେ ୟେଦ୍ୟୁରପ୍ପା ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମଧ୍ୟ ଦ୍ୱନ୍ଦ୍ୱ ଦୂର ହୋଇନି। କାରଣ ୟେଦ୍ୟୁରପ୍ପାଙ୍କ ସରକାର ଉପରୁ ଏବେ ମଧ୍ୟ ସଙ୍କଟ ଲାଗି ରହିଛି। କାରଣ କଂଗ୍ରେସ ଓ ଜେଡିଏସର ଅାବେଦନ ଉପରେ ସୁପ୍ରିମକୋର୍ଟ ଅାସନ୍ତାକାଲି ସାଢେ ୧୦ଟାରେ ପୁଣି ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button