କଳା ଓ ସଂସ୍କୃତିରାଜ୍ୟ

ଦିନସାରା ଉପାସରେ ମହାପ୍ରଭୁ

ଆଓରି(ତା୧୭|୪)- ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ସବୁ ସୀମା ସରହଦକୁ ଟିପିଯାଇଛି। ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କ ଜିଦ୍‌ ଏବଂ ବେଖାତିର ମନୋଭାବ ଲାଗି ହଟାହଟା ହୋଇଛନ୍ତି କାଳିଆ ଠାକୁର। ଓଳିଏ ଖାଇ ରାତି ସାରା ଉଜାଗର ରହିବା ପରେ ବି ମହାପ୍ରଭୁଙ୍କ ଯାତନା ଦୂର ହୋଇନି। ମଙ୍ଗଳବାର ଠାକୁର ସ୍ନାନ ସାରି ଦିନତମାମ୍‌ ଭୋକ ଉପାସରେ ରତ୍ନସିଂହାସନ ଉପରେ ବସିରହିଛନ୍ତି। ଭୋକିଲା ଠାକୁରଙ୍କ ଦର୍ଶନ କରି ଭକ୍ତ ବି ମହାପ୍ରସାଦ ନ ପାଇ ମନଦୁଃଖରେ ଫେରିଛନ୍ତି। ଭକ୍ତ ଓ ଭଗବାନଙ୍କ ଦୁର୍ଦ୍ଦଶା ସତ୍ତ୍ବେ ବି ଚେତିନାହାନ୍ତି ସେବାୟତ ଓ ଅଧିକାରୀ। ନିଜ ମନମାନି ଏବଂ ଜିଦ୍‌ ଲାଗି ଶ୍ରୀମନ୍ଦିରରେ ଅଚଳାବସ୍ଥା ଦୂର ହୋଇପାରିନାହିଁ। ବୁଧବାର ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରଥ ଅନୁକୂଳ ଏବଂ ଚନ୍ଦନ ଯାତ୍ରା ରହିଛି। ମହାପ୍ରଭୁଙ୍କ ଏହି ମହାନ୍‌ ପର୍ବର ନୀତିକାନ୍ତି ପ୍ରଭାବିତ ହେବା ସ୍ପଷ୍ଟ ଜଣାପଡୁଛି।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଳ ଦେଖାଇ କେତେଜଣ ସେବାୟତ ମନମାନି କରିବାରୁ ସୋମବାର ମହାପ୍ରଭୁଙ୍କ ନୀତିରେ ଘଟିଲା ଅହେତୁକ ବିଭ୍ରାଟ। ଠାକୁର ଓଳିଏ ଖାଇ ରାତି ସାରା ଉପାସ ଓ ଅନିଦ୍ରାରେ ରହିଲେ। ଏହା ପରେ ବି ସେବାୟତ ଓ ପ୍ରଶାସନର ନିଦ ଭାଙ୍ଗିଲା ନାହିଁ। ମଙ୍ଗଳବାର ମଙ୍ଗଳ ଆଳତି ଘଣ୍ଟାଏ ବିଳମ୍ବରେ ହେଲା। ଏହାପରେ ସକାଳ ୮ଟାରେ ଅବକାଶ ଓ ବେଶ ନୀତି ବଢିଲା। କିନ୍ତୁ ସୋମବାର ପ୍ରସ୍ତୁତ ହୋଇଥିବା ଅମୁଣିଆ ଭୋଗ ରୋଷଘରେ ରହିଥିବାରୁ ଆଉ କୌଣସି ନୀତି ଆଗକୁ ବଢିପାରିଲା ନାହିଁ। ରୋଷଘର ଧୋ ପଖାଳ ପାଇଁ ପ୍ରଶାସନ ପ୍ରସ୍ତୁତ ହେଉ ହେଉ ୨ରୁ ୩ ଘଣ୍ଟା ବିତିଗଲା। ଅନ୍ୟପଟେ ଅମୁଣିଆ ଭୋଗର କ୍ଷତିପୂରଣ ଦାବିକରି ସୁଆର ସେବକମାନେ ରୋଷଘର ସମ୍ମୁଖରେ ଧାରଣାରେ ବସି ରହିଲେ। ଏଭଳି ସ୍ଥିତି ଲାଗିରହିବା ପରେ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି ଆଲୋଚନା ପାଇଁ ଧାରଣାରତ ସୁଆର ସେବକଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଡାକିଲା। କିନ୍ତୁ ଜିଦ୍‌ରେ ଅଟଳ ରହି ସୁଆର ସେବକମାନେ ଗଲେ ନାହିଁ। ପ୍ରଶାସନ ସେମାନଙ୍କ ପାଖକୁ ଆଲୋଚନା ପାଇଁ ଆସୁ ବୋଲି ଜିଦ୍‌ରେ ଅଟଳ ରହିଲେ। ଏହା ମଧ୍ୟରେ ଆରମ୍ଭ ହେଲା ରୋଷଘର ଧୋ ପଖାଳ। ରାବାଡିଆ ସେବାୟତମାନେ ରୋଷଘରେ ଥିବା ଅମୁଣିଆ ଭୋଗ ନେଇ କୋଇଲି ବୈକୁଣ୍ଠରେ ପୋତିଲେ। ଦିନତମାମ୍‌ ଏହି ପ୍ରକ୍ରିୟା ଜାରି ରହିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ଆଲୋଚନା ନେଇ କୌଣସି ଉତ୍ତର ନ ମିଳିବାରୁ ସୁଆରମାନେ କ୍ଷୁବ୍ଧ ହୋଇ ଆସି ଏମାର ମଠ ଚକଡ଼ାରେ ଧାରଣାରେ ବସିଲେ।
