ବିକ୍ରମ ସୁରକ୍ଷିତ, କୌଣସି ଅଂଶ ଭାଙ୍ଗିନି: ଇସ୍ରୋ
1 min read
ଆଓରି-ନୂଆଦିଲ୍ଲୀ(୦୯/୦୯) : ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’କୁ ଠାବ କରାଯିବା ପରେ ତାହାର ସ୍ଥିତି ବିଷୟରେ ଜଣାପଡ଼ିଛି। ବିକ୍ରମ ହାର୍ଡ ଲାଣ୍ଡିଂ କରିବା ପରେ ତାହା ସୁରକ୍ଷିତ ରହିଛି। ବିକ୍ରମର କୌଣସି ଅଂଶ ଭାଙ୍ଗିନାହିଁ ବୋଲି ଇସ୍ରୋ ସୋମବାର ସୂଚନା ଦେଇଛି। ବିକ୍ରମ ଗୋଟିଏ ପଟକୁ ଢଳି ରହିଛି। ତା’ ସହିତ ଯୋଗାଯୋଗ କରାଯିବାକୁ ଉଦ୍ୟମ ଚାଲିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ବିକ୍ରମର ଜୀବନ କାଳ ୧୪ ଦିନ ଯାଏ ରହିଛି। ଏହି ସମୟ ମଧ୍ୟରେ ବିକ୍ରମ ସହିତ ଯୋଗାଯୋଗ କରାଯିବାକୁ ଉଦ୍ୟମ ଚାଲିଥିବା ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ଏବଂ ଶନିବାର ମଧ୍ୟରାତ୍ରି ପରେ ଇସ୍ରୋ ପକ୍ଷରୁ ବିକ୍ରମକୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରାଯିବା ସମୟରେ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା। ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରରେ ବିକ୍ରମ ସହିତ ଇସ୍ରୋର ସମ୍ପର୍କ କଟିଯାଇଥିଲା। ଏହାପରେ ବିକ୍ରମର ସ୍ଥିତିକୁ ନେଇ ଅନେକ ପ୍ରଶ୍ନବାଚୀ ଉଠିଥିବାବେଳେ ରବିବାର ଅର୍ବିଟର ସଂଗ୍ରହ କରିଥିବା ଫଟୋରୁ ବିକ୍ରମକୁ ଠାବ କରାଯାଇ ପାରିଥିଲା।