ଜାତୀୟଜିଲ୍ଲା

ଉରି ଆକ୍ରମଣ: ଜବତ ଅସ୍ତ୍ର ପାକିସ୍ତାନ ନିର୍ମିତ

ନୂଆଦିଲ୍ଲୀ/ଶ୍ରୀନଗର: କଶ୍ମୀରର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟ ଉରି ସେକ୍ଟରରେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀମାନେ ଜୈଶ-ଇ-ମହମ୍ମଦ  ସଙ୍ଗଠନର ଓ ସେମାନଙ୍କଠାରୁ ଜବତ ହୋଇଥିବା ଅସ୍ତ୍ରରେ ପାକିସ୍ତାନ ସଙ୍କେତ ରହିଛି ବୋଲି ମିଲିଟାରୀ ଅପରେସନର ଡିଜି ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ କହିଛନ୍ତି।
ଆତଙ୍କବାଦୀଙ୍କ ଆକ୍ରମଣରେ ଯବାନମାନେ ଶୋଇଥିବା ଅସ୍ଥାୟୀ ଶିବିରରେ ନିଆଁ ଲାଗିଯିବାରୁ ୧୨ ଯବାନ ପୋଡ଼ି ହୋଇ ପ୍ରାଣ ହରାଇଥିଲେ। ଅନ୍ୟମାନେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସହିଦ ହୋଇଥିଲେ। ସେନା ଶିବିର ତମ୍ବୁରେ ନିର୍ମିତ ହୋଇଥିବାରୁ ଅଗ୍ନିକାଣ୍ଡ କାରଣରୁ ମୃତାହତ ସଂଖ୍ୟା ଅଧିକ ହୋଇଛି ବୋଲି ସିଂହ କହିଥିଲେ। ଆତଙ୍କବାଦୀମାନଙ୍କଠାରୁ ମିଳିଥିବା ଅସ୍ତ୍ରଶସ୍ତ୍ର ପାକିସ୍ତାନ ନିର୍ମିତ ହୋଇଥିବାରୁ ଏନେଇ ସେ ପାକିସ୍ତାନ ପ୍ରତିପକ୍ଷଙ୍କୁ ତାଙ୍କର ଉଦ୍‌ବେଗ ଜଣାଇଛନ୍ତି। ଏପ୍ରକାର ହୀନ କାର୍ଯ୍ୟାନୁଷ୍ଠାନର ଦୃଢ଼ ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ରହିଛି। ଯଥା ଶୀଘ୍ର ସେନା ଉରି ଘଟଣାର ପ୍ରତିଶୋଧ ନେବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ମାସରେ ୬ ଜଣ ଆତଙ୍କବାଦୀ ପଠାନକୋଟ ବାୟୁସେନା ଘାଟିରେ ଆକ୍ରମଣ କରିଥିଲେ। ଏଥିରେ ୭ ଯବାନ ସହିଦ ହେବାସହ ସବୁ ଆତଙ୍କବାଦୀ ନିହତ ହୋଇଥିଲେ।
ଆତଙ୍କବାଦୀ ଆକ୍ରମଣରେ ୧୭ ଯବାନ ସହିଦ ହେବା ଗତ ୨୬ ବର୍ଷ ମଧ୍ୟରେ ପ୍ରଥମ ଘଟଣା। ଏଥିରେ ଆହତ ୩୦ ଯବାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟଜନକ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଏହି ଘଟଣା ପରେ କଶ୍ମୀରରେ ସ୍ୱାଭାବିକ ଅବସ୍ଥା ଫେରିବା ଆଶା ବାଧାପ୍ରାପ୍ତ ହୋଇଛି। ଗତ ଦୁଇମାସ ମଧ୍ୟରେ କଶ୍ମୀରରେ ହିଂସ୍ର ଆନ୍ଦୋଳନ ଘଟି ୮୬ ନିହତ ହୋଇଥିବାବେଳେ ବହୁ ହଜାର ଆହତ ହୋଇଛନ୍ତି।  ଏହା ସତ୍ତ୍ୱେ ସେଠାରେ ଶାନ୍ତି ପ୍ରତିଷ୍ଠା ଓ ସ୍ୱାଭାବିକତା ନିମନ୍ତେ ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଥିଲା। ଏଥିପାଇଁ ଭାରତ-ପାକ୍‌ ଆଲୋଚନା ଆରମ୍ଭ କରିବାକୁ ବିଭିନ୍ନ ସ୍ତରରେ ପ୍ରୟାସ ଜାରି ରହିଥିଲା। କିନ୍ତୁ ଆଜିର ଆତଙ୍କବାଦୀ ହିଂସାକାଣ୍ଡ ସମ୍ଭାବିତ ଭାରତ-ପାକ୍‌ ଶାନ୍ତି ଆଲୋଚନାକୁ ବହୁ ପଛରେ ପକାଇ ଦେଇଛି। ପାକ୍‌ ଅଧିକୃତ କଶ୍ମୀରରେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ନିମନ୍ତେ ବହୁ ବରିଷ୍ଠ ସେନାଧିକାରୀ  ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button