ଖେଳ

ଏସୀୟ କ୍ରୀଡ଼ା ମହିଳା ହକି ଫାଇନାଲରେ ପ୍ରବେଶ କଲା ଭାରତ

ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୩୦/୮) : ଚଳିତ ଏସୀୟ କ୍ରୀଡ଼ାରେ ମହିଳା ହକି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ବୁଧବାର ଖେଳା ଯାଇଥିବା ୨ୟ ସେମିଫାଇନାଲ ମ୍ୟାଚ୍‍ରେ ଭାରତ ୧-୦ ଗୋଲ୍‍ରେ ଚୀନ୍‍କୁ ପରାସ୍ତ କରିଛି। ଏହି ବିଜୟ ସହ ସ୍ୱର୍ଣ୍ଣପଦକ ଜିତିବା ଦିଗରେ ଭାରତ ଆଉ ପାଦେ ଅଗ୍ରସର ହୋଇଛି। ଲିଗ୍‍ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍‍ ଜିତିଥିବା ଭାରତକୁ ଏହି ସେମିଫାଇନାଲରେ ଚୀନ୍‍ କଡ଼ା ମୁକାବିଲା ଦେଇଥିଲା। ବିଶେଷକରି ରକ୍ଷଣାତ୍ମକ ହକି ଖେଳିଥିବା ଚୀନ୍‍ର ଡିଫେନ୍‍ସ ଭେଦ କରିବାକୁ ଭାରତ ବିଫଳ ହୋଇଥିଲା। ୫୨ ମିନିଟରେ ପେନାଲ୍‍ଟି କର୍ଣ୍ଣରରୁ ଭାରତର ଗୁରଜିତ କୌର ଏକମାତ୍ର ବିଜୟସୂଚକ ଗୋଲ୍‍ ସ୍କୋର୍‍ କରିଥିଲେ। ଶୁକ୍ରବାର ଜାପାନ ବିରୋଧରେ ଭାରତ ଫାଇନାଲ ମ୍ୟାଚ୍‍ ଖେଳିବ।

ସେମିଫାଇନାଲ୍‍ର ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ପରସ୍ପରର ଗୋଲପୋଷ୍ଟ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ତେବେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟର ଅଭାବ ଦେଖିବାକୁ ମିଳିଥିଲା। ଫଳରେ କୌଣସି ଦଳ ଗୋଲ୍‍ ସ୍କୋର କରିବାକୁ ସକ୍ଷମ ହୋଇ ପାରିନଥିଲେ। ୨ୟ କ୍ୱାର୍ଟରରେ ଭାରତୀୟ ଖେଳାଳି ନିଜ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଚୀନ୍‍ ଗୋଲ୍‍ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ତେବେ ଚୀନ୍‍ର ଡିଫେନ୍‍ସ ଭେଦ କରିବାରେ ଭାରତୀୟ ଦଳର ଖେଳାଳିମାନେ ସଫଳ ହୋଇନଥିଲେ। ଫଳରେ ଦ୍ୱିତୀୟ କ୍ୱାର୍ଟର ମଧ୍ୟ ଗୋଲ୍‍ ଶୂନ୍ୟ ଭାବେ ଶେଷ ହୋଇଥିଲା। ତୃତୀୟ କ୍ୱାର୍ଟରରେ ଭାରତୀୟ ଖେଳାଳି ଗୋଲ୍‍ ସ୍କୋର କରିବାକୁ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଚୀନ୍‍ ଗୋଲରକ୍ଷକ ଏହାକୁ ପଣ୍ଡ କରି ଦେଇଥିଲେ। ତୃତୀୟ କ୍ୱାର୍ଟରରେ ରେଫରି ଭାରତକୁ ଏକ ପେନାଲ୍‍ଟି ଷ୍ଟ୍ରୋକ୍‍ ପ୍ରଦାନ କରିଥିଲେ। ତେବେ ଭିଡିଓ ରେଫରାଲ୍‍ ଚୀନ୍‍ ସପକ୍ଷରେ ଯାଇଥିଲା ଏବଂ ଭାରତକୁ ପେନାଲ୍‍ଟି ଷ୍ଟ୍ରୋକ୍‍ରୁ ବଞ୍ଚିତ କରାଯାଇଥିଲା।

ଏହାର କିଛିସମୟ ପରେ ଚୀନ୍‍ ଖେଳାଳିମାନେ ଗୋଲ୍‍ ସ୍କୋର କରିବାକୁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲ୍‍ ଦେବାରେ ବିଫଳ ହୋଇଥିଲେ। ଏହି କ୍ୱାର୍ଟରରେ ଭାରତକୁ ୨ଟି ପେନାଲ୍‍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଖେଳାଳିମାନେ ଏହାକୁ ଗୋଲ୍‍ରେ ପରିଣତ କରିବାରେ ବିଫଳ ହୋଇଥିଲେ। ତୃତୀୟ କ୍ୱାର୍ଟର ଶେଷ ବେଳକୁ ଭାରତୀୟ ଖେଳାଳି ରୀନାଙ୍କ ଏକ ସଟ୍‍ ଚୀନ୍‍ ଗୋଲପୋଷ୍ଟ ନିକଟ ଦେଇ ଚାଲି ଯାଇଥିଲା। ତୃତୀୟ କ୍ୱାର୍ଟର ମଧ୍ୟ ଗୋଲ୍‍ ଶୂନ୍ୟ ଭାବେ ଶେଷ ହୋଇଥିଲା। ଅନ୍ତିମ କ୍ୱାର୍ଟରରେ ଭାରତୀୟ ଖେଳାଳି ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ରାଣୀ ରାମପାଲ୍‍ ଓ ମୋନିକା ସୁଯୋଗ ପାଇଥିଲେ ମଧ୍ୟ ଏହାକୁ ଗୋଲ୍‍ରେ ପରିଣତ କରିବାରେ ଅସଫଳ ହୋଇଥିଲେ। ୫୨ ମିନିଟ୍‍ରେ ଭାରତକୁ ମିଳିଥିବା ପେନାଲ୍‍ଟି କର୍ଣ୍ଣରରୁ ଗୁରଜିତ କୌର ଗୋଲ୍‍ ସ୍କୋର କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଗୋଲ୍‍ ପରିଶୋଧ କରିବାକୁ ଚୀନ୍‍ ଖେଳାଳିମାନେ ବହୁ ପ୍ରୟାସ କରିଥିଲେ ମଧ୍ୟ ସଫଳତା ପାଇ ପାରିନଥିଲେ। ନିର୍ଦ୍ଧାରିତ ସମୟ ସମାପ୍ତ ହେବା ପରେ ଭାରତୀୟ ଦଳ ୧-୦ ଗୋଲ୍‍ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button