ରାଜ୍ୟ

ନାରାବାଜିରେ ସୀମିତ ରାଜ୍ୟ ସରକାରଙ୍କ ମହିଳାଙ୍କୁ ସମ୍ମାନ: ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୦୮/୦୨) : ରାଜ୍ୟରେ ବେନିୟମ ଭାବେ ଚାଲିଛି ସେଲ୍‌ଟର ହୋମ । ଏହି ସେଲ୍‌ଟର ହୋମ ଗୁଡ଼ିକରେ ନାବାଳିକାମାନଙ୍କୁ ନିର୍ଯାତନା ଦେବା ସହ ଧର୍ମାନ୍ତରୀକରଣ କରୁଥିବାର ମାମଲା ମଧ୍ୟ ସାମ୍ନାକୁ ଆସିଥିଲା । ଶିଶୁମାନଙ୍କ ଅଧିକାର ଓ ଆଇନର ରକ୍ଷା କରିବାର ଦାୟିତ୍ୱ ନେଇଥିଲେ ରାଜ୍ୟ ସରକାର । ବେନିୟମ କାମ ପାଇଁ ରାଜ୍ୟ ସରକାର ଆଖି ବୁଜି ଦେବା ଓ ଶାସକ ଦଳର ନେତା ଏହି ସେଲ୍ଟର ହୋମ ଗୁଡିକୁ ପ୍ରୋତ୍ସାହନ ଦେବାର ଅଭିଯୋଗ ଆସୁଥିବା ସୋସିଆଲ ମିଡିଆ ମାଧ୍ୟମରେ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ରିପୋର୍ଟରେ ରାଜ୍ୟରେ ଚାଲୁଥିବା ସେଲଟର ହୋମ ଗୁଡିକରେ ଶିଶୁ ମାନଙ୍କୁ ନିର୍ଯାତନା, ବେଆଇନ ଧର୍ମାନ୍ତରୀକରଣ ଓ ଆଇନକାନୁନର ଖୋଲା ଉଲ୍ଲଂଘନ କରାଯାଉଥିବା କଥା ଉଲ୍ଲେଖ ଅଛି ବୋଲି ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର । ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ନ୍ୟାସନାଲ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ଗତ କିଛି ଦିନ ତଳେ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ତାହା ମଧ୍ୟ ଚିନ୍ତାକୁ ବଢାଇ ଦେଇଛି ।

ଏହାସହ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି,  ମହିଳାଙ୍କୁ ସମ୍ମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ନାରା ହୋଇପାରେ ମାତ୍ର ବିଧାନସଭାରେ ସରକାରଙ୍କ ଲିଖିତ ଉତ୍ତର ରାଜ୍ୟର ମହିଳା ବିଶେଷ ଭାବରେ ଅଧିକ ଯତ୍ନ ଆବଶ୍ୟକ କରୁଥିବା ଅନୁସୂଚିତ ଜାତି ଓ ଜନଜାତିର ଝିଅ ଓ ମା, ମାଉସୀ ମାନଙ୍କ ପ୍ରତି ସମ୍ବେଦନହୀନତାକୁ ସ୍ପଷ୍ଟ କରୁଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ଚାଲୁଥିବା ଓଡିଶା ବିଧାନସଭା ଅଧିବେଶନରେ ରାଜ୍ୟ ସରକାରଙ୍କର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀଙ୍କ ଦ୍ୱାରା ଗୃହରେ ଉପସ୍ଥାପିତ କରାଯାଇଥିବା ଲିଖିତ ଉତ୍ତର ସାଢେ ୪ କୋଟି ଓଡିଆଙ୍କ ପାଇଁ ଗଭୀର ଚିନ୍ତା ଓ କ୍ଷୋଭର ବିଷୟ । ଆମର ଅନୁସୂଚିତ ଜାତି ଓ ଜନଜାତି ଯେଉଁମାନେ ରାଜ୍ୟର ଗରୀବୀ ଓ ସାମାଜିକ ପଛୁଆ ବର୍ଗର ସର୍ବାଗ୍ରେ ସେମାନେ ଯେ ଅପମାନିତ ଓ ଅବହେଳିତ ଏହି ସରକାରୀ ଲିଖିତ ଉତ୍ତର ଗୁଡିକ ପ୍ରମାଣିତ କରୁଛି ।

ଏହାସହ ଖୋଦ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ବିଧାନସଭାରେ ତାଙ୍କ ଲିଖିତ ଉତ୍ତରରେ କହିଛନ୍ତି ଯେ, ୨୦୧୭ ଏବଂ ୨୦୧୮ ମସିହାରେ ୪୪୫ ଜଣ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ନାବାଳିକା, ବାଳିକା ଓ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ସେହିପରି ଭାବେ ୨୦୧୪ ପରଠାରୁ ରାଜ୍ୟ ସରକାରଙ୍କର ଆବାସିକ ବିଦ୍ୟାଳୟ ଗୁଡିକର ଛାତ୍ରୀନିବାସରେ ୧୨ ଜଣ ଗର୍ଭଧାରଣ କରିଥିବା ଓ ୪ ଜଣ ସନ୍ତାନ ଜନ୍ମ କରିବା ଘଟଣା ଘଟିଥିବା କଥାକୁ ସରକାର ବିଧାନସଭାରେ ଲିଖିତ ଉତ୍ତର ମାଧ୍ୟମରେ ସ୍ୱୀକାର କରିଛନ୍ତି  ବୋଲି ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି, ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ଯାଇ ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହୋଇଥିବା ନାବାଳିକା, ବାଳିକା ଓ ମହିଳା ମାନଙ୍କର ତଥ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗରେ ନଥିବା ବିଧାନସଭା ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ଦାଦାନ ଖଟିବାକୁ ଯାଉଥିବା ପରିବାର ମାନଙ୍କର ମା, ଭଉଣୀଙ୍କ ସହ ଘଟିଥିବା ଅନେକ ଅଘଟଣର ଖବର ପ୍ରକାଶିତ ହେଉଛି । ମାତ୍ର ରୋଜଗାର ଅନ୍ୱେଷଣରେ ଯାଉଥିବା ଏହି ଓଡିଆ ପରିବାର ମାନଙ୍କ ଦୁର୍ଦ୍ଦଶା ପ୍ରତି ରାଜ୍ୟ ସରକାର ଆଖି ବୁଜିଦେବା ଦୁଃଖ ଓ ପରିତାପର ବିଷୟ ।

Related Articles

Leave a Reply

Your email address will not be published. Required fields are marked *

Back to top button