ଜାତୀୟଶିକ୍ଷା

ଅନ୍‌ଲାଇନ୍‌ ଦ୍ଵାରା ହେବ ୟୁପିଏସ୍‌ସି ଏବଂ ଓପିଏସ୍‌ସି ପରୀକ୍ଷା

ଆଓରି-ଭୁବନେଶ୍ଵର(୦୫/୦୨) : ଅନ୍‌ଲାଇନ୍‌ରେ ହେବ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ଓ ରାଜ୍ୟ ଲୋକସେବା ଆୟୋଗ (ଓପିଏସ୍‌ସି) ପରୀକ୍ଷା। ଫର୍ମ ପୂରଣଠାରୁ ଆରମ୍ଭ କରି ପରୀକ୍ଷାଫଳ ପ୍ରକାଶ ପର୍ଯ୍ୟନ୍ତ, ସବୁକିଛି ଅନ୍‌ଲାଇନ୍‌ ମାଧ୍ୟମରେ ହେବ। ଭୁବନେଶ୍ୱରରେ ପ୍ରଥମଥର ପାଇଁ ଅନୁଷ୍ଠିତ କେନ୍ଦ୍ରୀୟ ଲୋକସେବା ଆୟୋଗ ଓ ରାଜ୍ୟ ଲୋକସେବା ଆୟୋଗ ଅଧ୍ୟକ୍ଷଙ୍କ ସମ୍ମିଳନୀରେ ଏ ନେଇ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ ହୋଇଛି। ପରୀକ୍ଷା ସମୟରେ ପରୀକ୍ଷାର୍ଥୀମାନେ ଯେପରି ମାନସିକ ସ୍ତରରେ ହଇରାଣ ନ ହେବେ, ସେଥିପାଇଁ ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିବାକୁ ଯୋଜନା ପ୍ରସ୍ତୁତ କରାଯାଉଥିବା ୟୁପିଏସ୍‌ସି ଅଧ୍ୟକ୍ଷ ଅରବିନ୍ଦ ସକ୍ସେନା କହିଛନ୍ତି।

ଓପିଏସ୍‌ସି ମଧ୍ୟ ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ ପରିବର୍ତ୍ତନ କରିବା ସହ ଅନ୍‌ଲାଇନ୍‌ରେ ପରୀକ୍ଷା କରିବ। ପରୀକ୍ଷାର୍ଥୀଙ୍କ କୌଣସି ସନ୍ଦେହ ହେଲେ, ସେମାନେ ଉତ୍ତର ଖାତା ଦେଖିପାରିବେ। ଏହାଦ୍ୱାରା ପରୀକ୍ଷା ପରିଚାଳନା ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ଵଚ୍ଛତା ଆସିପାରିବ ବୋଲି ଓପିଏସ୍‌ସି ଅଧ୍ୟକ୍ଷ ବ୍ରିଗେଡିୟର ଏଲ୍‌.ସି. ପଟ୍ଟନାୟକ କହିଛନ୍ତି। ଏହି ସମ୍ମିଳନୀରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇଥିଲେ। ଏହି ସଂସ୍କାର ଯୋଜନାକୁ ଚାକିରି ଆଶାୟୀମାନେ ସ୍ଵାଗତ କରିଛନ୍ତି। ଅନେକ ସମୟରେ ୟୁପିଏସ୍‌ସି ଓ ଓପିଏସ୍‌ସି ପରୀକ୍ଷା ଗୋଟିଏ ଦିନରେ ହେଉଥିବାରୁ ପରୀକ୍ଷାର୍ଥୀ ଅଡ଼ୁଆରେ ପଡ଼ୁଛନ୍ତି। ତେଣୁ ଏଭଳି ସ୍ଥିତି ଏଡ଼ାଇବାକୁ ଆୟୋଗ ଧ୍ୟାନ ଦେଉ ବୋଲି ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button