ଜାତୀୟ

ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ମିଳିବ ବୀର ଚକ୍ର ସମ୍ମାନ

ଆଓରି-ନୂଆଦିଲ୍ଲୀ(୦୮/୦୮) : ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ କେନ୍ଦ୍ର ସରକାର ଶୀର୍ଷ ସୈନ୍ୟ ସମ୍ମାନରେ ସମ୍ମାନିତ କରିପାରନ୍ତି। ଏହା ସହିତ ଜଡ଼ିତ ୨ ଜଣ ବରିଷ୍ଠ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ରିପୋର୍ଟ ଅନୁସାରେ, ଅଭିନନ୍ଦନଙ୍କୁ ‘ବୀର ଚକ୍ର’ ସମ୍ମାନ ପ୍ରଦାନ କରାଯାଇପାରେ। ଅଭିନନ୍ଦନ ଫେବୃୟାରୀ ୨୭ରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନ ଖସାଇ ଦେଇଥିଲେ। ଏହା ପୂର୍ବ ରାତିରେ ବାୟୁସେନା ପକ୍ଷରୁ ପାକ୍‌ ଅଧିକୃତ କାଶ୍ମୀର(ପିଓକେ)ର ବାଲାକୋଟରେ ବିମାନ ଆକ୍ରମଣ କରାଯାଇଥିଲା। ଏହା ପରେ ପାକିସ୍ତାନ ପକ୍ଷରୁ ଯୁଦ୍ଧ ବିମାନ ଜରିଆରେ ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ଆକ୍ରମଣ କରିଥିଲା।

ବାୟୁସେନା ଏହାର କଡ଼ା ଜବାବ ଦେବା ସହିତ ପାକ୍‌ ଯୁଦ୍ଧ ବିମାନକୁ ଘଉଡ଼ାଇ ଦେଇଥିଲା, ଯେଉଁଥିରେ ଅଭିନନ୍ଦନ ପାକିସ୍ତାନର ଏକ ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ। ଏଥିପାଇଁ ତାଙ୍କୁ ସାହସିକତା ପୁରସ୍କାର ସ୍ବରୂପ ବୀର ଚକ୍ର ପ୍ରଦାନ କରାଯାଇପାରେ ବୋଲି ସୂଚନା ମିଳିଛି। ସେହିପରି ବିମାନ ଆକ୍ରମଣ ସମୟରେ ବାଲାକୋଟରେ ବୋମା ବର୍ଷଣ କରିଥିବା ପାଇଲଟ୍‌ମାନଙ୍କୁ ବାୟୁସେନା ମେଡାଲ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ବୀର ଚକ୍ର ହେଉଛି ଯୁଦ୍ଧ ସମୟରେ ଦିଆଯାଉଥିବା ଭାରତର ତୃତୀୟ ସର୍ବୋଚ୍ଚ ବୀରତା ପୁରସ୍କାର।

Related Articles

Leave a Reply

Your email address will not be published. Required fields are marked *

Back to top button