ଖେଳ

ଇଂଲଣ୍ଡ ବିପକ୍ଷ ସିରିଜ୍‍ ନିମନ୍ତେ ଶତପ୍ରତିଶତ ଫିଟ୍‍ ଅଛି: କୋହଲି

ଆଓରି-ନୂଆଦିଲ୍ଲୀ(୨୩/୬) :  ଇଂଲଣ୍ଡ ବିପକ୍ଷ ସିରିଜ୍‍ ନିମନ୍ତେ ସେ ସଂପୂର୍ଣ୍ଣ ଭାବେ ଫିଟ୍‍ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି। ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କୋହଲି କହିଥିଲେ ଆପିଏଲ୍‍ରେ ସେ ଆଘାତପ୍ରାପ୍ତ ହୋଇଥିଲେ। ତେବେ ବର୍ତ୍ତମାନ ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ଓ ଇଂଲଣ୍ଡ ବିପକ୍ଷ ସିରିଜ୍‍ରେ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ଅଛନ୍ତି।

ଆଇପିଏଲ୍‍ ଖେଳୁଥିବା ବେଳେ କୋହଲିଙ୍କ ବେକରେ ଆଘାତ ଲାଗିଥିଲା। ବର୍ତ୍ତମାନ ତାଙ୍କ ବେକର ଅବସ୍ଥା ସଂପୂର୍ଣ୍ଣ ଭାବେ ଭଲ ଅଛି ଓ ଇଂଲଣ୍ଡ ଗସ୍ତ ପୂର୍ବରୁ ମୁମ୍ବଇରେ ଭଲ ଭାବେ ଅଭ୍ୟାସ କରୁଛନ୍ତି ବୋଲି କୋହଲି କହିଛନ୍ତି। କ୍ରିକେଟ୍‍ ପଡ଼ିଆକୁ ଫେରିବାକୁ ସେ ବ୍ୟଗ୍ର ଓ ଇଂଲଣ୍ଡ ବିପକ୍ଷ ସିରିଜ୍‍ରେ ଭାରତୀୟ ଦଳ ଯେପରି ଭାବେ ବିଜୟୀ ହେବ ତାହା ତାଙ୍କର ପ୍ରାଥମିକତା ବୋଲି କୋହଲି ସ୍ପଷ୍ଟ କରି ଦେଇଛନ୍ତି। ସୂଚନାଥାଉକି ଇଂଲଣ୍ଡ ବିପକ୍ଷ ସିରିଜ୍‍ ନିମନ୍ତେ ନିଜକୁ ପ୍ରସ୍ତୁତ କରିବାକୁ କୋହଲି ଆଇପିଏଲ୍‍ ଶେଷ ହେବା ପରେ କାଉଣ୍ଟି କ୍ରିକେଟ୍‍ରେ ସରେ ଦଳ ତରଫରୁ ଖେଳିବାକୁ ଚୁକ୍ତି କରିଥିଲେ। ତେବେ ବେକରେ ଆଘାତଜନିତ କାରଣରୁ ସେ କାଉଣ୍ଟି ଖେଳିପାରି ନଥିଲେ। କିଛିଦିନ ବିଶ୍ରାମ ନେବା ପରେ କୋହଲି ୟୋ-ୟୋ ପରୀକ୍ଷାରେ ସଫଳତାପୂର୍ବକ ଉତ୍ତୀର୍ଣ୍ଣ ହୋଇଥିଲେ।

ଗତଥର ଇଂଲଣ୍ଡ ଗସ୍ତ ସମୟରେ ତାଙ୍କୁ ଆଶାନୁରୂପକ ସଫଳତା ମିଳିନଥିବା ବେଳେ ଚଳିତଥର ସେ ଏହି ଗସ୍ତରେ ନିଶ୍ଚିତ ଭାବେ ସଫଳ ହେବେ ବୋଲି କୋହଲି ଆଶାବ୍ୟକ୍ତ କରିଛନ୍ତି। ଇଂଲଣ୍ଡ ଦଳର ଦ୍ରୁତ ବୋଲରଙ୍କ ସୁଇଙ୍ଗକୁ ମୁକାବିଲା କରିବାରେ ଭାରତୀୟ ଦଳର ବ୍ୟାଟସମ୍ୟାନ୍‍ମାନେ ଗତଥର ଅସଫଳ ହୋଇଥିଲେ ମଧ୍ୟ ଚଳିତଥର ସଫଳତା ମିଳିବ ବୋଲି କୋହଲି ଆଶାବ୍ୟକ୍ତ କରିଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ୟୋ-ୟୋ ପରୀକ୍ଷାକୁ ନେଇ ଯେତେ ସମାଲୋଚନା ହେଲେ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇବାକୁ ହେଲେ ଖେଳାଳିଙ୍କୁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ୟୋ-ୟୋ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନଥିବା ଖେଳାଳିଙ୍କୁ ଭାରତୀୟ ଦଳରେ ସାମିଲ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ଇଂଲଣ୍ଡ ବିପକ୍ଷ ସିିରିଜ୍‍ରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଶାସ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହି ସିରିଜ୍‍ ନିମନ୍ତେ ଭାରତୀୟ ଦଳର ଖେଳାଳିମାନେ ବେଶ୍‍ ଭଲ ଭାବେ ପ୍ରସ୍ତୁତି କରିଛନ୍ତି ଏବଂ ନିଜ ଦୋଷଦୁର୍ବଳତାକୁ ସୁଧାରିବାକୁ ବହୁ ପରିଶ୍ରମ କରିଛନ୍ତି। ଏହାର ସୁଫଳ ଭାରତକୁ ମିଳିବ ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button