ମଧ୍ୟାହ୍ନ ପ୍ରାୟ ୧୨ଟା ୫୦ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା, ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ ଏବଂ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ସ୍ଥିତି ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିରକୁ ଗଲେ। ଆଲୋଚନା ପାଇଁ ସୁଆରମାନଙ୍କୁ ଶ୍ରୀମନ୍ଦିର ପରିସରକୁ ଡକାଗଲା। ପ୍ରତିନିଧି ନୁହେଁ, ଆମେ ସମୂହ ଯାଇ ଆଲୋଚନା କରିବୁ ବୋଲି ସୁଆରମାନେ ଜିଦ୍‌ ଧରିଲେ। ଶେଷରେ ଅପରାହ୍ନ ୪ଟାରେ ସୁଆରମାନେ ଆଲୋଚନା ପାଇଁ ଗଲେ। ଦକ୍ଷିଣ ଦ୍ୱାର ସେବାୟତ ବିଶ୍ରାମ ଗୃହରେ ପ୍ରଶାସନ ଏବଂ ସୁଆର ସେବାୟତଙ୍କ ମଧ୍ୟରେ ବସିଲା ରୁଦ୍ଧଦ୍ୱାର ବୈଠକ। ପ୍ରାୟ ୪୦ ମିନିଟ୍‌ରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଆଲୋଚନା ଚାଲିଲା। ବୈଠକରେ ସୁଆରମାନେ ୨ ଦଫା ଦାବି ଉପସ୍ଥାପନ କଲେ। ନଷ୍ଟ ହୋଇଥିବା ଅମୁଣିଆ ଭୋଗର କ୍ଷତିପୂରଣ ଏବଂ ସବୁଦିନ ମଧ୍ୟାହ୍ନ ୧୨ଟା ସୁଦ୍ଧା ଭୋଗମଣ୍ଡପ ନୀତି ସମ୍ପନ୍ନର ଲିଖିତ ପ୍ରତିଶ୍ରୁତି ଚାହିଁଥିଲେ ସୁଆର। ହେଲେ ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ। ବୁଧବାର ଅକ୍ଷୟ ତୃତୀୟା ରହିଥିବା ବେଳେ ସୁଆରମାନେ ଜିଦ୍‌ରେ ଅଟଳ ରହିଥିବାରୁ ବରାଦି ମହାପ୍ରସାଦ ବାହାରିବା ନେଇ ଅନିଶ୍ଚିତତା ଲାଗି ରହିଛି।
ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରାୟ ଗଣମାଧ୍ୟମକୁ କହିଛନ୍ତି, ବୈଠକରେ ଆମେ ୨ ଦଫା ଦାବି ରଖିଥିଲୁ। କିନ୍ତୁ ପ୍ରଶାସନ ଆମର କୌଣସି ଦାବି ମାନିବାକୁ ନାରାଜ। ପ୍ରଶାସନର ସହଯୋଗ ମିଳୁ ନ ଥିବାରୁ ମହାପ୍ରସାଦ ବାହାରିବା ନେଇ ଆମେ କୌଣସି ପ୍ରତିଶ୍ରୁତି ଦେଇପାରୁ ନାହୁଁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମହାପ୍ରସାଦ ବାହାରିପାରିବ ନାହିଁ। ଆଲୋଚନା ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ କହିଛନ୍ତି, ସକାଳଠୁ ବିଭିନ୍ନ ନିଯୋଗ ଏବଂ ସେବାୟତଙ୍କ ସହ ଆଲୋଚନା ଜାରି ରଖିଛୁ। ସୋମବାର ଯେଉଁଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିପାଇଁ କିଏ ଦାୟୀ ତାହା ତର୍ଜମା କରିବାର ବେଳ ଏହା ନୁହେଁ। ଏହି ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଛୁ। ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍‌ ଭାବେ କରିବା ପାଇଁ ସହମତି ଦେଇଛନ୍ତି। ସୁଆରମାନେ ମଧ୍ୟ ସେମାନଙ୍କ କ୍ଷୋଭ ଆମକୁ ଜଣାଇଛନ୍ତି। ଭବିଷ୍ୟତରେ ଯେଉଁଭଳି ଏହି ଘଟଣାର ପୁନରାବୃତ୍ତି ନ ହେବ ସେ ନେଇ ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ପକ୍ଷରୁ ଜୋର ଦେଇ ଆଲୋଚନା କରାଯାଇଛି। ସକାରାତ୍ମକ ଆଲୋଚନା ହୋଇଛି। ଆଶା ରହିଛି ସେମାନେ ଆଜିଠାରୁ ସମ୍ପୂର୍ଣ୍ଣ ସହଯୋଗ କରିବେ। ବୈଠକ ବିଫଳ ହେଲା ବୋଲି ସୁଆର ସେବାୟତମାନେ କହୁଥିବା ପ୍ରଶ୍ନରେ ମୁଖ୍ୟ ପ୍ରଶାସକ କହିଲେ, କିଏ କ’ଣ କହିଲା ମୁଁ ଜାଣିନାହିଁ। କିନ୍ତୁ ସେମାନେ ଆମକୁ ସହଯୋଗ କରିବାକୁ କହିଛନ୍ତି। କୌଣସି କ୍ଷତି ପ୍ରଶାସନର ଭୁଲ ଯୋଗୁ ହୋଇନାହିଁ। ସୁଆର ମହାସୁଆର ବହୁ ସଂଖ୍ୟାରେ ଆଲୋଚନା ପାଇଁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦୁଇଜଣ ଅସନ୍ତୁଷ୍ଟ ଥାଇପାରନ୍ତି। କିନ୍ତୁ ବହୁ ସଂଖ୍ୟାରେ ଆମ ସହ ସହମତ ହୋଇଛନ୍ତି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button