March 23, 2023

ଦୁବାଇରେ ଫସିଥିବା ୧୮ ଓଡିଆ ଶ୍ରମିକଙ୍କ ଉଦ୍ଧାର ଲାଗି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୧୬/୦୭) : ଦୁବାଇରେ ଫସିଥିବା ୧୮ ଓଡିଆ ଶ୍ରମିକଙ୍କ ଉଦ୍ଧାର ଲାଗି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡା.ଏସ୍ ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ପତ୍ର ଲେଖି ଏହି ମାମଲାରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ସହ ସମସ୍ତ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରି ସ୍ୱଦେଶକୁ ଫେରାଇ ଆଣିବାକୁ ଶ୍ରୀ ପ୍ରଧାନ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ନିକଟରେ ଦୁବାଇରୁ ୧୦ ଜଣ ଓଡ଼ିଆ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ । ପୁଣି ଥରେ ଦୁବାଇର ଏକ୍ସିମ୍ ନାମକ ଏକ କମ୍ପାନୀରେ କାମ କରୁଥିବା ଗଞ୍ଜାମର ୧୮ ଜଣ ଶ୍ରମିକ ଗତ ୪ ମାସ ହେବ ବିନା ଦରମା ଓ ବିନା ଖାଦ୍ୟପେୟରେ ଫସି ରହିଛନ୍ତି । ଏହି ଖବର ଏବେ ଗଣମାଧ୍ୟମରେ ପ୍ରକାଶ ପାଇଛି । ଫସିରହିଥିବା ଶ୍ରମିକମାନେ ସେମାନଙ୍କ ଉଦ୍ଧାର ଲାଗି ଏକ ଭିଡିଓ ମଧ୍ୟମରେ ଅପିଲ୍ କରିଥିବା ସୂଚନା ମିଳିଛି ।

ତେଣୁ ଏହି ମାମଲାରେ ଶ୍ରମିକଙ୍କୁ ତତ୍କାଳ ସହାୟତା ଦିଆଯିବା ସହ ସମସ୍ତ ଶ୍ରମିକ ମାନଙ୍କୁ ଉଦ୍ଧାର କରି ଦେଶକୁ ଫେରାଇ ଆଣିବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡା.ଏସ୍ ଜୟଶଙ୍କରଙ୍କୁ ପତ୍ର ମାଧ୍ୟମରେ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସାଉଦି ଆରବରେ ଫସିରହିଥିବା ୧୦ଜଣ ଓଡିଆ ଶ୍ରମିକ ଜୁନ୍‌ ୨୬ ତାରିଖରେ ବୈଦେଶିକ ମନ୍ତ୍ରାଳୟ ସହଯୋଗରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ସ୍ୱଦେଶ ଫେରିଥିଲେ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.