ରାଜ୍ୟ

କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଦୂରେଇ ରଖୁଛନ୍ତି ରାଜ୍ୟ ସରକାର ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୧୪/୦୨) : ବଲାଙ୍ଗିର କଣ୍ଟାବାଞ୍ଝିରେ ଓବିସି ମହାସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୁଆଡେ ଯାଉଛନ୍ତି ଦେଢମିନିଟର ଭାଷଣ ଦେଉଛନ୍ତି । ଆଉ ଯୁଆଡେ ଯାଉଛନ୍ତି କହୁଛନ୍ତି ଆପଣମାନେ ଖୁସି ତ, ମୁଁ ବି ଖୁସି। ୧୯ ବର୍ଷର ଶାସନରେ ବଲାଙ୍ଗିରବାସୀଙ୍କୁ ପାଣି ମିଳିଲାନି । ବେକାରୀ ସମସ୍ୟା ଏବଂ ଗରିବୀ ରାଜ୍ୟର ମୁଖ୍ୟ ପ୍ରସଙ୍ଗ ପାଲଟିଛି ।

ସେହିପରି ଚାଷଜମିକୁ ବି ପାଣି ମୁନ୍ଦେ ତୁମ ସରକାର ଏଯାବତ୍ ଦେଇପାରିଲେ ନାହିଁ । ଲୋକେ ଦୁଃଖରେ ଅଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ କହୁଛନ୍ତି ଆପଣମାନେ ଖୁସି ତ । ରାଜ୍ୟର ଜନତା ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଶ୍ରୀ ପ୍ରଧାନ ଅଭିଯୋଗ ଆଣିଛନ୍ତି ଯେ, ରାଜ୍ୟବାସୀଙ୍କ ପାଇଁ ଆୟୋଜିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବାଟମାରଣା କରୁଛନ୍ତି ରାଜ୍ୟ ସରକାର । ବିଭିନ୍ନ ଯୋଜନା ହଡପ କରାଯାଉଛି । ଯେଉଁଥିରେ ନରେଗା ଟଙ୍କାକୁ ହରିଲୁଟ କରାଯାଇଛି । ଏ ନେଇ ଯେଉଁ ଟଙ୍କା ଆସୁଛି ତାକୁ ସବୁ ଜିଲ୍ଲାକୁ ଦିଆଯାଉନାହିଁ ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର ।

ଓବିସି ବର୍ଗର ପିଲାମାନଙ୍କୁ ପାଠ ପଢିବା ପାଇଁ ଓଡିଶା ସରକାର ରାଜ୍ୟର ଶିକ୍ଷାନୁଷ୍ଠାନରେ ଅନୁପାତିକ ଭାବେ ଆରକ୍ଷଣ ଦେଉନାହାନ୍ତି। ଆଜି ଓବିସି ପିଲାମାନେ ପାଠପଢା ଓ ଚାକିରିରେ ସଂରକ୍ଷଣ ପାଉନାହାନ୍ତି । ନରେନ୍ଦ୍ର ମୋଦୀଙ୍କ ସରକାର ଦେଶର, ଗରିବ, ମହିଳା, ଆଦିବାସୀ, ପଛୁଆ ବର୍ଗର ଲୋକ ମାନଙ୍କ ପାଇଁ ସମର୍ପିତ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

ଓଡିଶାରେ ରାଜ୍ୟ ସରକାରଙ୍କ ପ୍ରଦତ ସୂଚନା ଅନୁସାରେ ୩୦ ଲକ୍ଷ ଲୋକଙ୍କ ଘର ନାହିଁ । ୨୦୦୯ ରୁ ୧୪ ପର୍ଯ୍ୟନ୍ତ ଦିଲ୍ଲୀରେ କଂଗ୍ରେସ ସରକାର ୨୫ ଲକ୍ଷ ୫୭ ହଜାର ଘର ବନେଇଥିଲେ । ମାତ୍ର ୧୪ ରୁ ୧୯ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀଙ୍କ ସରକାର ୧ କୋଟି ୪୦ ଲକ୍ଷ ଘର ବନେଇଛନ୍ତି । ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ସ୍ଥାୟୀ ପଟ୍ଟା, ପକ୍କା ଘର ବନିବ, ଓଡିଶାରେ ଜଣେ ମଧ୍ୟ ଏମିତି ରହିବ ନାହିଁ, ଯାହା ପାଖରେ ନିଜ ସ୍ଥାୟୀ ପଟ୍ଟା,ଓ ପକ୍କା ଘର ନଥିବ ।

ଜିଲ୍ଲାରେ ଅଧାରୁ ଅଧିକ ଅଂଚଳରେ ଡାକ୍ତର ନାହାନ୍ତି । କାମର ସୁଯୋଗ ନପାଇ ଯୁବକମାନେ ବାହାରକୁ କାମ କରିବାକୁ ବାଧ୍ୟ ହେଉଛନ୍ତି । ଯେଉଁ ସରକାର ୧୯ ବର୍ଷରେ ରୋଜଗାର ଦେଇପାରେ ନାହିଁ, ସେ କହେ ଆପଣ ଖୁସି ତ । ଏ ଅଂଚଳରେ ବିନା ପିସିରେ କୌଣସି ସରକାରୀ କାମ ହେଉ ନାହିଁ । ଓବିସି କମିଶନ ନରେନ୍ଦ୍ର ମୋଦୀଙ୍କ ସରକାର ଗଠନ କଲେ । ନରେନ୍ଦ୍ର ମୋଦୀ ଦାୟିତ୍ୱ ନେଲା ପରେ ଏସସି ଏସସଟି ବର୍ଗଙ୍କ ପରି ଓବିସି ବର୍ଗର ଲୋକମାନଙ୍କୁ ମଧ୍ୟ ୨୭ ପ୍ରତିଶତ ପେଟ୍ରୋଲ ପମ୍ପ ଓ ଗ୍ୟାସ ବିତରଣରେ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ବ୍ୟକ୍ତ କରିଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button