ବିଶେଷ

ପାର୍ବତୀ ଘୋଷ ଏବେ ପରଲୋକରେ

ଭୁବନେଶ୍ୱର,୧୨।୨(ଆଓରି): ଦୀର୍ଘ ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ମଙ୍ଗକୁ ସମ୍ଭାଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିୟାନ୍‌ ଅଭିନେତ୍ରୀ, ନିର୍ଦ୍ଦେଶିକା ତଥା ପ୍ରଯୋଜିକା ପାର୍ବତୀ ଘୋଷ ଏବେ ପରଲୋକରେ । ଏହି ଭେଟେରାନ୍‌ କଳାକାରଙ୍କର ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା। ହଠାତ୍‌ ଅସୁସ୍ଥତା ଅନୁଭବ କରିବାରୁ ଚନ୍ଦ୍ରଶେଖରପୁରସ୍ଥିତ ତାଙ୍କ ବାସଭବନରୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୫୦ ଦଶକରୁ ୭୦ ଦଶକ ମଧ୍ୟରେ ଏକାଧିକ ସୁପରହିଟ୍‌ ଚଳଚ୍ଚିତ୍ରରେ ଅଭିନୟ କରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ହଇଚଇ ସୃଷ୍ଟି କରିଥିଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ। ମୃତ୍ୟୁ ସମୟରେ ଭାଇ ସ୍ବରୂପ ନାୟକଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଏବଂ ସଙ୍ଗୀତ ଜଗତର ବରିଷ୍ଠ ବ୍ୟକ୍ତିମାନେ ତାଙ୍କ ନିକଟରେ ଉପସ୍ଥିତ ଥିଲେ। ୧୯୩୩ ମସିହା ମାର୍ଚ୍ଚ ୨୮ ତାରିଖରେ କଟକ ଜିଲା ମାନସିଂହପାଟଣାରେ ଜନ୍ମଗ୍ରହଣ କରିଥିଲେ ପାର୍ବତୀ ଘୋଷ। ନିଜ ଜୀବନ୍ତ ଅଭିନୟ ପାଇଁ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିବା ସହ ପରିବର୍ତ୍ତନର ଧାରା ଆଣିଥିଲେ। ୧୯୭୩ ମସିହାରେ ନିଜ ସ୍ବାମୀଙ୍କ ସହ ମିଶି ‘ସଂସାର’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ, ଯାହାକି ପରବର୍ତ୍ତୀ ସମୟରେ ଜାତୀୟ ପୁରସ୍କାର ହାସଲ କରିଥିଲା। ୧୯୮୬ ମସିହାରେ ଫକୀରମୋହନ ସେନାପତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଛ’ ମାଣ ଆଠଗୁଣ୍ଠ’ ଉପରେ ଚଳଚ୍ଚିତ୍ର ନିର୍ମାଣ କରି ପୁଣିଥରେ ହଇଚଇ ସୃଷ୍ଟି କରିଥିଲେ ପାର୍ବତୀ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଶ୍ରେଷ୍ଠ ପୁରସ୍କାର ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା। ଚଳଚ୍ଚିତ୍ର ନିର୍ଦ୍ଦେଶନା ଓ ପ୍ରଯୋଜନା ବେଳେ ସାମାଜିକ ଦୃଷ୍ଟିକୋଣକୁ ସେ ପ୍ରଥମେ ଦେଖୁଥିଲେ, ଯେଉଁଥିପାଇଁ ମୌଳିକଧର୍ମୀ ଓଡ଼ିଆ କାହାଣୀ ଉପରେ ତାଙ୍କର ଅଧିକାଂଶ ଫିଲ୍ମ ତିଆରି ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ତାଙ୍କ ଜନ୍ମ ସ୍ଥାନରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button