April 25, 2024

୧୯ ବର୍ଷ ଶାସନ କରିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତା ସମ୍ପର୍କରେ ବଖାଣିଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-in-Digapahandi-Aajira-Odisha

ଆଓରି-ଭୁବନେଶ୍ଵର(୦୪/୦୧) : ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ୧୯ ବର୍ଷ ଶାସନ କଲା ପରେ ବି ଦିଗପହଣ୍ଡିରେ ଟୋପାଏ ପାଣି ପାଇଁ ଲୋକ ଡହଳ ବିକଳ ହେଉଛନ୍ତି । ଗଞ୍ଜାମ, ଦିଗପହଣ୍ଡି ଅଞ୍ଚଳରେ ଆଜି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଏଭଳି ସମାଲୋଚନା କରିଛନ୍ତି । ଖାଲି ସେତିକି ନୁହେଁ ୧୯ ବର୍ଷ ଶାସନ କରିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତା ସମ୍ପର୍କରେ ବଖାଣିଥିଲେ ।

ସେ କହିଥିଲେ ଯେ, ନବୀନ ସରକାର ଦୀର୍ଘ ୧୯ ବର୍ଷ ଶାସନ କରିବା ମଧ୍ୟରେ ରାଜ୍ୟର ବିକାଶ ଅଟକି ଯାଇଛି । ଦିଗପହଣ୍ଡିରେ ଅନେକ ପରିବାର ସୁବିଧାରେ ପିଇବା ପାଣି ପାଉନାହାନ୍ତି । ୧୯ ବର୍ଷ ମଧ୍ୟରେ ଲୋକଙ୍କ ଘରକୁ ପାଇପ୍‌ ଯୋଗେ ପିଇବା ପାଣି ପହଞ୍ଚି ପାରି ନାହିଁ । ଓଡ଼ିଶାବାସୀଙ୍କୁ ଏହି ନବୀନ ସରକାର ରୋଜଗାର ଦେବାରେ ମଧ୍ୟ ବିଫଳ ହୋଇଛନ୍ତି । ରାଜ୍ୟରେ ଶିକ୍ଷିତ ବେକାର ଯୁବକଙ୍କ ସଂଖ୍ୟା ଏବେ ୪୦ ଲକ୍ଷରୁ ଉର୍ଦ୍ଧ୍ୱ । ଏହି ବେକାର ଯୁବକଙ୍କୁ ରୋଜଗାର ଦେଇ ନପାରିବାକୁ ସେମାନେ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ବୋଲି ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ।

 ଦିଗପହଣ୍ଡିରେ ୨୪ ଘଣ୍ଟା ବିଜୁଳି ନାହିଁ, ସବୁ ସ୍କୁଲରେ ଶିକ୍ଷକ ନାହାନ୍ତି, ଶୀତଳ ଭଣ୍ଡାର ନାହିଁ, ଚାଷ ଉତ୍ପାଦିତ ଦ୍ରବ୍ୟର ସଠିକ୍‌ ମୂଲ୍ୟ ମିଳିପାରୁ ନାହିଁ, ଏଠି ମହିଳାମାନେ ଅସୁରକ୍ଷିତ । ତେବେ ଏତେ ସବୁ ବିଫଳତା ମଧ୍ୟରେ ମୁଖ୍ୟମନ୍ତ୍ରୀ କିଭଳି ଆପଣ ମାନେ ଖୁସି ତ ବୋଲି କହୁଛନ୍ତି ସେନେଇ ନବୀନଙ୍କୁ ତାତ୍ସଲ୍ୟ କରିଛନ୍ତି ଧର୍ମେନ୍ଦ୍ର ।ଦେଶର ବିକାଶ ପାଇଁ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ମଜ୍‌ଭୁତ୍‌ କରିବା ପାଇଁ ସେ ଭାଜପାର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ଜିତାଇବାକୁ ଆହ୍ୱାନ୍‌ ଦେଇଛନ୍ତି । ଦୀର୍ଘ ଦିନ ଧରି ଓଡ଼ିଶାରେ ଚାଲିଥିବା ଏହି ଶାସନର ଶେଷ ହେବା ଆବଶ୍ୟକ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଓଡ଼ିଶା ବିକାଶ କରିବାକୁ ହେଲେ ‘ଏହି ସରକାର ବଦଳିବା ଦରକାର’ ବୋଲି ଧର୍ମେନ୍ଦ୍ର ନାରା ଦେଇଛନ୍ତି । ଓଡିଶାର ଗଣତନ୍ତ୍ରରେ ପୁନଃ ପ୍ରତିଷ୍ଠା ହେବା ଦରକାର । ଓଡିଶାକୁ ୧ ନମ୍ବର ରାଜ୍ୟ କରିବାକୁ ହେଲେ ଓଡିଶାରେ ନରେନ୍ଦ୍ର ମୋଦିଙ୍କ ସରକାର ଆଣିବାକୁ ପଡିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.