ରାଜ୍ୟ

ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୨୭/୦୨) : ଭୁବନେଶ୍ୱରରେ ଆୟୋଜିତ ବିଜେପିର କମଲ୍ ଦୀପାବଳି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ନବୀନ ସରକାର ମୌଳିକ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛି । ଏଭଳି ଏକ ଅପାରଗ ସରକାରକୁ ବଦଳାଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶକୁ ଓଡିଶାକୁ ଆଣିବାକୁ ପଡିବ । ଦିଲ୍ଲୀ ଓ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନର ସରକାର ପାଇଁ ସଙ୍କଳ୍ପ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ଦଳ ତରଫରୁ ପଦ୍ମ ଦିପାବଳୀ ଉତ୍ସବ ପାଳନ କରାଯାଉଛି । ନରେନ୍ଦ୍ର ମୋଦିଙ୍କୁ ଦେଶରେ ପୁନର୍ବାର ପ୍ରଧାନମନ୍ତ୍ରୀ କରିବା ପାଇଁ ଆଜି ଦୀପାବଳି ପାଳନ କରାଯାଉଛି । ଲାଭୀର୍ଥୀ ମାନେ ଦ୍ୱୀପ ଲଗାଇ ନରେନ୍ଦ୍ର ମୋଦିଙ୍କୁ ଆଶୀର୍ବାଦ କରୁଛନ୍ତି । ଏହାବ୍ୟତିତ ଆଜି ଦେଶ ପାଇଁ ଖୁସିର ଦିନ ।  ଆଜି ଦେଶ ଜୟ ହିନ୍ଦ୍ ସ୍ଲୋଗାନରେ ପ୍ରକମ୍ପିତ ହେଉଛି ବୋଲି କହିଥିଲେ ଧର୍ମେନ୍ଦ୍ର ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୪ ନିର୍ବାଚନରେ ଓଡିଶାରେ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ସେତେ ଆଶୀର୍ବାଦ ମିଳିନଥିଲା । ଏହା ପରେ ମଧ୍ୟ ମୋଦି ଓଡିଶାର ଭରପୂର ବିକାଶ କଲେ । ତେଣୁ ଆଗାମୀ ନିର୍ବାଚନରେ ପୁଣି ମୋଦି ସରକାର ପାଇଁ ଓଡିଶାର ଜନତା ବହୁ ସଂଖ୍ୟାରେ ଆଶିର୍ବାଦ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ । ପଦ୍ମ ଦିପାବଳୀରେ ଦୀପ ଲଗାଇ ପ୍ରତିଜ୍ଞା କରିବା ଯେ ଓଡିଶା ଚଳିତଥର ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଆଭାର ରହିବ ବୋଲି ସେ କହିଥିଲେ ।

ସେ କହିଛନ୍ତି ଯେ ୧୯ ବର୍ଷ ଶାସନ ରାଜ୍ୟରେ ବିଜୁ ଜନତା ଦଳର ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଚାଲିଛି । ଭୁବନେଶ୍ୱରର ମଧ୍ୟ ନିର୍ବାଚନ ମଣ୍ଡଳୀ ସବୁଠାରୁ ଗୁରୁତ୍ୱ ବହନ କରେ ।  ଏଠାରେ ବିଧାନସଭା, ସଚିବାଳୟ ରହିଛି । ଏହାସତ୍ୱେ ମଧ୍ୟ ଏଅଂଚଳରେ ରାସ୍ତାଘାଟ ଖାଲଖମାରେ ଭରିରହିଛି ।  ଅଦିନିଆ ବର୍ଷାରେ ଭୁବନେଶ୍ୱରରେ ବନ୍ୟା ହେଉଛି । ଏହା ପରେ ବି ମୁଖ୍ୟମନ୍ତ୍ରୀ ଜମି, ଘର, ନାଳ, ନର୍ଦ୍ଦମା ଦଲାଲ ମାନଙ୍କୁ ବିକ୍ରି କରିଦେଲା ପରେ ଭୁବନେଶ୍ୱରରବାସୀ ମାନେ ଖୁସି ତ ବୋଲି ପଚାରିବେ କି?

