ରାଜ୍ୟ

ଚାଷୀମାନଙ୍କ ଭୁବନେଶ୍ୱରକୁ ଆସିବାକୁ ବାରଣ କରିବା ବିଜେଡିର ଏକଛତ୍ରବାଦୀ ଭାବନାକୁ ସ୍ପଷ୍ଟ କରୁଛି ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୦୭/୦୨) : ଚାଷୀ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଏହି ସରକାରଙ୍କ ଅହଙ୍କାର ଶେଷ ସୀମାରେ ପହଞ୍ଚିଲାଣି । ଲମ୍ବା ସମୟ ଶାସନ କଲେ ଅହଂକାର ଓ ସ୍ୱେଚ୍ଛାଚାରିତା ଭିନ୍ନମତକୁ ପ୍ରତିହତ କରିବାର ମାନସିକତା ତିଆରି କରେ । ଚାଷୀମାନଙ୍କୁ ଭୁବନେଶ୍ୱରକୁ ଆସିବାକୁ ବାରଣ କରି ସେମାନଙ୍କ ମତକୁ ଚାପି ଦେବାର ଉଦ୍ୟମ ବିଜେଡିର ଏକଛତ୍ରବାଦୀ ଭାବନାକୁ ସ୍ପଷ୍ଟ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି କହିଛନ୍ତି ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଗଣତନ୍ତ୍ରରେ ନିଜର ଦାବି ଓ ପକ୍ଷ ରଖିବା ସମସ୍ତଙ୍କର ଅଧିକାର ରହିଛି । ଭୁବନେଶ୍ୱରକୁ ଆନ୍ଦୋଳନ କରିବାକୁ ଆସୁଥିବା ଚାଷୀମାନଙ୍କୁ ସହର ଭିତରକୁ ଛଡାନଯିବା ଓ ଚାଷୀନେତାଙ୍କୁ ଗିରଫ କରାଯିବା ସର୍ବନିମ୍ନ ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହା ସରକାରଙ୍କ ହୀନ ମାନସିକତା ବୋଲି ଜଣାପଡ଼ୁଛି ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଗଣତନ୍ତ୍ରରେ ଜରୁରୀ ନୁହେଁ ଯେ, ସମସ୍ତେ ସରକାରଙ୍କୁ ସମର୍ଥନ କରିବେ । ପ୍ରାୟୋଜିତ ଭାବେ ଲୋକମାନଙ୍କୁ ଭୁବନେଶ୍ୱର ଆଣି ମୁଖ୍ୟମନ୍ତ୍ରୀ ଓ୍ୱାଃ ଓ୍ୱାଃ ନେଉଛନ୍ତି ଏବଂ ଏହା ସମସ୍ତେ ଗଣମାଧ୍ୟମରେ ଦେଖିଛନ୍ତି ମଧ୍ୟ । ସରକାରଙ୍କ ଠାରୁ ଦାବି କରିବା ଓ ପ୍ରତିବାଦ କରିବା ପାଇଁ ଆସୁଥିବା ଚାଷୀମାନଙ୍କ ବିକ୍ଷୋଭ ପ୍ରଦର୍ଶନ  ବନ୍ଦ କରିବା ଗଣତାନ୍ତ୍ରିକ ନୁହେଁ ସ୍ୱେଚ୍ଛାଚାରି ମନୋଭାବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଯଦି ଆନ୍ନା ହଜାରେଙ୍କୁ ଆସି ଦେଖାକରି ଆଲୋଚନା କରିପାରନ୍ତି ତାହାହେଲେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଦୋଳନ କରିବାକୁ ଆସିଥିବା ଚାଷୀ ନେତାଙ୍କ ସହ କାହିଁକି କଥା ହୋଇପାରିବେ ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button