କଳା ଓ ସଂସ୍କୃତି

ରଥଖଳାରେ ଆରମ୍ଭ ହେଲା ତୁମ୍ବ ନିର୍ମାଣ

ଆଓରି(ତା୨୦|୪)- ଆରମ୍ଭ ହୋଇଛି ରଥ ନିର୍ମାଣ। ଚଳଚଞ୍ଚଳ ହୋଇଛି ରଥଖଳା। ପ୍ରଥମେ ତୁମ୍ବ ପାଇଁ କାଠ କଟାଯାଉଛି । ୫ଫୁଟ ଗୋଲେଇର ଫାସିକାଠ ମହାରଣା ସେବକଙ୍କୁ ଯୋଗାଇ ଦିଆଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ, ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥପାଇଁ ୪୨ଟି ତୁମ୍ବ ନିର୍ମାଣ କରାଯିବ। ବୌଦ୍ଧ ଓ ନୟାଗଡ଼ ବନଖଣ୍ଡ ଅଧିକାରୀ ଏଥିପାଇଁ କାଠ ଯୋଗାଇଛନ୍ତି। ୧୦ଜଣ ମହାରଣା ସେବକ କାର୍ଯ୍ୟ ଆରମ୍ଭ କରିଛନ୍ତି। ଗୁରୁବାର କାଠଗୁଡ଼ିକୁ ମାପଚୁପ କରାଯିବା ସହ କରତରେ କଟାଯାଇଛି। ଶୁକ୍ରବାର ସେଗୁଡ଼ିକୁ ଗୋଲେଇ କରାଯିବ।
ରଥସଂହିତା ଅନୁଯାୟୀ ପ୍ରଥମେ ଚକ ନିର୍ମାଣ ବିଧି ରହିଥିବା ଦର୍ପଦଳନ ରଥ ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣା ସୂଚନା ଦେଇଛନ୍ତି। ବୁଧବାର ଅକ୍ଷୟ ତୃତୀୟା ତିଥିରେ ଆନୁଷ୍ଠାନିକଭାବେ ରଥ ନିର୍ମାଣ ଅନୁକୂଳ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩ରଥର ମୁଖ୍ୟ ମହାରଣା ସେବକଙ୍କ ମୁଣ୍ଡରେ ଶାଢ଼ି ବାନ୍ଧି ରଥ ନିର୍ମାଣ ପାଇଁ ବରଣ କରାଯାଇଥିଲା। ଏହାପରେ ନଡ଼ିଆ, ମାଳ ଓ ମାହାର୍ଦ ସହ ସେମାନେ ଶ୍ରୀନଅର ସମ୍ମୁଖ ରଥଖଳାରେ ପୂଜାର୍ଚ୍ଚନା କରିଥିଲେ। ରଥ ନିର୍ମାଣ ପାଇଁ ମହାରଣା ସେବକ ଅକ୍ଷୟ ତୃତୀୟାଠାରୁ ହବିଷବ୍ରତ ପାଳନ କରିଛନ୍ତି। ଆବଶ୍ୟକ କଣ୍ଟା କବ୍‍ଜା ପ୍ରସ୍ତୁତ ପାଇଁ ଦୋଳବେଦୀ କୋଣରେ ଅସ୍ଥାୟୀ କମାରଶାଳା ଖୋଲାଯାଇଛି। ଆଗାମୀ ଜୁଲାଇ ୧୪ତାରିଖରେ ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା, ୨୨ରେ ବାହୁଡ଼ା, ୨୩ରେ ସୁନାବେଶ, ୨୪ରେ ଅଧରପଣା ଏବଂ ୨୫ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button