ଶ୍ରୀ ପ୍ରଧାନ କହିଛନ୍ତି ୧୯ ବର୍ଷର ଶାସନରେ ଏଠାକାର ବସ୍ତି ଅଂଚଳର ସମସ୍ତଙ୍କୁ ସ୍ଥାୟୀ ପଟ୍ଟା ମିଳିନାହିଁ, ପକ୍କା ଘର ନାହିଁ, ସମସ୍ତଙ୍କୁ ରୋଜଗାର ମିଳିନାହିଁ । ଓଡିଶାରେ ୧ କୋଟି ଲୋକଙ୍କ ଭିତରକୁ  ୩୦ ଲକ୍ଷ ଲୋକଙ୍କ ପାଇଁ ଘର ନାହିଁ , ୨୦ ଲକ୍ଷ ଲୋକଙ୍କୁ ସ୍ଥାୟୀ ପଟ୍ଟା ମିଳିନାହିଁ ।  ମାତ୍ର ନରେନ୍ଦ୍ର ମୋଦିଙ୍କ ସରକାର ଏବେ ଗରିବ ଲୋକଙ୍କ ପାଇଁ ଘର ତିଆରି କରୁିଛନ୍ତି । ୨୦୦୯ -୧୪ ଭିତରେ ଭାରତବର୍ଷରେ ୨୫ ଲକ୍ଷ ୫୭ ହଜାର ଘର ବନିଥିଲା । ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ୨୦୧୪ ରୁ ୧୯ ମଧ୍ୟରେ ୧ କୋଟି ୪୦ ଲକ୍ଷ ଘର ନିର୍ମାଣ କରିଛନ୍ତି । ଅନ୍ୟପଟେ ଓଡିଶାରେ ବିନା ହାତଗୁଞ୍ଜାରେ, ବିନା ସରକାରୀ ଦଳର ଚାମ୍ଚାଙ୍କ ପକେଟ ଗରମରେ ସରକାରୀ ଯୋଜନାର ସୁବିଧା ମିଳୁନାହିଁ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ରାଜ୍ୟରେ ମାଆ ଭଉଣୀମାନେ ଅସୁରକ୍ଷିତ ହୋଇପଡିଛନ୍ତି । ପିପିଲିର ଅର୍ଜୁନଗୋଦା ଗାଁରେ ଦଳିତ ଝିଅକୁ ଶାସକ ଦଳର ଗୁଣ୍ଡାମାନେ ହତ୍ୟା କଲେ ।  ଯେଉଁ ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାନ୍ତି, ସ୍କୁଲ ପଢିବା ବେଳେ ଛୋଟ ଛୋଟ ଝିଅ ଗର୍ଭବତୀ ହୁଏ ଏବଂ ଯେଉଁ ଜାଗାରେ ରକ୍ଷକ ଭକ୍ଷକ ହୁଏ ସେହି ସରକାରକୁ ବଦଳେଇବାକୁ ସମୟ ଆସିଛି ବୋଲି ସେ କହିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ତିନୋଟି କାର୍ଯ୍ୟକ୍ରମ ଗରିବ ଓ ମଧ୍ୟବିତ ପରିବାରଙ୍କ ପାଇଁ ଆରମ୍ଭ କଲେ । ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିନାହାନ୍ତି  । ମାତ୍ର ଏଠାରେ ପୋଷ୍ଟରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ ହେଲା । ସ୍ୱାମୀ  ପଛେ ମରୁ, କିନ୍ତୁ ସଉତୁଣି ବିଧବା ହେବା ଦରକାର ନ୍ୟାୟରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ରୋକିବାକୁ ଚାହୁଁଛନ୍ତି । ସେଥିପାଇଁ ଆୟୁଷ୍ମାନ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନା କାର୍ଯ୍ୟକାରୀ କରିନଥିବା ବେଳେ ପିଏମ୍ କିଷାନ ଯୋଜନା ପାଇଁ ମଧ୍ୟ ସହଯୋଗ କରୁନାହାଁନ୍ତି ।

କାଳିଆ ଛାତ୍ରବୃତି ଯୋଜନା କରିବା ବେଳେ ଚାଷ କରୁଥିବା ଚଷା, ଖଣ୍ଡାୟତ, କୁଲତା, ଗୋପାଳ, କୁମ୍ଭାର, ମହନ୍ତ, ବାରିକ ଆଦି ଅନ୍ୟାନ୍ୟ ପଛୁଆ ଜାତିଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ପାଠପଢା ଓ ଚାକିରିରେ ସ୍ଥାନ ସଂରକ୍ଷଣ ସୁବିଧା ମିଳୁନି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ସାଧାରଣ ବର୍ଗର ଆର୍ଥିକ ପଛୁଆ ଲୋକମାନଙ୍କୁ କେନ୍ଦ୍ରୀୟ ଯୋଜନା ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର କାହିଁକି ଉଦ୍ୟମ କରୁନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button