ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ: ବିଶ୍ୱର ପ୍ରଦୂଷିତ ସହର ତାଲିକାରେ ଭାରତର ୧୪ ସହର, ଶୀର୍ଷରେ କାନପୁର
1 min read
ଆଓରି(ତା୨|୫)-ବିଶ୍ୱର ପ୍ରଦୂଷିତ ସହରଗୁଡ଼ିକର ତାଲିକା ପ୍ରକାଶ କରିଛି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ। କିନ୍ତୁ ଚିନ୍ତାର ବିଷୟ ହେଉଛି କି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ତାଲିକାରେ ଭାରତର କାନପୁର ସହର ଶାର୍ଷ ସ୍ଥାନରେ ରହିଛି। ସେହିଭଳି ମେଟ୍ରୋ ସିଟିଗୁଡ଼ିକ ମଧ୍ୟରୁ ଦିଲ୍ଲୀ ପ୍ରଦୂଷିତ ସହର ମଧ୍ୟରେ ୧ ନମ୍ବର ସ୍ଥାନରେ ରହିଛି।
କେବଳ ସେତିକି ନୁହେଁ ଟପ୍ ୧୫ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୪ଟି ସହର ରହିଛି। PM 2.5ର ପରିମାଣକୁ ନେଇ ଏହି ସର୍ଭେ କରାଯାଇଛି। କାନପୁରରେ PM 2.5 ର ପରିମାଣ କ୍ୟୁବିକ୍ ମିଟର ପିଛା ୧୭୩ ମାଇକ୍ରୋ ଗ୍ରାମ ରହିଛି।
ପ୍ରଦୂଷିତ ସହର ତାଲିକାରେ ଥିବା ଭାରତର ଅନ୍ୟ ସହରଗୁଡ଼ିକ ହେଲା ଫରିଦାବାଦ, ବାରାଣସୀ, ଗୟା, ପାଟନା, ଦିଲ୍ଲୀ, ଲକ୍ଷ୍ନୌ, ଆଗ୍ରା, ମୁଜାଫରପୁର, ଶ୍ରୀନଗର, ଗୁରୁଗ୍ରାମ, ଜୟପୁର ପଟିଆଲା ଓ ଯୋଧପୁର। ବଡ଼ ବଡ଼ ସିଟିକୁ ବିଚାରକୁ ନେଲେ ଦିଲ୍ଲୀ ପ୍ରଥମ ସ୍ଥାନରେ ଓ ମୁମ୍ବାଇ ଚତୁର୍ଥ ସ୍ଥାନରେ ରହିଛି।
୨୦୧୦ରୁ ୨୦୧୬ ମଧ୍ୟରେ ୧୦୮ଟି ଦେଶର ୪୩୦୦ଟି ଛୋଟ ବଡ଼ ସହରକୁ ନେଇ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ଏହି ସର୍ଭେ କରିଥିଲା। ତେବେ ଏହି ରିପୋର୍ଟରେ ଦକ୍ଷିଣ ଏସିଆ ଓ ଆଫ୍ରିକାରେ ହିଁ ବେଶି ବାୟୁ ପ୍ରଦୂଷଣ ହେଉଛି ବୋଲି ବିଶ୍ୱ,ସ୍ୱାସ୍ଥ୍ୟ ସଙ୍ଗଠନ ଦର୍ଶାଇଛି।
କିପରି ମପାଯାଏ ବାୟୁ ପ୍ରଦୂଷଣର ମାତ୍ରା
ବାୟୁମଣ୍ଡଳରେ PM2.5ର ପରିମାଣକୁ ନେଇ ପ୍ରଦୂଷଣ କେତେ ଅଛି ତାହା ସ୍ଥିର କରାଯାଇଥାଏ। ଯେଉଁ କଣିକାର ବ୍ୟାସ ୨.୫ ମାଇକ୍ରୋ ମିଟରରୁ କମ୍, ତାକୁ PM 2.5 ବୋଲି କୁହାଯାଏ।
PM 2.5 ହେଉଛି PM 10 ଅପେକ୍ଷା ଅଧିକ ବିପଜ୍ଜନକ। ଅର୍ଥାତ କଣିକା ଯେତେ ଛୋଟ ହେବ, ସେତେ ବଡ଼ ସମସ୍ୟା ସୃଷ୍ଟି କରିବ। କାରଣ ଛୋଟ କଣିକା ଅଧିକ ପରିମାଣରେ ନିଶ୍ୱାସ ପ୍ରଶ୍ୱାସରେ ଶରୀର ଭିତରେ ପ୍ରବେଶ କରି ବିଭିନ୍ନ ରୋଗ ସୃଷ୍ଟି କରିଥାଏ।
ବାୟୁ ପ୍ରଦୂଷଣର ମୁଖ୍ୟ କାରଣ
ବାୟୁ ପ୍ରଦୂଷଣ କରୁଥିବା ମୁଖ୍ୟ ଉପାଦାନଗୁଡ଼ିକ ହେଲେ ସଲ୍ଫେଟ, ନାଇଟ୍ରେଟ୍ ଓ ବ୍ଲାକ କାର୍ବନ। ଏହା ସହିତ ଘରୁ ବାହାରୁଥିବା ଆବର୍ଜନା, ଶିଳ୍ପ, କୃଷି, ପରିବହନ ଓ କୋଇଲା ଆଧାରିତ ତାପଜ ବିଦ୍ୟୁତ କେନ୍ଦ୍ର ଯୋଗୁଁ ମଧ୍ୟ ବାୟୁ ପ୍ରଦୂଷଣ ହୋଇଥାଏ।
ବାୟୁ ପ୍ରଦୂଷଣରେ ମୃତ୍ୟୁ ସଂଖ୍ୟା
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ବିଶ୍ୱରେ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ଏମାନଙ୍କ ମଧ୍ୟରୁ କେବଳ ଭାରତରେ ମୃତ୍ୟୁ ସଂଖ୍ୟା ହେଉଛି ୧୧ ଲକ୍ଷ।